ପରମହଂସ ସତ୍ୟାନନ୍ଦ ସରସ୍ୱତୀଙ୍କ ଜନ୍ମଶତବାର୍ଷିକୀ ଉପଲକ୍ଷେ “ଆମ ସଂସ୍କୃତି’ କୁଇଜ୍ ପ୍ରତିଯୋଗିତାର ପୁରସ୍କାର ବିତରଣ ଉତ୍ସବ
ଭୁବନେଶ୍ୱର: ବିହାର ଯୋଗ ବିଦ୍ୟାଳୟର ପ୍ରତିଷ୍ଠାତା ବ୍ରହ୍ମଲୀନ ସ୍ୱାମୀ ପରମହଂସ ସତ୍ୟାନନ୍ଦ ସରସ୍ୱତୀଙ୍କ ଜନ୍ମ ଶତବାର୍ଷିକୀ ଉପଲକ୍ଷେ ସ୍ଥାନୀୟ ସତ୍ୟାନନ୍ଦ ଯୋଗବିଦ୍ୟାଳୟରେ ଶ୍ରୀମତୀ ଗୀତା ତ୍ରିପାଠୀ ଓ ତ୍ରିଦିବ୍ ତ୍ରିପାଠୀଙ୍କ ପ୍ରଚେଷ୍ଟା ଓ ତତ୍ତ୍ୱାବଧାନରେ ପ୍ରାଚୀନ ଭାରତୀୟ ଜ୍ଞାନ, ସଂସ୍କୃତିର ସଚେତନତା ପୁନଃ ଜାଗରଣ ପାଇଁ “ଆମ ସଂସ୍କୃତି ‘ କୁଇଜ ପ୍ରତିଯୋଗିତା ରାଜଧାନୀର ବିଭିନ୍ନ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀମାନଙ୍କ ପାଇଁ ବିଦ୍ୟାଳୟ ପରିସରରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ନିର୍ଦ୍ଦେଶକ ସ୍ୱାମୀ ସ୍ୱରୂପା ନନ୍ଦ ସରସ୍ୱତୀ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଯୋଗବିଦ୍ୟା ଓ ଯୋଗନିଦ୍ରା ସାଧାରଣ ଜୀବନକୁ କିପରି ସୁସ୍ଥ ଓ ସୁନ୍ଦର କରାଯାଇପାରେ ତା’ ଉପରେ ଆଲୋକପାତ କରିଥିଲେ ।
ମୁଙ୍ଗେରସ୍ଥିତ ବିହାର ଯୋଗବିଦ୍ୟାଳୟରୁ ଆସିଥିବା ସ୍ୱାମୀ ତ୍ୟାଗରାଜନନ୍ଦ ସରସ୍ୱତୀ କହିଲେ ବିଭିନ୍ନ ପ୍ରକାର ଯୋଗ ଶୈଳୀ ଆପଣାଇ ଛାତ୍ରଛାତ୍ରୀମାନେ ଶାରିରୀକ ଓ ମାନସିକ ସ୍ତରରେ ସୁସ୍ଥ ରହିବା ସହ ଆଧ୍ୟାତ୍ମିକ ଚେତନାର ବିକାଶ କରିପାରିବେ । ବିଦ୍ୟାଳୟର ସଭାପତି ଶ୍ରୀମତୀ ସୁଦତ୍ତା ପଟ୍ଟନାୟକ କହିଲେ, ଆମ ଭାରତୀୟ ସଂସ୍କୃତି ଓ ମୂଲ୍ୟବୋଧକୁ ବ୍ୟବହାର କରିବା ଦ୍ୱାରା ଜୀବନରେ ସମସ୍ତ ଭଲ ମଣିଷ ହୋଇପାରିବା କାରଣ ଅନ୍ୟ ଦେଶର ସଂସ୍କୃତି ଅପେକ୍ଷା ଆମ ଦେଶର ସଂସ୍କୃତି ସୁନ୍ଦର ଓ ନିଆରା ।
ଆଧୁନିକତା ସ୍ପର୍ଶରେ ଆଜିକାଲିର ଛାତ୍ରଛାତ୍ରୀ, ଯୁବକଯୁବତୀମାନେ ଭାରତୀୟ ସାହିତ୍ୟ, ସଂସ୍କୃତି, ଗ୍ରନ୍ଥ ବିଷୟରେ ବିଶେଷ ରୁଚ ରଖୁନାହାନ୍ତି । ରାମାୟଣ, ମହାଭାରତ, ଭଗବତଗୀତା, ଭାଗବତ ତଥା ବିଭିନ ଭାରତୀୟ ଶାସ୍ତ୍ର ବିଷୟରେ ଅନଭିଜ୍ଞ । ସେମାନଙ୍କ ଭିତରେ ପ୍ରାଚୀନ ଭାରତୀୟ ଜ୍ଞାନ ପ୍ରତି ଉତ୍ସାହ, ଆଗ୍ରହ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଉକ୍ତ କୁଇଜ ପ୍ରତିଯୋଗିତା ଗୁରୁପୂର୍ଣ୍ଣିମାଠାରୁ ଶ୍ରୀମତୀ ଗୀତା ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରଥମକରି ରାଜଧାନୀର ବିଭିନ୍ନ ବିଦ୍ୟାଳୟରେ ଆରମ୍ଭ ହୋଇଥିଲା । ଏଥିରେ ବରିଷ୍ଠ ଓ କନିଷ୍ଠ ବର୍ଗରେ ୫୦୭୭ ଜଣ ଛାତ୍ରଛାତ୍ରୀ ଭାଗନେଇଥିଲେ । ବରିଷ୍ଠବର୍ଗରେ ୟୁନିଟ-୧ ସରକାରୀ ଉଚ୍ଚ ବିଦ୍ୟାଳୟର ବିଶ୍ୱଜିତ ନାୟକ ପ୍ରଥମ ସ୍ଥାନ, ଏମବିଏସ୍ ପବ୍ଲିକ ସ୍କୁଲର ସାଈଆତ୍ମନ ଦ୍ୱିତୀୟ ସ୍ଥାନ ଓ ମଦର୍ସ ପବ୍ଲିସ୍କୁଲର ନୀନାଦ ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି କନିଷ୍ଠ ବର୍ଗରେ ମଦର୍ସ ପବ୍ଲିକ ସ୍କୁଲର ଭାର୍ଗବ ଶୁକ୍ଳା ପ୍ରଥମ ସ୍ଥାନ, ବିଜେଇଏମ୍ ସ୍କୁଲର ଅଂଶୁମାନ ପାଢ଼ୀ ଦ୍ୱିତୀୟସ୍ଥାନ ଓ ମଦର୍ସ ପବ୍ଲିକ ସ୍କୁଲର ଅସୀମ ମହାନ୍ତି ତୃତୀୟ ସ୍ଥାନ ଅଧିକାର କରିଥିଲେ । ଆଗାମୀ ବର୍ଷମାନଙ୍କରେ ରାଜ୍ୟର ବିଭିନ୍ନ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ “ଆମ ସଂସ୍କୃତି ‘ କାର୍ଯ୍ୟକ୍ରମରେ ସାମିଲ କରିବା ଲକ୍ଷ ବୋଲି ତ୍ରିପାଠୀ ଦମ୍ପତି ପ୍ରକାଶ କରିଛନ୍ତି ।