ରାଜ୍ୟ

ପ୍ରତିଶ୍ରୁତି ପାଳନ କରିପାରି ନାହିଁ ପ୍ରଶାସନ

ଗୋଲାମୁଣ୍ଡା, ୧୬/୦୯ : ପୋଲିସ ପ୍ରଶାସନ ଯାହା ଘୋଷଣା କରିଥିଲା ତାହା ପାଳନ କଲା ନାହିଁ | ଦେଶ ମାତୃକା ପାଇଁ ବଳିଦାନ ଦେଇ ମାଟି ମାଁ କୁ ଗୌରବାନ୍ୱିତ କରିଥିବା ସହିଦ ବିଜେନ୍ଦ୍ରନାଥଙ୍କ ସ୍ମାରକୀର ସୌନ୍ଦର୍ଯ୍ୟ କରଣର ପ୍ରତିଶୃତି ଦେଇ ଭୁଲିଗଲା ପୋଲିସ ପ୍ରଶାସନ | କେବଳ ଯେ ପୋଲିସ ପ୍ରଶାସନ ନୁହଁ ମାଲମାଲ ରାଜନେତାଙ୍କ ପ୍ରତିଶୃତି ମଧ୍ୟ ଆଜି ପର୍ଯ୍ୟନ୍ତ ପାଣିରଗାର ହୋଇ ରହିଗଲା | ଏଠାରେ ପ୍ରକାଶ ଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଗୋଲାମୁଣ୍ଡା ବ୍ଲକ ବୃନ୍ଦାବାହାଲ ଗ୍ରାମର ୰ ଆଲ୍ଲାଦିନି ରାଉତ ଓ ପତିତ କୁମାର ରାଉତଙ୍କ ଏକମାତ୍ର ପୁତ୍ର ବିଜେନ୍ଦ୍ରନାଥ ଓ.ଏସ୍.ଏ.ପି ରେ ୨୦୦୭ ମସିହାରେ ଯୋଗଦାନ ଦେଇ ଜନ୍ମଭୂମିର ସୁରକ୍ଷାରେ ନିଜକୁ ନିୟୋଜିତ କରିଥିଲେ | କର୍ମ କ୍ଷେତ୍ରରେ ନିପୁଣତା ପାଇଁ ଦୁଇବର୍ଷ କାଳ ସମ୍ବଲପୁର ଠାରେ ପ୍ରଶିକ୍ଷଣ ପ୍ରାପ୍ତ କରି ତଥା ଭୁବନେଶ୍ୱରର ଚନ୍ଦକା ଠାରେ ଅନୁଷ୍ଠିତ ସ୍ୱତନ୍ତ୍ର ପଦବୀ ପାଇଁ ପ୍ରଶିକ୍ଷିତ ହୋଇଥିଲେ । ଏହାପରେ ପାରଲେଖିମୁଣ୍ଡି ଠାରେ ପ୍ରଥମ କରି ଜଣେ ଦକ୍ଷ ଏସ୍.ଓ.ଜି ଜବାନର ଦାୟିତ୍ୱ ନିର୍ବାହ କରିଥିଲେ ଏବଂ ପରେ ପରେ ସେହି ସ୍ୱତନ୍ତ୍ର ପାହ୍ୟା ଏସ୍.ଓ.ଜି ସହିତ କୋରାପୁଟ ଜିଲ୍ଳା ଅନ୍ତର୍ଗତ ନାରାୟଣପାଟଣା ଠାରେ ଯୋଗଦାନ ଦେଇ ନିଜ ଦାୟିତ୍ୱ ସମ୍ପାଦନ କରୁଥିଲେ | ତେବେ ଜନ୍ମଭୂମିର ମାୟାରେ ଛନ୍ଦିହୋଇ ନିଜ ଜୀବନକୁ ବାଜି ଲଗାଇ ନାରାୟଣପାଟଣା ରେ ନକ୍ସଲ ବିରୋଧୀ ଗ୍ରୀନହଣ୍ଟ ଅପରେସନରେ ତତ୍ପର ଥିବା ସମୟରେ ୦୪.୦୪.