ରାଜ୍ୟ

ବାଙ୍କୀ ଏନ୍‌.ଏ.ସି ପକ୍ଷରୁ ୫୭ତମ ସର୍ବଭାରତୀୟ ସ୍ୱାୟତ ଶାସନ ଦିବସ ପାଳିତ (

ବାଙ୍କୀ,୩୧ା୮- ଆଜି ବାଙ୍କୀ ଏନ୍‌.ଏ.ସି ନିକଟବର୍ତ୍ତୀ ମହାରଣା କଲ୍ୟାଣ ମଣ୍ଡପ ଠାରେ ୫୭ତମ ସର୍ବଭାରତୀୟ ସ୍ୱାୟତ ଶାସନ ଦିବସ ପାଳିତ ହୋଇଯାଇଛି । ନଗରପାଳ ମାଣିକ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଟକ ଲୋକସଭା ସାଂସଦ ଭର୍ତ୍ତୁହରି ମହତାବ ମୁଖ୍ୟଅତିଥି ଭାବେ ଯୋଗଦେଇ ବାଙ୍କୀ ଏନ୍‌.ଏ.ସିକୁ ସରସ ସୁନ୍ଦର କରାଯାଇ ରାଜ୍ୟରେ ଶ୍ରେଷ୍ଠ ଭାବରେ ପରିଚିତ କରାଇବା ପାଇ ପରାମର୍ଶ ଦେଇଥିଲେ । ବିଶିଷ୍ଟ ଅତିଥିଭାବେ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଯୋଗଦେଇ ବର୍ତ୍ତମାନ ଉନ୍ନତି ମାର୍ଗରେ ବାଙ୍କୀ ଏନ୍‌.ଏ.ସି ଆଗେଇ ଚାଲିଛି ବୋଲି କହିଥିଲେ । ଏହି ଧାରା ବଜାୟ ରଖିବାକୁ ବିଧାୟକ ଶ୍ରୀ ତ୍ରିପାଠୀ ପରାମର୍ଶ ଦେଇଥିଲେ । ବାଙ୍କୀ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନା , ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ବିଶେଷ ଅତିଥି ଭାବେ ଯୋଗଦେଇ ଉଦ୍‌ବୋଧନ ଦେଇଥିଲେ । ଉପନଗରପାଳ ସନ୍ତୋଷ କୁମାର ରଣା ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ କାର୍ଯ୍ୟନିର୍ବାହୀ ଅଧିକାରୀ ସଂପଦ କୁମାର ସ୍ୱାଇଁ ବିବରଣୀ ପାଠ କରିଥିଲେ । ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ୍ କରିଥିବା କର୍ମଚାରୀମାନଙ୍କୁ ପୁରସ୍କାର ପ୍ରଦାନ କରିବା ସହିତ ଶ୍ରେଷ୍ଠ କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସକାଳ ୮.୩୦ଘଟିକା ସମୟରେ ବାଙ୍କୀ ଏନ୍‌.ଏ.ସି କାର୍ଯ୍ୟାଳୟ ଠାରେ ନଗରପାଳ ଶ୍ରୀମତି ମାଣିକ ସାହୁ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଏନ୍‌.ଏ.ସି ଅଞ୍ଚଳରେ ଥିବା ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଉପଖଣ୍ଡ ଚିକିତ୍ସାଳୟ, ଉପକାରାଗାର ଓ ହରିହରଭେଟ ଠାରେ ଥିବା ଶିଶୁଯତ୍ନ କେନ୍ଦ୍ରେ ଠାରେ ଫଳ ବଣ୍ଟନ କରାଯାଇଥିଲା । ମା’ଚର୍ଚ୍ଚିକା ମନ୍ଦିର ନିକଟରେ ୨ଗୋଟି ସମେତ ମୋଟ୍ ୬ଗୋଟି ଶୌଚାଳୟ, ୧ଟି ମିଶନ୍ ଶକ୍ତି ଗୃହ, ପଥର ତୁଠ ଠାରେ ୧ଗୋଟି ଖୋଲାସ୍ଥାନ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକ୍ରମ, ୪ଗୋଟି ଫେବରବ୍ଲକ ରାସ୍ତା ଓ ଡ୍ରେନ୍‌, ୧ଗୋଟି ଅଙ୍ଗନୱାଡି କେନ୍ଦ୍ରକୁ ଅତିଥିମାନେ ଉଦ୍‌ଘାଟନ କରିଥିଲେ । ସେହିପରି ଏନ୍‌.ଏ.ସି କାର୍ଯ୍ୟାଳୟ ଠାରୁ ମା’ଚର୍ଚ୍ଚିକା ମନ୍ଦିର ପୂର୍ବଦ୍ୱାର ପର୍ଯ୍ୟନ୍ତ ନୂତନ ଫେବରବ୍ଲକ ରାସ୍ତା, ୱାର୍ଡ ନମ୍ବର ୬ ବି.କେ.ବିଦ୍ୟାପୀଠ ଠାରେ ଭେଣ୍ଡିଙ୍ଗଜୋନ୍ (ଦୋକାନ ଗୃହ), ନୃସିଂହ ଛକ ଠାରେ ଯାତ୍ରୀ ବିଶ୍ରାମଗାରର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ଶେଷରେ ନଗରପାଳଙ୍କ ପ୍ରତିନିଧି ତଥା କାଉନସିଲର ସନାତନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *