ରାଜ୍ୟ

ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସରେ ଅନୁଗୋଳର ରେଙ୍ଗାଲି ଏବଂ ବାମୁର ଠାରେ ‘ବିକାଶ ଫାଉଣ୍ଡେସନ ଟ୍ରଷ୍ଟ’ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ

ଜନସାଧାରଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ଡାକ୍ତରଙ୍କ ପରାମର୍ଶ ଅନୁସାରେ ନିଃଶୁଳ୍କ ଔଷଧ ବିତରଣ

  • ଉପକୃତ ହେଲେ ହଜାର ହଜାର ସ୍ଥାନୀୟ ଜନସାଧାରଣ

ଅନୁଗୋଳ, ୧୭ ସେପ୍ଟେମ୍ବର – ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦା ଲୋକକଲ୍ୟାଣ ଏବଂ ଜନସେବାକୁ ଗୁରୁତ୍ୱ ଦେଇ ଆସିଛନ୍ତି । ସବୁବେଳେ ଲୋକଙ୍କ ସେବା କରିବା ପାଇଁ ତତ୍ପର ରହୁଥିବା ପ୍ରଧାନମନ୍ତ୍ରୀ ସେବାକୁ ଜନଆନ୍ଦୋଳନରେ ପରିଣତ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଯଶସ୍ୱୀ ଜନନେତା ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସରୁ ଆରମ୍ଭ ହୋଇଥିବା ‘ସେବା ପକ୍ଷ’ କାର୍ଯ୍ୟକ୍ରମ ଅନ୍ତର୍ଗତ ବିକାଶ ଫାଉଣ୍ଡେସନ ଟ୍ରଷ୍ଟ୍ ପକ୍ଷରୁ ଅନୁଗୋଳ, ଢେଙ୍କାନାଳ, ସମ୍ବଲପୁର ଓ ଦେବଗଡ ଜିଲ୍ଲାରେ ବିଶାଳ ସ୍ୱାସ୍ଥ୍ୟସେବା ଶିବିରର ଆୟୋଜନ କରା ଯାଇଅଛି ।

ଆଜି ପ୍ରଥମ ପର୍ଯ୍ୟାୟରେ ଅନୁଗୋଳ ଜିଲ୍ଲାର କଣିହାଁ ବ୍ଲକ ରେଙ୍ଗାଲି ଏବଂ କିଶୋରନଗର ବ୍ଲକ ବାମୁର ଠାରେ ଆୟୋଜିତ ଏହି ଶିବିରରେ ସ୍ଥାନୀୟ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ଡାକ୍ତରଙ୍କ ଉପଯୁକ୍ତ ପରାମର୍ଶ ଅନୁସାରେ ସେମାନଙ୍କୁ ନିଃଶୁଳ୍କ ଔଷଧ ବିତରଣ କରାଯାଇଥିଲା । ବିଶେଷଜ୍ଞ ଡାକ୍ତରମାନେ ଏହି ଶିବିରରେ ଯୋଗଦେଇ ଲୋକ ମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାବୁଝିବା ସହ ସ୍ୱାସ୍ଥ୍ୟ ସମ୍ବର୍ଦ୍ଧିତ ପରାମର୍ଶ ପ୍ରଦାନ କରିଛନ୍ତି । ସ୍ଥାନୀୟ ଅଂଚଳର ହଜାର ହଜାର ଲୋକମାନେ ଆସି ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ସହ ଏହାର ଲାଭ ନେଇଛନ୍ତି । ଲୋକମାନେ ନିଜ ଘର ପାଖରେ ସ୍ୱାସ୍ଥ୍ୟ ସେବା ଓ ମାଗଣା ଔଷଧ ପାଇ ବେଶ ଖୁସି ହେବା ସହିତ ବିକାଶ ଫାଉଣ୍ଡେସନର ଏଭଳି କାର୍ଯ୍ୟକୁ ସାଧୁବାଦ ଜଣାଇଛନ୍ତି ।

୧୭ ସେପ୍ଟେମ୍ବରରୁ ଆରମ୍ଭ ହୋଇଥିବା ଏହି ସ୍ୱାସ୍ଥ୍ୟ ଶିବିର ଆସନ୍ତା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଢେଙ୍କାନାଳ, ଅନୁଗୋଳ, ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାର ୨୫ଟି ସ୍ଥାନରେ ଆୟୋଜନ କରାଯାଇ ୫୦,୦୦୦ରୁ ଉର୍ଦ୍ଧ୍ୱ ଜନସାଧାରଣଙ୍କୁ ଲାଭ ହେବାର ଲକ୍ଷ୍ୟ ରଖାଯାଇଛି । ଏହି ଶିବିରରେ ସ୍ୱାସ୍ଥ୍ୟ ପରୀକ୍ଷା, ରୋଗ ନିରୁପଣ, ନିଦାନ ପରୀକ୍ଷା ସହ ଔଷଧ ବିତରଣ ମଧ୍ୟ କରାଯାଉଛି । ସମସ୍ତ ସେବା ସଂପୂର୍ଣ୍ଣ ନିଶୁଳ୍କ ଯୋଗାଇ ଦିଆଯାଉଛି । ବିଭିନ୍ନ ବିଭାଗର ୨୫ରୁ ଉର୍ଦ୍ଧ୍ୱ ଅଭିଜ୍ଞ ଡାକ୍ତର, ୫୦ରୁ ଉର୍ଦ୍ଧ୍ୱ ସେବିକା ଓ ସ୍ୱାସ୍ଥ୍ୟକର୍ମୀ ତଥା ୭୦୦ ସ୍ୱେଚ୍ଛାସେବୀ ଏହି ଶିବିରକୁ ସଫଳ କରିବା ପାଇଁ ଅଂଶଗ୍ରହଣ କରିଛନ୍ତି । ଆଗାମୀ ଦିନ ମାନଙ୍କରେ ଏହି ଅଞ୍ଚଳର ସାମାଜିକ, ସାଂସ୍କୃତିକ ତଥା ଅର୍ଥନୈତିକ ବିକାଶ ପାଇଁ ବିକାଶ ଫାଉଣ୍ଡେସନ ଟ୍ରଷ୍ଟ ନିଜର ଅଭିଯାନ ଜାରୀ ରଖିବ ।


Leave a Reply

Your email address will not be published. Required fields are marked *