ରାଜ୍ୟ ସ୍ତରୀୟ ହ୍ୟାଣ୍ଡବଲ ପ୍ରତିଯୋଗିତାରେ ଗଂଜାମ ମହିଳା ଦଳ ରନର୍ସଅପ୍
କୁକୁଡାଖଣ୍ଡି (ଇପିଲି ପୂର୍ଣ୍ଣଚନ୍ଦ୍ର) ଚଳିତ ମାସ ୧୬,୧୭ ତାରିଖ ଦୁଇଦିନ ଧରି ଜଗତସିଂହପୁର ଜିଲ୍ଲା ଠାରେ ଆୟୋଜିତ ହୋଇଥିବା ମହିଳା ଆନ୍ତଃଜିଲ୍ଲା ହ୍ୟାଣ୍ଡବଲ ପ୍ରତିଯୋଗିତାରେ ଗଞ୍ଜାମ ଦଳ ରନର୍ସଅପ୍ ହୋଇଛି ।ଏହି ପ୍ରତିଯୋଗିତାର ଲିଗ୍ ପର୍ଯ୍ୟାୟରେ ଗଂଜାମ ଦଳ ନବରଙ୍ଗପୁର ଓ ଦେଓଗଡ଼ କୁ ପରାସ୍ତ କରି ସେମିଫାଇନାଲକୁ ପ୍ରବେଶ କରିଥିଲା । ସେମିଫାନାଲରେ କେନ୍ଦୁଝର ଦଳକୁ ୧୬-୧୧ ଗୋଲ ବ୍ୟବଧାନରେ ପରାସ୍ତ କରି ଗଞ୍ଜାମ ଦଳ ବିଜୟୀ ଲାଭ କରିବା ସହ ଫାଇନାଲକୁ ପ୍ରବେଶ କରିଥିଲା।ଫାଇନାଲ୍ ପ୍ରତିଯୋଗିତାରେ ଯାଜପୁର ଦଳ ଠାରୁ (୮-୧୩)ଗୋଲ ବ୍ୟବଧାନରେ ପରାସ୍ତ ହୋଇ ଗଞ୍ଜାମ ଦଳ ରନର୍ସଅପ୍ ହୋଇଛି। ଗଞ୍ଜାମ ଦଳର ବର୍ଷା ସେଠି ଉନ୍ନତ ଖେଳ ପ୍ରଦର୍ଶନ କରିଥିବାରୁ ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଣ୍ଟ ଟ୍ରଫି ହାତେଇବାରେ ସଫଳ ହୋଇଛନ୍ତି। ଗଂଜାମ ମହିଳା ଦଳର ଏହି ସଫଳତା ପାଇଁ ଟିମର ସମସ୍ତ ପ୍ରତିଯୋଗୀଙ୍କୁ ଗଂଜାମ ହ୍ୟାଣ୍ଡବଲ ସଂଘର ସଭାପତି ତଥା ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା,ସମ୍ପାଦକ ସୁରେଶ ଚନ୍ଦ୍ର ପାଢ଼ୀ,କାର୍ଯ୍ୟକାରୀ ସଭାପତି ଅଶୋକ କୁମାର ଶୁକ୍ଳା,ସାଙ୍ଗଠନିକ ସମ୍ପାଦକ ଶକ୍ତିଧର ରାଜଗୁରୁ, କୋଷାଧ୍ୟକ୍ଷ ଡାକ୍ତର ସିଏଚ୍. ମନୋଜ କୁମାର ପାତ୍ର ଓ ଏନ୍ଆଇଏସ୍ କୋଚ୍ ପ୍ରଶାନ୍ତ କୁମାର ରଥ ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି। ବ୍ରହ୍ମପୁର ଖଲ୍ଲିକୋଟ କଲେଜ ଖେଳ ପଡ଼ିଆ ଠାରେ ଏନ୍ଆଇଏସ୍ କୋଚ୍ ପ୍ରଶାନ୍ତ କୁମାର ରଥଙ୍କ ଠାରୁ ଗଞ୍ଜାମ ଦଳ ପ୍ରଶିକ୍ଷଣ ନେଇ କଠିନ ପରିଶ୍ରମ କରି ନିୟମିତ ସଫଳତା ହାସଲ କରିଆସୁଛନ୍ତି।