ଶିକ୍ଷାନୁଷ୍ଠାନ ମଝିରେ ମଦ ଭାଟି, ଶତାଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପ୍ରଭାବିତ
ଗୋଲାମୁଣ୍ଡା,୧୪|୦୯ : ବିଦ୍ୟାଳୟକୁ ମଣିଷ ତିଆରି କାରଖାନା କୁହାଯାଏ । ଏଠାରେ କୋମଳମତି ଛାତ୍ରର ଉତ୍ତମ ଚରିତ୍ର ଓ ଉଜ୍ଜଳ ଭବିଷ୍ୟତ ଗଠନ କରିବାର ଢାଞ୍ଚା ତିଆରି ହୁଏ । ସେହି ଛାତ୍ରଛାତ୍ରୀ ଏଠାରେ ଶିକ୍ଷା ଲାଭ କରି ନିଜର ଭବିଷ୍ୟତ ଗଢିବା ସହ ଆଗାମୀ ଦିନରେ ଦେଶର ଭବିଷ୍ୟତ ହୋଇ ଛିଡା ହୁଅନ୍ତି । ଏକ ସକାରାତ୍ମକ ପଠନ ପ୍ରକ୍ରିୟା ପାଇଁ ଉତ୍ତମ ଶିକ୍ଷକ ଆଉ ବିଦ୍ୟାଳୟର ଯେତିକି ଭୂମିକା ଥାଏ ତା ଠାରୁ ଅଧିକ ସୁସ୍ଥ ପରିବେଶର ଭୂମିକା ଥାଏ । କିନ୍ତୁ ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ସାନଚେରଗାଁରେ ଏହାର ବିପରୀତ ଚିତ୍ର ଦେଖିବାକୁ ମିଳିଛି । ଉକ୍ତ ଗାଁରେ ଅବସ୍ଥିତ ଥିବା ଦୁଇ ଗୋଟି କଲେଜ ମଝିରେ ଏକ ଦେଶୀ ମଦ ଭାଟି ଥିବାରୁ ତାହା ବାଧକ ସାଜୁଛି ପିଲାଙ୍କ ଭବିଷ୍ୟତ ଉପରେ । ସାନଚେରଗାଁରେ ଅବସ୍ଥିତ ଆଞ୍ଚଳିକ ବସ୍ତରାଣୀ ଯୁକ୍ତଦୁଇ କଲେଜ ଯେଉଁଥିରେ ଉଭୟ କଳା ଓ ବିଜ୍ଞାନର ପାଖାପାଖି ୧୦୨୩ ଛାତ୍ରଛାତ୍ରୀ ଅଧ୍ୟୟନ ରତ । ଅନ୍ୟପଟେ ପାଖାପାଖି ୫୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ଆଉ ଏକ ଯୁକ୍ତ ଦୁଇ ଆବାସିକ ତ୍ରିନାଥ ଉଚ୍ଚ ମହାବିଦ୍ୟାଳୟ ଅବସ୍ଥିତ । ଏଥିରେ ମଧ୍ୟ ସଂଯୁକ୍ତ ଅଛି ନର୍ସରୀ ରୁ ଷ୍ଟାଣ୍ଡାର୍ଡ଼ ୪ ପବ୍ଲିକ ସ୍କୁଲ । ଯେଉଁଥିରେ ପାଖାପାଖି ୯୫ ଜଣ ଛାତ୍ରଛାତ୍ରୀ ରହିଛନ୍ତି । କିନ୍ତୁ ପରିତାପର ବିଷୟ ଏହି ଦୁଇ ବିଦ୍ୟାମନ୍ଦିରର ମଧ୍ୟ ଭାଗରେ ଅବସ୍ଥିତ ଥିବା ଦେଶୀ ମଦ ଭାଟି ଯୋଗୁ ଛାତ୍ରଛାତ୍ରୀଙ୍କ ଉପରେ ଏହାର କୁପ୍ରଭାବ ପଡିବା ସହ ସମ୍ପୂର୍ଣ୍ଣ ଅଂଚଳର ବାତାବରଣ କଳୁଷିତ ହେଉଛି । ରାସ୍ତା କଡରେ, ଦୁଇ ଶିକ୍ଷା ଅନୁଷ୍ଠାନ ମଧ୍ୟରେ ମଦ ଭାଟି ଥିବା ଯୋଗୁ ମଦ୍ୟପ ମାନଙ୍କ ବେପାରୁଆ ଯାନ ବାହାନ ଚାଳନା ଯୋଗୁ ଅତୀତରେ ଏଠାରେ ଅନେକ ଦୁର୍ଘଟଣା ଘଟିଥିବାର ମଧ୍ୟ ନଜିର ଅଛି । ଛାତ୍ରଛାତ୍ରୀ ମାନେ ଯାତାୟାତ କରିବା ସମୟରେ ନିଜକୁ ଅସୁରକ୍ଷିତ ମଧ୍ୟ ମଣୁଛନ୍ତି । ଗରିବ ଖଟିଖିଆ, ଦିନ ମଜୁରିଆ ମାନେ ଦିନ ତମାମ କାମ କରି ପରିବାର ପ୍ରତିପୋଷଣ କରିବା ବଦଳରେ ହାତ ପାହାନ୍ତା ରେ ମଦ ଭାଟି ଥିବାରୁ ସଂନ୍ଧ୍ୟାରେ ମଦ ଭାଟିରେ କଷ୍ଟ ଉପାର୍ଜିତ ପଇସାକୁ ଖର୍ଚ୍ଚ କରିଦେଉଛନ୍ତି । ଏହି ମଦ ଭାଟି ଯୋଗୁ ପରିବାରରେ ସବୁବେଳେ ଅଶାନ୍ତିର ବାତାବରଣ ଦେଖିବାକୁ ମିଳୁଛି । ଅଞ୍ଚଳବାସୀ ମଦଭାଟି ଉଚ୍ଛେଦ ପାଇଁ ଅବକାରୀ ବିଭାଗ ଏବଂ ପ୍ରଶାସନଙ୍କୁ ବହୁବାର ଅଭିଯୋଗ କଲାପରେ ମଧ୍ୟ ଏପର୍ଯ୍ୟନ୍ତ ପ୍ରଶାସନ ତରଫରୁ ଉପଯୁକ୍ତ ପଦକ୍ଷେପ ନିଆଯାଇ ନାହିଁ । ଏପରି ବହୁ ବାର ଅଭିଯୋଗ କଲାପରେ ମଧ୍ୟ ଲୋକଙ୍କ ସମସ୍ୟା ଦୂର ହେଉନଥିବାରୁ ସ୍ଥାନୀୟ ଜନସାଧାରଣ ତଥା ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିବା ସହ ଏହି ସମସ୍ୟାର ନିରାକରଣ ପାଇଁ ଜିଲ୍ଲା ପ୍ରଶାସନର ସ୍ୱତନ୍ତ୍ର ପଦକ୍ଷେପ ପାଇଁ ଦାବି ହେଉଛି ।