ସଂସାଧନ ସଭ୍ୟ ପ୍ରଶିକ୍ଷଣ ଶିବିର ଉଦଘାଟିତ
ମାଲକାନଗିରି ।ତା:୦୫/୦୯
ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଦୁଇ ଦିନିଆ ସଂସାଧନ ସଭ୍ୟଙ୍କ ପ୍ରଶିକ୍ଷଣ ଶିବିର ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ଠାରେ ଉଦଘାଟିତ ହୋଇଯାଇଛି। ବିଭିନ୍ନ ଲୋକକଳା ମାଧ୍ୟମରେ ରାଜ୍ୟ ସରକାରଙ୍କ ଉନ୍ନୟନ ମୂଳକ ଯୋଜନାଗୁଡିକୁ ଜନ ସାଧାରଣଙ୍କ ପାଖରେ ପହଞ୍ଚାଇବା ଏବଂ ସ୍ଥାନୀୟ ପାରମ୍ପରିକ ଲୋକ କଳାକାରଙ୍କ ଜୀବନ ଜୀବିକାରେ ସହାୟତା ନିମନ୍ତେ ଜିଲ୍ଲାବ୍ୟାପୀ ଗ୍ରାମପଞ୍ଚାୟତ ସ୍ତରରେ ଲୋକକଳା ପ୍ରୟୋଗ ଦ୍ବାରା ସୂଚନା, ଶିକ୍ଷା ଓ ଯୋଗାଯୋଗ ଅଭିଯାନର ଗୁରୁତ୍ଵପୂର୍ଣ୍ଣ ଦିଗ ଉପରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ ଯୋଗଦେଇ କହିଥିଲେ। ଏହି କାର୍ଯ୍ୟକ୍ରମ ନିମନ୍ତେ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ଏବଂ ବ୍ଲକ କଳା ସାଂସ୍କୃତିକ ସଂଘ ର ଉପସଭାପତି ଆଗଭର ହୋଇ ନିଜ ବ୍ଲକ ତଥା ଗ୍ରାମପଞ୍ଚାୟତରେ ପ୍ରଚାର ପ୍ରସାର କରିବେ। ଶ୍ରୀ ପ୍ରଧାନ ବିଏସଏସଓମାନଙ୍କୁ ସେପ୍ଟେମ୍ବର ୧୫ ରୁ ୩୦ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଆଇଇସି କାର୍ଯ୍ୟକ୍ରମ ନିମନ୍ତେ ଏକ ପ୍ରୋଗ୍ରାମ କ୍ୟାଲେଣ୍ଡର ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କେଉଁ ଦଳ କେଉଁ ପଞ୍ଚାୟତରେ କଳା ମାଧ୍ୟମରେ ସରକାରଙ୍କ ବିଭିନ୍ନ ଯୋଜନା ପ୍ରଦର୍ଶନ କରିବେ ତାହାର ତାଲିକା ତିଆରି କରିବାକୁ କୁହାଯାଇଛି। ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ତଥା ଜିଲ୍ଲା ସଂସ୍କୃତି ଅଧିକାରୀ, ପ୍ରମିଳା ମାଝୀ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। ରାଜ୍ୟ ସଂସାଧନ ବିଶେଷଜ୍ଞ ଈଶ୍ୱର ପାଣିଗ୍ରାହୀ ପୁଙ୍ଖାନୁପୁଙ୍ଖ ଭାବେ କିଭଳି ସରକାରଙ୍କ ଯୋଜନାକୁ ପଞ୍ଚାୟତ ସ୍ତରରେ ପ୍ରଚାର ପ୍ରସାର କରିବେ ବିସ୍ତୃତ ଆଲୋଚନା କରିଥିଲେ। ସେହିପରି ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଜିଲ୍ଲା ପରିଷଦ ଏପିଡି(ଅର୍ଥ) ମାନସ ମିଶ୍ର ଆଲୋଚନା କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶ୍ରମ, କୃଷି, ଶିକ୍ଷା, କ୍ରୀଡା ,ମିଶନ ଶକ୍ତି, ସ୍ଵାସ୍ଥ୍ୟ, ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଅଧିକାରୀ ଉପସ୍ଥିତ ରହି ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଉପସ୍ଥାପନ କରିଥିଲେ। କାର୍ଯ୍ୟକ୍ରମକୁ ବିନାଶ ମିଶ୍ର ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୌର ପରିଷଦ, ନିର୍ବାହୀ ଅଧିକାରୀ କାହ୍ନୁଚରଣ ପଟ୍ଟନାୟକ, ଜିଲ୍ଲା ଶ୍ରମ ଅଧିକାରୀ ଶରତ ପାଣିଗ୍ରାହୀ, ହରେକୃଷ୍ଣ କୀର୍ତ୍ତନିଆ ଏବଂ ରଞ୍ଜନ ମହାନ୍ତି ଉପସ୍ଥିତ ଥିଲେ। ସୂଚନା ଥାଉ କି ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ପରେ ସମ୍ପୃକ୍ତ ବ୍ଲକ ଅଧିକାରୀ ମାନେ ବ୍ଲକ୍ ସ୍ତରରେ ପ୍ରଶିକ୍ଷଣ ଆୟୋଜନ କରିବେ ।