ବ୍ରହ୍ମପୁର ଆଇଟିଆଇର ଭିନ୍ନ ପ୍ରୟାସ, ନିଆରା ଢଙ୍ଗରେ ପାଳିବେ ବିଶ୍ବକର୍ମା ପୂଜା, ପୂଜା ମଣ୍ଡପରେ ଶୋଭା ପାଇବ ସ୍କ୍ରାପ ନିର୍ମିତ ଦଶାବତାର ପ୍ରତିକୃତି
*ବ୍ରହ୍ମପୁର(ଚିନ୍ମୟୀ ପାଣିଗ୍ରାହୀ )* ଆସନ୍ତା ରବିବାର ଦିନ ଦେବଶିଳ୍ପୀ ବିଶ୍ବକର୍ମାଙ୍କ ପୂଜା ଅନୁଷ୍ଠିତ ହେବ। ଏଥିପାଇଁ ବ୍ରହ୍ମପୁର ଶିଳ୍ପ ତାଲିମ ଅନୁଷ୍ଠାନ ପକ୍ଷରୁ ପ୍ରସ୍ତୁତି ଚାଲିଛି। ତେବେ ଏଥର ନିଆରା ଢଙ୍ଗରେ ଏହି ପର୍ବକୁ ପାଳନ କରିବା ପାଇଁ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ପ୍ରୟାସ ଜାରି ରଖିଛନ୍ତି। ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଅନୁଷ୍ଠାନ ର ପ୍ରଶିକ୍ଷକଙ୍କ ତତ୍ତ୍ବାବଧାନରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ବିଶ୍ବକର୍ମାଙ୍କ ଏକ ସୁଦୃଶ୍ୟ ମୃଣ୍ମୟ ମୂର୍ତ୍ତି ଗଢ଼ାଯାଇଛି। ଏଥିସହ ଅଧ୍ୟକ୍ଷଙ୍କ ପରାମର୍ଶ କ୍ରମେ ଏଭଳି ଏକ ବିଶେଷ ଦିନରେ ନିଜ ଦକ୍ଷତାର ପରିପ୍ରକାଶ ପାଇଁ ପୂଜାମଣ୍ଡପରେ ଶ୍ରୀବିଷ୍ଣୁଙ୍କ ଦଶ ଅବତାରଙ୍କ ପ୍ରତିକୃତି ସ୍ଥାନିତ କରାଯିବ। ଏହି ସବୁ ପ୍ରତିକୃତି ବିଭିନ୍ନ ପ୍ରକାର ସ୍କ୍ରାପ୍ରେ ପ୍ରସ୍ତୁତି ଚାଲିଛି, ଯାହାକି ଶେଷ ପର୍ଯ୍ୟାୟରେ ପହଁଚିଛି। ମତ୍ସ୍ୟାବତାର, କଚ୍ଛପ ଅବତାର, ବରାହ ଅବତାର, ନୃସିଂହ ଅବତାର, ବାମନ ଅବତାର, ଶ୍ରୀରାମ ଓ ଶ୍ରୀକୃଷ୍ଣ ଆଦିଙ୍କ ସ୍କ୍ରାପ୍ରେ ପ୍ରସ୍ତୁତ ପ୍ରତିକୃତି ବେଶ୍ ଆକର୍ଷକ ହୋଇଛି। ଏସବୁ ପ୍ରତିକୃତିରେ ରଙ୍ଗ ତୂଳୀରେ କାମ ବାକି ରହିଛି। ପୂଜାମଣ୍ଡପରେ ଦେବଶିଳ୍ପୀଙ୍କ ସହ ପାର୍ଶ୍ବ ଦେବଦେବୀ ଭାବେ ଶ୍ରୀବିଷ୍ଣୁଙ୍କ ଏହି ଦଶାବତାର ପ୍ରତିକୃତି ଶୋଭା ପାଇବ। ବିଭିନ୍ନ ଟ୍ରେଡ୍ର ଶତାଧିକ ଛାତ୍ରଛାତ୍ରୀ ବେଶ୍ ଉତ୍ସାହର ସହ ପ୍ରସ୍ତୁତିରେ ନିୟୋଜିତ ହୋଇଛନ୍ତି।
