କାକଟପୁର ବିଜେଡିରେ ତୀବ୍ର ଗୋଷ୍ଠି କନ୍ଦଳ
ନୂଆ ପ୍ରାର୍ଥୀ ସନ୍ଧାନରେ ଦଳ – ଚର୍ଚ୍ଚାରେ ପ୍ରଫୁଲ୍ଲ
ଭୁବନେଶ୍ଵର,୩୧।୮(ପି.ଏନ୍) ରାଜ୍ୟର ୧୦୫ ନମ୍ବର ବିଧାନସଭା ନର୍ବାଚନମଣ୍ଡଳୀ ଭାବେ ପରିଚିତ କାକଟପୁର ନିର୍ବାଚନମଣ୍ଡଳୀ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ୧୫ପଞ୍ଚାୟତ , କାକଟପୁର ବ୍ଲକର ୧୬ ପଞ୍ଚାୟତ , ଗୋପ ବ୍ଲକର ୧୪ ପଞ୍ଚାୟତ ଓ କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ନେଇ ଗଠିତ। ନିର୍ବାଚନମଣ୍ଡଳୀରେ ସମୁଦାୟ ମତଦାତାଙ୍କ ସଂଖ୍ୟା ୨ଲକ୍ଷ ୨୦ହଜାର ୫୨୨ ଥିବାବେଳେ ଗତ ନିର୍ବାଚନରେ ୧ଲକ୍ଷ ୭୦ହଜାର ୮୮୯ ଜଣ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଥିଲେ। ବିଜେଡ଼ିର ଗଡ କୁହାଯାଉଥିବା ଏହି ଆସନରୁ ୨୦୧୯ ନିର୍ବାଚନରେ ଭାରତୀୟ ଜନତା ଦଳ ଛାଡ଼ି ବିଜେଡ଼ି ଟିକେଟରେ ପ୍ରତିଦ୍ବନ୍ଦିତା କରିଥିବା ତୁଷାର କାନ୍ତି ବେହେରା ବିଧାୟକ ଭାବେ ନିର୍ବାଚିତ ହୋଇ ଏବେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଅଛନ୍ତି। ସେ ସମୁଦାୟ ୫୩.୬୮ ପ୍ରତିଶତ ଭୋଟ ପାଇଥିବା ବେଳେ ୪୫ହଜାର ୬୯୧ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ଜଣେ ନୀର୍ବିବାଦିୟ , ଉଚ୍ଚ ଶିକ୍ଷିତ, ଭଦ୍ର ଓ ସରଳ ବ୍ୟକ୍ତିତ୍ୱର ଅଧିକାରୀ ମନ୍ତ୍ରୀ ଶ୍ରୀ ବେହେରା ଅଧ୍ୟାପନା ଜୀବନରୁ ରାଜନୀତିରେ ପାଦ ଦେଇ ପ୍ରଥମେ ବିଜେପି ଦଳରୁ ନିଜ ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ତେବେ ସେ ଗତ ବିଧାନସଭା ନିର୍ବାଚନ ଅବ୍ୟବହିତ ପୂର୍ବରୁ ବିଜେଡ଼ି ଦଳରେ ଯୋଗଦେଇ ପ୍ରଥମ ଥର ବିଧାୟକ ଭାବେ ନିର୍ବାଚିତ ହୋଇ ଏବେ ମନ୍ତ୍ରୀ ଭାବେ ପାଞ୍ଚବର୍ଷ ଧରି କାର୍ଯ୍ୟ କରିଆସୁଛନ୍ତି।
ବିଜେଡ଼ି ଦଳର ଗଡ଼ କୁହାଯାଉଥିବା ଏହି ନିର୍ବାଚନମଣ୍ଡଳୀରେ ୨୦୦୯ ମସିହାଠାରୁ ଦଳ ମଧ୍ୟରେ ତୀବ୍ର ଗୋଷ୍ଠୀ କନ୍ଦଳ ଯୋଗୁଁ ଦଳୀୟ କର୍ମୀମାନେ ନିର୍ବାଚନ ପୁର୍ବରୁ ସବୁବେଳେ ଦ୍ବନ୍ଦ୍ବରେ ରହୁଛନ୍ତି। ଏଠାରେ ଦଳ ଏବେ ଦୁଇ ଫାଳରେ ବିଭକ୍ତ ହୋଇଛି। ବିଜେଡ଼ିର ଗୋଟିଏ ଗୋଷ୍ଠୀ ମନ୍ତ୍ରୀ ତୁଷାର କାନ୍ତି ବେହେରାଙ୍କୁ ସମର୍ଥନ କରୁଥିବା ବେଳେ ଅନ୍ୟ ଏକ ଗୋଷ୍ଠୀ ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀଙ୍କ ସମର୍ଥନରେ ଅଛନ୍ତି ଯାହା ଗତ ପଞ୍ଚାୟତ ସମିତି ନିର୍ବାଚନରେ ପ୍ରମାଣିତ ହୋଇଛି।