ଜି-୨୦ରେ ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ୍ କନେକ୍ଟିଭିଟି କରିଡର ଉନ୍ମୋଚିତ: ଚୀନର ‘ବେଲ୍ଟ ଆଣ୍ଡ୍ ରୋଡ୍’ ପ୍ରକଳ୍ପକୁ ଲାଗିପାରେ ଝଟକା
ନୂଆଦିଲ୍ଲୀ: ଜି-୨୦ ସମ୍ମିଳନୀରେ ୟୁରୋପ, ମଧ୍ୟପ୍ରାଚ୍ୟ ଏବଂ ଭାରତ ଶନିବାର ଏକ ଆଧୁନିକ ‘ସ୍ପାଇସ୍ ରୁଟ୍’ ନିର୍ମାଣ ପାଇଁ ଯୋଜନାର ଉଦଘାଟନ କରିଛନ୍ତି। ଏହି ଯୋଜନା ବ୍ୟାପକ ରାଜନୈତିକ ପ୍ରଭାବ ପକାଇବା ସହିତ ବାଣିଜ୍ୟିକ ସମ୍ପର୍କକୁ ପ୍ରୋତ୍ସାହିତ କରିବ। ଅନ୍ୟ ପକ୍ଷରେ ପ୍ରସ୍ତାବିତ ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ୍ କନେକ୍ଟିଭିଟି କରିଡର ଚୀନର ବହୁଚର୍ଚ୍ଚିତ ‘ବେଲ୍ଟ ଆଣ୍ଡ ରୋଡ୍’ ପ୍ରକଳ୍ପକୁ ଏହା ଝଟକା ଦେଇପାରେ ବୋଲି ଅନ୍ତର୍ଜାତୀୟ ମହଲରେ ଚର୍ଚ୍ଚା ହେଉଛି।
ଆମେରିକା, ସାଉଦି ଆରବ, ୟୁରୋପୀୟ ସଂଘ, ସଂଯୁକ୍ତ ଆରବ ଏମିରେଟ୍ସ ଏବଂ ଅନ୍ୟମାନେ ନୂଆଦିଲ୍ଲୀରେ ଜି-୨୦ ଶିଖର ସମ୍ମିଳନୀ ଅବସରରେ ଏହି ତିନିଟି ଅଞ୍ଚଳର ଡାଟା, ରେଳବାଇ, ବନ୍ଦର, ବିଦ୍ୟୁତ୍ ନେଟୱାର୍କ ଏବଂ ହାଇଡ୍ରୋଜେନ୍ ପାଇପ୍ ଲାଇନ୍ ସଂଯୋଗ କରିବାକୁ ଯୋଜନା ଆରମ୍ଭ କରିଛନ୍ତି। ଏହା ଏକ ବାଣିଜ୍ୟଭିତ୍ତିକ ଯୋଜନା ହୋଇଥିଲେ ମଧ୍ୟ ଏହା ବଡ଼ ଧରଣର ରାଜନୈତିକ ପରିବର୍ତ୍ତନ ଆଣିପାରେ।
ଏହି ଯୋଜନାର ସ୍ୱାକ୍ଷରକାରୀମାନେ ଆଶା ବ୍ୟକ୍ତ କରିଛନ୍ତି ଯେ ଏହା ଭାରତର ୧.୪ ବିଲିୟନ ଜନସଂଖ୍ୟା ବିଶିଷ୍ଟ ବିଶାଳ ବଜାରକୁ ପାଶ୍ଚାତ୍ୟ ଦେଶମାନଙ୍କ ସହିତ ଯୋଡ଼ିବାରେ ସହାୟକ ହେବ, ଚୀନର ବିଶାଳ ଭିତ୍ତିଭୂମି ଖର୍ଚ୍ଚକୁ ସନ୍ତୁଳିତ କରିବ, ମଧ୍ୟପ୍ରାଚ୍ୟ ଅର୍ଥନୀତିକୁ ପ୍ରୋତ୍ସାହିତ କରିବ ଏବଂ ଇସ୍ରାଏଲ ଓ ଆରବ ଉପସାଗରୀୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସମ୍ପର୍କକୁ ସ୍ୱାଭାବିକ କରିବାରେ ସହାୟକ ହେବ। ‘ଏହି ପ୍ରସ୍ତାବିତ ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ ଅର୍ଥନୈତିକ କରିଡର ଏକ ଐତିହାସିକ ଘଟଣା’ ବୋଲି ୟୁରୋପୀୟ ଆୟୋଗର ମୁଖ୍ୟ ଉର୍ସୁଲା ଭନ୍ ଡେର୍ ଲେୟେନ୍ କହିଛନ୍ତି।