ସାମାନ୍ୟ ବର୍ଷାରେ କୃତ୍ରିମ ହ୍ରଦ ଜଳବନ୍ଦୀରେ ଗ୍ରାମବାସୀ*
ଜେନାପୁର(ପି.ଏନ୍): ଧର୍ମଶାଳା ବ୍ଲକ ଅନ୍ତର୍ଗତ ମଧୁସୂଦନପୁର ଗ୍ରାମ ପଞ୍ଚାୟତର ବଳଭଦ୍ରପୁର ଗ୍ରାମର ୯ ନମ୍ବର ୱାର୍ଡ ଟି ସାମାନ୍ୟ ବର୍ଷାରେ ଜଳମଗ୍ନ ରହିଥିବା ଦେଖିବାକୁ ମିଳିଛି। ଗ୍ରାମବାସୀଙ୍କ କହିବା ମୁତାବକ ପ୍ରତିବର୍ଷ ବର୍ଷା ଋତୁରେ ସେମାନେ ଏକ ପ୍ରକାର ଜଳବନ୍ଦୀ ଜୀବନ ଜାପନ କରୁଛନ୍ତି। ଏହି ଜଳବନ୍ଦୀର ମୁଖ୍ୟ କାରଣ ହେଉଛି ଡ୍ରେନେଜ୍ ବ୍ୟବସ୍ଥା ହୋଇଥିବା ବେଳେ କୌଣସି ଜନପ୍ରତିନିଧି କିମ୍ବା ପ୍ରଶାସନ ପକ୍ଷରୁ ପାଣି ନିଷ୍କାସନର କୌଣସି ବ୍ୟବସ୍ଥା ଗ୍ରହଣ କରାଯାଉ ନାହିଁ। ବର୍ଷା ଋତୁ ଆରମ୍ଭ ରୁ ଶେଷ ଯାଏ ପ୍ରାୟ ୪ ମାସ ଧରି ଏହି ସମସ୍ୟା ଭୋଗୁଛନ୍ତି ବୋଲି ଅଭିଯୋଗ କରିଛନ୍ତି। ଗାଁ ଭିତର ରାସ୍ତା କଂକ୍ରିଟ ହୋଇଥିଲେ ମଧ୍ୟ ତାହା ଉପରେ ଆଣ୍ଠୁଏ ଆଣ୍ଠୁଏ ପାଣିରେ ଲହଡ଼ି ଖେଳୁଥିବାର ଦେଖିବାକୁ ମିଳିଛି। ପରିସ୍ଥିତି ଏମିତି ହୋଇଛି ପାନୀୟ ଜଳଯୋଗାଣ ପାଇଁ ବସା ଯାଇଥିବା ସରକାରୀ ଟ୍ୟାପ୍ ମଧ୍ୟ ପାଣି ଘେରରେ ରହିଛି। ମହିଳା ମାନେ ପିଇବା ପାଣି ଆଣିବାକୁ ଆଣ୍ଠୁଏ ପାଣିରେ ପଶି ଯିବାକୁ ପଡ଼ୁଛି।ଏହି ପାଣି ଭିତରେ ପଶି ଛୋଟ ଛୋଟ ପିଲା ମାନେ ସେହି ୱାର୍ଡରେ ଥିବା ଅଙ୍ଗନୱାଡ଼ି ସେଣ୍ଟର ଓ ପ୍ରାଥମିକ ବିଦ୍ୟାଳୟକୁ ଶିକ୍ଷାଲାଭ ପାଇଁ ଯିବା ଆସିବା କରନ୍ତି। ଏହା ଦ୍ୱାରା ଛୋଟ ଛୋଟ ପିଲାମାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଉଥିବା ସହିତ ଗଛିତ ରହିଥିବା ଏହି ଆବର୍ଜନା ପାଣି ରେ ଯିବା ଆସିବା କରିବା ଦ୍ୱାରା ଗୋଡ଼ ବାଲି ଖାଇବା, କଣ ନଖା,ଗୋଡ଼ କୁଣ୍ଡେଇ ହେବା ଆଦି ଚର୍ମ ରୋଗ ଦେଖା ଦେବା ସହିତ ଅଧିକ ସଂକ୍ରମିତ ହେବାର ସମ୍ଭାବନା ରହିଛି। କିଛି ପରିବାର ନିଜ ଘରକୁ ବଡ଼ ବଡ଼ ପଥର ପକାଇ ଯିବା ଆସିବା କରୁଥିବା ଦେଖିବାକୁ ମିଳିଛି। ଆବର୍ଜନା ପାଣି ଦୁର୍ଗନ୍ଧ ହେଉଥିବା ରୁ ଲୋକ ମାନେ ଘରେ ଭଲରେ ଖାଇ ପିଇ ପାରୁ ନ ଥିବା ବେଳେ ଘରେ ସାପ, ବେଙ୍ଗ ପଶି ଯାଉଛନ୍ତି। ଯାହାକୁ ନେଇ ଲୋକେ ଭୟଭୀତ ହୋଇ ପଡୁଛନ୍ତି। ଏହି ୱାର୍ଡର ପ୍ରବେଶ ପଥ ୮ ନମ୍ବର ୱାର୍ଡ ରେ ମଧ୍ୟ ସାମାନ୍ୟ ବର୍ଷାରେ ପାଣି ଜମି ରହୁଥିବା ଦେଖିବାକୁ ମିଳୁଛି। ପ୍ରଶାସନ ପକ୍ଷରୁ ତୁରନ୍ତ ଏହି ଜ କୁ ନିଷ୍କାସନ କରିବାର ସ୍ଥାୟୀ ସମାଧାନ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।