ସ୍କ୍ରାପ୍ରେ ବିଭିନ୍ନ କଳାକୃତି ପ୍ରସ୍ତୁତ କରି ସାରା ଦେଶରେ ଦକ୍ଷତା ବିକାଶ କ୍ଷେତ୍ରରେ ବ୍ରହ୍ମପୁର ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ (ଆଇଟିଆଇ) ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ପାଇଁ ବିଭିନ୍ନ ସମୟରେ ନାନା ପ୍ରକାରର ସ୍କ୍ରାପ୍ କଳାକୃତି ପ୍ରସ୍ତୁତ କରାଯାଇଛି। ଯାହାକି ଏହି ଶିଳ୍ପ ତାଲିମ ଅନୁଷ୍ଠାନର ସମ୍ମୁଖ ଭାଗ ଖେଳପଡ଼ିଆ ଚତୁଃପାର୍ଶ୍ବରେ ସ୍ଥାପନ ହୋଇ ଏହାର ଶୋଭାବର୍ଦ୍ଧନ କରୁଛି। ଏପରିକି ଏହା ଏସିଆରର ସର୍ବବୃହତ୍ ସ୍କ୍ରାପ୍ କଳାକୃତି ମ୍ୟୁଜିୟମ୍ର ମାନ୍ୟତା ହାସଲ କରିଛି। ଏବେ ଦେବଶିଳ୍ପୀଙ୍କ ପୂଜାକୁ ଏକ ଅବସରରେ ପରିଣତ କରି ଛାତ୍ରଛାତ୍ରୀମାନେ କିଭଳି ନିଜର ଦକ୍ଷତା ବିକାଶ କରିବା ସହ ଏହାକୁ ପ୍ରଦର୍ଶିତ କରିପାରିବେ, ସେଥିପାଇଁ ଅନୁଷ୍ଠାନର ଅଧ୍ୟକ୍ଷ ଡ.ରଜତ କୁମାର ପାଣିଗ୍ରାହୀ ମାର୍ଗଦର୍ଶନ କରିଛନ୍ତି। ତାଙ୍କ କହିବା ମୁତାବକ, ସେ ଆନ୍ଧ୍ରର ତିରୁପତିରେ ଥିବା ଦଶବାତାର କାଳକୃତିର ଭିଡିଓକୁ ଦେଖି ପ୍ରଭାବିତ ହୋଇଥିଲେ। ଅବିକଳ ସେଭଳି ପ୍ରତିକୃତି ଗଢ଼ିବାକୁ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିଥିଲେ। ବିଭିନ୍ନ ଅଟୋମୋବାଇଲ୍ ସ୍କ୍ରାପ୍କୁ ନେଇ ସେମାନେ ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି। ଏହାଦ୍ବାରା ଛାତ୍ରଛାତ୍ରୀମାନେ କମ୍ ସମୟରେ ଅଧିକ ପ୍ରାକ୍ଟିକାଲ୍ ଜ୍ଞାନ ଆହରଣ କରିପାରୁଛନ୍ତି। ଏଥିସହ ନଷ୍ଟରୁ ଶ୍ରେଷ୍ଠ ପ୍ରସ୍ତୁତ କରିବାର କଳାକୁ ଆୟତ କରିବାରେ ଏହା ସକ୍ଷମ ହେଉଛି। ଚେନ୍ କ୍ରାଙ୍କ, ଲୁହା ପାତିଆ ଆଦି ସ୍କ୍ରାପ୍କୁ ବ୍ୟବହାର କରି ଶ୍ରୀବିଷ୍ଣୁଙ୍କ ଦଶାବତାର ପ୍ରତିକୃତି ନିର୍ମାଣ କରିଛନ୍ତି। ଏସବୁକୁ ଚୂଡ଼ାନ୍ତ ରୂପ ଦେବା ବାକି ରହିଛି।