୨୦୦୯ ମସିହାରୁ ନିର୍ବାଚନମଣ୍ଡଳୀଟି ସଂରକ୍ଷିତ ହେବା ପରେ ପ୍ରତି ୫ ବର୍ଷରେ ବିଜେଡ଼ି ତାର ପ୍ରାର୍ଥୀ ପରିବର୍ତ୍ତନ କରି ଆସୁଛି । ଉଭୟ ମନ୍ତ୍ରୀ ଶ୍ରୀ ବେହେରା ଓ ପୂର୍ବତନ ବିଧାୟକ ଶ୍ରୀ ସେଠୀ ସମର୍ଥକ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଯଦି ବଳବତ୍ତର ରହେ ତେବେ ଦଳ ଜଣେ ନିର୍ବିବାଦିୟ ଓ ତୃଣମୂଳସ୍ତରରେ ସକ୍ରିୟ ଭାବେ ଦଳୀୟ ସଂଗଠନ ସହ କାମ କରୁଥିବା ନୂଆ ପ୍ରାର୍ଥୀ ସନ୍ଧାନରେ ଥିବା କୁହାଯାଉଛି। ଏହି ପରିପ୍ରେକ୍ଷୀରେ ଦଳ ଟିକେଟ ଆଶାୟୀ ଥିବା ବିଜେଡ଼ି ଯୁବ ନେତା ତଥା ସମାଜସେବୀ ପ୍ରଫୁଲ୍ଲ କୁମାର ବେହେରାଙ୍କୁ ଟ୍ରଂପ୍ କାର୍ଡ ଭାବେ ନୂଆ ପ୍ରାର୍ଥୀ କରିବା ପାଇଁ ସ୍ଥିର କରିଥିବା ବିଶ୍ଵସ୍ତ ସୂତ୍ରରୁ ସୂଚନା ମିଳିଛି।
ପ୍ରଫୁଲ୍ଲ କୁମାର ବେହେରା ତୃଣମୂଳ ସ୍ତରରୁ ରାଜନୈତିକ ଜୀବନ ଆରମ୍ଭ କରି ତାଙ୍କ ଧର୍ମପତ୍ନୀଙ୍କୁ ଥରେ ଅସ୍ତରଙ୍ଗ ପଂଚାୟତସମିତି ସଭ୍ୟା ଭାବେ ନିର୍ବାଚିତ କରାଇଥିବା ବେଳେ ନିଜେ ଶ୍ରୀ ବେହେରା ମଧ୍ୟ ସରପଞ୍ଚ ଭାବେ ୨୦୧୭ରୁ ୨୦୨୨ ପର୍ଯ୍ୟନ୍ତ କାର୍ଯ୍ୟ କରି ଅସ୍ତରଙ୍ଗ ସମେତ ନିର୍ବାଚନ ମଣ୍ଡଳୀରେ ସୁନାମ ଅର୍ଜନ କରିଛନ୍ତି। ୨୦୧୨ମସିହାରେ ସେ ଅସ୍ତରଙ୍ଗ ବ୍ଲକ ବିଜେଡ଼ି ସାଧାରଣ ସମ୍ପାଦକ ଥିଲେ।ନିର୍ବାଚନମଣ୍ଡଳୀ ଦଳୀୟ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ କାର୍ଯ୍ୟ କରିବା ସହ ୨୦ ବର୍ଷ ଧରି ସ୍ଵେଚ୍ଛାସବୀ ସଙ୍ଗଠନରେ କାର୍ଯ୍ୟ କରିଆସୁଥିବା ଶ୍ରୀ ବେହେରା ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ,ଜୀବିକା ମିଶନ ଓ ମିଶନଶକ୍ତିର ସ୍ଵୀକୃତିପ୍ରାପ୍ତ ତାଲିମଦାତା ଭାବେ ବିଭିନ୍ନ ଜିଲ୍ଲାର ନିର୍ବାଚିତ ପଂଚାୟତ ପ୍ରତିନିଧି, ମିଶନଶକ୍ତି ସଭାନେତ୍ରୀ,ସମ୍ପାଦିକା ,ଏମ.ବି.କେ ,ସି.ଆର୍.ପି ସମେତଙ୍କ ସହ ରାଜ୍ୟ ସରକାରଙ୍କ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ଥିବା ସ୍ବାସ୍ଥ୍ୟକର୍ମୀ, ଏ.ଏନ୍.ଏମ ଓ ଆଶା କର୍ମୀମାନଙ୍କୁ ତାଲିମ ପ୍ରଦାନ କରୁଛନ୍ତି। ଜଣେ ନିର୍ବିବାଦୀୟ ଶୃଙ୍ଖଳିତ ବିଜେଡ଼ି କର୍ମୀ ଭାବେ ସେ ସବୁ ଗୋଷ୍ଠୀଙ୍କୁ ସାଥିରେ ନେଇ ଦଳକୁ ମର୍ଯ୍ୟାଦାଜନକ ସ୍ଥିତିରେ ପହଞ୍ଚାଇ ପାରିବେ ବୋଲି ନିର୍ବାଚନମଣ୍ଡଳୀରେ ଚର୍ଚ୍ଚା ହେଉଛି।