ମରିଗଲା ମାନବିକତା l ୫୦୦ ଟଙ୍କା ପାଇଁ ଉଠୁନି ଗାଈର ମୃତଦେହ। ଛତ୍ରପୁର ଏନ୍ଏସି ଏବଂ ପ୍ରାଣୀ ଚିକିତ୍ସା ବିଭାଗ ଭିତରେ ଲାଗିଛି ଝଗଡ଼ା l
ଗଞ୍ଜାମ ଜିଲା ଛତ୍ରପୁରରେ ଏପରି ଘଟଣା ଦେଖିବାକୁ ମିଳିଛି। ଗତ ୧୩ ତାରିଖରେ ରାସ୍ତାରେ ଗୋଟିଏ ଗାଈ ଦୁର୍ଘଟଣାର ଶିକାର ହୋଇଥିଲା। ବଜରଙ୍ଗ ଦଳ କର୍ମୀମାନେ ତାକୁ ପ୍ରାଣୀ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ୧୪ ତାରିଖ ଅପରାହ୍ନରେ ଚିକିତ୍ସାଧୀନ ଗାଈଟି ମରି ଯାଇଥିଲା। ଏହାକୁ ସ୍ଥାନାନ୍ତର କରିବା ନେଇ ଛତ୍ରପୁର ଉପଖଣ୍ଡ ପ୍ରାଣୀ ଚିକିତ୍ସା ଉପନିର୍ଦ୍ଦେଶକ ଡା. ପତିତପାବନ ରଥ ଶନିବାର ଏନ୍ଏସି ନିର୍ବାହୀ ଅଧିକାରୀଙ୍କୁ ଚିଠି ଯୋଗେ ଜଣାଇଥିଲେ। ତେବେ ଉତ୍ତରରେ ୫୦୦ ଟଙ୍କା ଜମା କଲେ ମଲା ଗାଈ ଉଠାଯିବ ବୋଲି ନିର୍ବାହୀ ଅଧିକାରୀ ସମ୍ବିତ ସଂଗ୍ରାମଜିତ୍ ସାହୁ ଆଉ ଏକ ଚିଠି କରି ଉପନିର୍ଦ୍ଦେଶକଙ୍କୁ ଜଣାଇଥିଲେ। ପୂର୍ବରୁ ଉପନିର୍ଦ୍ଦେଶକ ନିର୍ବାହୀ ଅଧିକାରୀଙ୍କୁ ମୌଖିକ ଭାବେ ଜଣାଇବା ସହ ଟୁଇଟ୍ କରିଥିଲେ। ନିର୍ବାହୀ ଅଧିକାରୀ ମଧ୍ୟ ଟୁଇଟ୍ ଯୋଗେ ଉତ୍ତର ରଖୁଥିଲେ। ଏଭଳି ପରିସ୍ଥିତିରେ ମଲା ଗାଈଟି ପଡ଼ି ରହିଛି। ଡା. ରଥଙ୍କ କହିବା କଥା ଆଗରୁ ଚିକିତ୍ସାଳୟରେ ଗାଈ ମରୁଥିଲେ ଏନ୍ଏସି ଉଠାଉଥିଲା। ବର୍ତ୍ତମାନ ଟଙ୍କା ମାଗୁଛନ୍ତି। ଏ ନେଇ ବିଭାଗର ବ୍ୟୟବରାଦ ନାହିଁ, ଆମେ କିପରି ଜମା କରିବୁ।