୨୦୧୦ ତାରିଖରେ ମାଓବାଦୀଙ୍କ ଦ୍ୱାରା ବିଛାଯାଇଥିବା ଲ୍ୟାଣ୍ଡମାଇନ ଦୁର୍ଘଟଣାରେ ସହିଦ ହୋଇଥିଲେ | ଏପରିଭାବେ ଏକାଧାରାରେ ଜଣେ ଖେଳାଳି, କବି ଓ ନାଟ୍ୟକାର ତଥା ପିତାମାତାଙ୍କ ଏକମାତ୍ର ଅନ୍ଧାର ଲଉଡ଼ିର ଜୀବନଦୀପ ଲିଭିଗଲା | ହେଲେ ବିଡ଼ମ୍ବନାର ବିଷୟ ଦେଶ ମାତୃକା ପାଇଁ ବଳିଦାନ ଦେଇ ମାଟି ପାଇଁ ଗୌରବ ଆଣିଥିବା ସହିଦ ବିଜେନ୍ଦ୍ରନାଥଙ୍କ ପ୍ରତି ତାଙ୍କ ନିଜ ପୋଲିସ ବିଭାଗ ତତ୍ପରତା ଦେଖାଇବାରେ କୃଣ୍ଠାବୋଧ ପ୍ରକାଶ କରୁଥିବାର ଅଭିଯୋଗ କରିଛନ୍ତି ସହିଦ ପରିବାର । ନିଜ ଗ୍ରାମ ବୃନ୍ଦାବାହାଲ ଛକ ପାଖରେ ଅବହେଳିତ ଅବସ୍ଥାରେ ଥିବା ସହିଦଙ୍କ ପ୍ରତିମୂର୍ତ୍ତି ତଥା ସ୍ମାରକୀ ସ୍ଥଳୀର ଉନ୍ନତି କରଣ ପାଇଁ ପୋଲିସ ବିଭାଗ ତରଫରୁ ମିଳିଥିବା ପ୍ରତିଶ୍ରୁତି ପୂରଣ ହେଉନଥିବାରୁ ସହିଦଙ୍କ ପରିବାର ତଥା ଅଞ୍ଚଳବାସୀଙ୍କ ମହଲରେ ଅସନ୍ତୋଷ ଦେଖିବାକୁ ମିଳୁଛି । ପୋଲିସ ପ୍ରଶାସନ ପକ୍ଷରୁ ସହିଦ ବିଜେନ୍ଦ୍ରନାଥଙ୍କ ସ୍ମାରକୀ ନିକଟରେ ପ୍ରତିବର୍ଷ ସ୍ୱାଧୀନତା ଦିବସ, ଗଣତନ୍ତ୍ର ଦିବସ ଓ ସହିଦ ଦିବସ ଆଦି ପାଳନ କରାଯାଏ । ଉକ୍ତ କାର୍ଯ୍ୟକ୍ରମ ମାନଙ୍କରେ ପୋଲିସ ବିଭାଗର ବଡ଼ ବଡ଼ କର୍ମଚାରୀ ଏବଂ ଅନେକ ନେତା ମନ୍ତ୍ରୀ ଉପସ୍ଥିତ ମଧ୍ୟ ରୁହନ୍ତି । ଏହା ସହ ସହିଦଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ତ୍ରିରଙ୍ଗା ପତାକା ତଳେ ଛିଡା ହୋଇ ସହିଦଙ୍କ ଗୁଣଗାନ କରି ସ୍ମାରକୀ ସ୍ଥଳୀର ଉନ୍ନତି କରଣ ପାଇଁ ପ୍ରତିବର୍ଷ ପ୍ରତିଶୃତି ଦିଅନ୍ତି । କିନ୍ତୁ ଏଯାବତ ନିଜେ ଦେଇଥିବା ପ୍ରତିଶ୍ରୁତି କୁ ନିଜେ ପୂରଣ କରି ନଥିବା କହି ସହିଦଙ୍କ ପରିବାର ବର୍ଗ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ବିଜେନ୍ଦ୍ରନାଥଙ୍କ ସ୍ମାରକୀ ସ୍ଥଳୀର ଶୀଘ୍ର ଉନ୍ନତିକରଣ ତଥା ସୌନ୍ଦର୍ଯ୍ୟ କରଣ କଲେ ତାହା ସହିଦଙ୍କ ପ୍ରତି ଉଚିତ ଶ୍ରଦ୍ଧାଞ୍ଜଳି ହେବ ବୋଲି ସହିଦଙ୍କ ପରିବାର ବର୍ଗ ଉଦବେଗ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *