ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା କଟକ-ପାରାଦୀପ ଏବଂ ପାରାଦୀପ-ହରିଦାସପୁର ରେଳ ମାର୍ଗ ନୀରିକ୍ଷଣ
ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ମନୋଜ ଶର୍ମା ଆଜି ଅନ୍ୟ ବରିଷ୍ଠ ରେଳ ଅଧିକାରୀମାନଙ୍କ ସହିତ ପାରାଦୀପ ଗସ୍ତରେ ଯାଇ କଟକ-ପାରାଦୀପ ଏବଂ ପାରାଦୀପ-ହରିଦାସପୁର ରେଳ ମାର୍ଗ ନୀରିକ୍ଷଣ କରିବା ସମୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ସମୀକ୍ଷା କରିଥିବାବେଳେ ଟ୍ରାଫିକ ସୁବିଧା ତଥା ବିନା କୌଣସି ପ୍ରତିବନ୍ଧକରେ ଟ୍ରେନ ଚଳାଚଳ ଏବଂ ରେଳବାଇର ବିଭିନ୍ନ ବିକାଶମୂଳକ କାର୍ଯ୍ୟକଳାପ ସମ୍ବନ୍ଧରେ ଆଲୋଚନା କରିଥିଲେ |
ଶ୍ରୀ ଶର୍ମା ମଧ୍ୟ ପାରାଦୀପ ଅଞ୍ଚଳରେ ରେଳବାଇର ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ | ଏହି ସମୀକ୍ଷା ଓ ନୀରିକ୍ଷଣ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ରିଙ୍କେଶ ରାୟଙ୍କ ସହିତ ରେଳପଥର ପ୍ରମୁଖ ବିଭାଗୀୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ |
ଶ୍ରୀ ଶର୍ମା ପଣ୍ୟ ବୋଝେଇ ଓ ପଣ୍ୟ ବୋଝ ଉତାରିବା (ଅନଲୋଡିଂ) ପାଇଁ ଉଦ୍ଧିଷ୍ଟ ବିଭିନ୍ନ ରେଳ ସାଇଡିଙ୍ଗ ପରିଦର୍ଶନ କରିଥିଲେ | ଦେଶର ରାଜସ୍ୱ ବୃଦ୍ଧି ପାଇଁ ପାରାଦୀପ ପୋର୍ଟ ପ୍ରାଧିକରଣ ଏବଂ ଅନ୍ୟାନ୍ୟ ଷ୍ଟେକ୍ ହୋଲ୍ଡର ଓ ଉଦ୍ୟୋଗ ଗୁଡିକ ସହିତ ଘନିଷ୍ଠ ସମନ୍ୱୟ ରକ୍ଷା କରିବାକୁ ଶ୍ରୀ ଶର୍ମା ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ଯାହା ସିଧାସଳଖ ଦେଶ ପାଇଁ ଲାଭଦାୟକ ହେବ |