ରାଜ୍ୟ

ସଧବା ମହିଳା କଲେ ବୁଧିବାମନ ଓଷା।

ନିମାପଡ଼ା,(ପି. ଏନ )ଆଜି ଥିଲା ଭାଦ୍ରବ ମାସ ର ପ୍ରଥମ ବୁଧବାର। ପୁରୀ ଜିଲ୍ଲା ର ଉପକୂଳବର୍ତ୍ତୀ ଗ୍ରାମ ମାନଙ୍କ ରେ ସଧବା ମହିଳା ମାନେ ଭକ୍ତି ଓ ନିଷ୍ଠାର ସହିତ ପାଳନ କରିଥିଲେ ବୁଧିବାମନ ଓଷା।ଏହାକୁ ‘ବୁଧିବାମନ ଓଷା’ ମଧ୍ୟ କହନ୍ତି।ଶ୍ରାବଣ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା ପରଦିନଠାରୁ ଭାଦ୍ରବ ପୂର୍ଣ୍ଣିମା ବା ଇନ୍ଦୁପୂର୍ଣ୍ଣିମା ପର୍ଯ୍ୟନ୍ତ ପ୍ରତ୍ୟେକ ବୁଧବାର ସଧବା ସ୍ତ୍ରୀ ମାନେ ଉପବାସ ରହି ଏହି ବ୍ରତପାଳନ କରିଥାନ୍ତି। ବୁଧେଇ ହେଉଛନ୍ତି ଭୈରବୀ ବା ବିମଳା । ସଧବା ମହିଳା ମାନେ ଗ୍ରାମ ର କୋଠ ଘର ଅଥବା ଠାକୁରାଣୀ ପୀଠ ଠାରେ ଏକତ୍ରିତ ହୋଇ ଗୋଟିଏ ଶିଳ ଓ ଶିଳପୁଆକୁ ଧୋଇ, ପୋଛି ଏକ ପିଢ଼ାର ଆସ୍ଥାନ ଉପରେ ସ୍ଥାପନ କରନ୍ତି। ଅଁଳାକୁ ଗଂଗାଜଳରେ ଧୋଇ, ତା’ ସହିତ ହଳଦୀ ଓ ମେଥି ବାଟି, ସେଥିରେ ଦୁଇଟି ମୂର୍ତ୍ତି ଶିଳ ଓ ଶିଳପୂଆ ଉପରେ ପ୍ରସ୍ତୁତ କରାଯାଏ। ବୁଧେଇ ଓଷା ବ୍ରତକଥା ବହି ପଢ଼ାହୁଏ।ଏହି ଓଷାଟି ନିର୍ଜଳ ଭାବେ ନିଷ୍ଠାର ସହ ପାଳନ କରାଯାଏ । ପ୍ରତ୍ୟେକ ବୁଧବାର ଦିନଯାକ ଉପବାସ କରି ରାତିରେ ପୂଜାପରେ ଭୋଗ ଖିଆଯାଏ । ଶିଳ ଏବଂ ଶିଳପୁଆ ଏହାର ଦେବଦେବୀ ଅଟନ୍ତି ।  ପ୍ରଥମେ ଏହି ଶିଳ ଏବଂ ଶିଳପୁଆକୁ ବଟା ଅଁଳା ପାଣି ସହ ଗଙ୍ଗାଜଳରେ ସ୍ନାନ କରାଯାଇ, ହଳଦୀକନା ଓ ସୂତା ଗୁଡ଼ାଇ ନାରୀବେଶ କରାଯାଏ । ମଥାରେ ସିନ୍ଦୂର ଓ ଆଖିରେ କଜ୍ୱଳ ଦିଆଯାଏ । ଗୋପୀନାଥ ଦାସ ଙ୍କ ରଚିତ ପୁସ୍ତକ ପାଠ ପରେ ମହିଳା ମାନେ ବୁଧିବାମନ ଙ୍କୁ ବନ୍ଦାପନା କରିଥାନ୍ତି ଓ ଠାକୁର ଙ୍କ ପାଖରେ ଲାଗି ଫଳ ମୂଳ ଭୋଗ କୁ ପାଇଥାନ୍ତି।ବୁଧିବାମନ ଓଷା ପାଇଁ ସମଗ୍ର ପ୍ରାଚୀ ଉପତ୍ୟକା ର ଗାଁ ଗୁଡିକ ଉତ୍ସବ ମୁଖର ହୋଇଉଠିଛି।

Leave a Reply

Your email address will not be published. Required fields are marked *