ଏସିଆ କପ୍ : ବର୍ଷା ଯୋଗୁଁ ବାତିଲ ହେଲା ଭାରତ-ପାକିସ୍ତାନ ମ୍ୟାଚ, ପଏଣ୍ଟ ଭାଗ କଲେ ଦୁଇଦଳ
ପାଲେକେଲେ : ଶ୍ରୀଲଙ୍କାର ପାଲେକେଲେଠାରେ ଖେଳାଯାଉଥିବା ଏସିଆ କପର ଗୁରୁତ୍ବପୂର୍ଣ୍ଣ ଭାରତ-ପାକିସ୍ତାନ ମ୍ୟାଚ ଅମିମାଂସିତ ଭାବେ ଶେଷ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ୨ୟ ଇନିଂସ ଖେଳ ଆଦୌ ହୋଇପାରିନଥିଲା । ଫଳରେ ଏହି ମହାମୁକାବିଲା ଦେଖିବାକୁ ଅନେକ ଦିନ ପୂର୍ବରୁ ଅପେକ୍ଷା କରିରହିଥିବା କ୍ରିକେଟପ୍ରେମୀ ନିରାଶ ହୋଇଛନ୍ତି ।
ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୬୬ ରନ କରି ଅଲଆଉଟ୍ ହୋଇଯାଇଛି । ଫଳରେ ପାକିସ୍ତାନ ଆଗରେ ୨୬୭ ରନର ଲକ୍ଷ୍ୟ ରହିଥିଲା । କିନ୍ତୁ ବର୍ଷା ଯୋଗୁଁ ପାକିସ୍ତାନ ଟିମ ବ୍ୟାଟିଂ କରିପାରିନଥିଲା । ଫଳରେ ଉଭୟ ମ୍ୟାଚକୁ ବାତିଲ କରାଯିବା ସହ ପଏଣ୍ଟ ଭାଗ କରାଯାଇଥିଲା ।
ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଆରମ୍ଭରୁ ହିଁ ପାକିସ୍ତାନର ପେସର ମାନେ ଭାରତୀୟ ବ୍ୟାଟରମାନଙ୍କୁ ବାନ୍ଧିରଖିବାରେ ସଫଳ ହୋଇଥିଲେ । ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚରେ ଭାରତ ଆରମ୍ଭରୁ ଲଗାତାର ଓ୍ବିକେଟ ହରାଇ ସଂକଟରେ ପଡ଼ିଥିଲା । ତେବେ ଇଶାନ କିଷନ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ରେକର୍ଡ ଭାଗିଦାରୀ ବଳରେ ଭାରତ ଏକ ସମ୍ମାନଜନକ ସ୍କୋର ଛିଡ଼ା କରିପାରିଥିଲା ।