ପୂଜା ପୁର୍ବରୁ ପୁଲିସକୁ ବଡ ସଫଳତା ; ଆଠ ଜଣିଆ ଲୁଟେରା ଗ୍ଯାଙ୍ଗ ଗିରଫ
ଅନୁଗୁଳ:
ପାର୍ବଣ ଋତୁ ପୂର୍ବରୁ ଅନୁଗୁଳ ପୁଲିସକୁ ବଡ ସଫଳତା ମିଳିଛି । ମାସେ ଭିତରେ ୧୦ ରୁ ଅଧିକ ଲୁଟ ଘଟଣାରେ ସଂପୃକ୍ତ ଥିବା ଆଉ ପୁଲିସର ନିଦ ହଜେଇ ଦେଇଥିବା ଏକ ଲୁଟେରା ଗ୍ୟାଙ୍ଗକୁ ଅନୁଗୁଳ ପୁଲିସ କାବୁ କରିବାରେ ସଫଳ ହୋଇଛି । ସୁଚନା ଅନୁସାରେ ଅଗଷ୍ଟ ମାସରୁ ବର୍ତ୍ତମାନ ଯାଏ ପ୍ରାୟ ୧୦ ଟି ସ୍ଥାନରୁ ମାରଣାସ୍ତ୍ର ଦେଖାଇ ଲୁଟ ଅଭିଯୋଗ ଆସିଥିଲା । ମୁଖ୍ୟତଃ ଫାଇନାନ୍ସ ସଂସ୍ଥାର ଟଙ୍କା ସଂଗ୍ରହ କରୁଥିବା କର୍ମଚାରୀ ମାନେ ଲୁଟେରାଙ୍କ ଟାର୍ଗେଟରେ ରହୁଥିଲେ । ଏହା ସହ ଜଣେ ଗ୍ରାହକ ସେବା କେନ୍ଦ୍ରର ମାଲିକ ଓ ଆଉ ଜଣେ ମେଡ଼ିସିନ ହୋଲସେଲର ଯିଏ କି ଟଙ୍କା ନେଇ ଘରକୁ ଫେରୁଥିଲେ , ଏ ସବୁଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ଲକ୍ଷାଧିକ ଟଙ୍କା ଲୁଟ କରି ନେଇଥିଲେ । ଲଗାତାର ଜିଲ୍ଲାରେ ଏଭଳି ଲୁଟ ଅଭିଯୋଗ ପୁଲିସର ଚିନ୍ତା ବଢ଼ାଇ ଦେଇଥିଲା । ଏଥିପାଇଁ ଦକ୍ଷ ଅଫିସରଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ତଦନ୍ତ କରା ଯାଇଥିଲା । ଯାହାର ନେତୃତ୍ୱ ହେଡ କ୍ୱାଟର ଡି ଏସ ପି ଅକ୍ଷୟ କୁମାର ପଣ୍ଡା ନେଇଥିବା ବେଳେ ଅନୁଗୁଳ ସଦର ଥାନା ଅଧିକାରୀ ଧିରେନ କୁମାର ବେହେରା , ବାଗଡିଆ ଥାନା ଭାରପ୍ରାପ୍ତ ଅଧିକାରୀ ବିପ୍ଳବ କୁମାର ସାହୁ , ଅନୁଗୁଳ ଟାଉନ ଥାନା ଅଧିକାରୀ ଧିରେଶ କୁମାର ଦାସ , ବନ୍ତଳା ଥାନା ଅଧିକାରୀ ସନ୍ତୋଷ କୁମାର ସେଠୀ , ବଅଁରପାଳ ଥାନା ଅଧିକାରୀଣୀ ନିରୁପମା ଜେନା , ଗୋପାଳପ୍ରସାଦ ଥାନା ଅଧିକାରୀ ଦୁଷ୍ମନ୍ତ କୁମାର ସିଂଙ୍କ ସମେତ ଏସ ଆଇ ରାଜେଶ କୁମାର ଶତପଥି , ଏଏସଆଇ ଶେସଦେବ ସାମଲ , କନେଷ୍ଟବଳ ମହେଶନାୟକ , ସୁକେଶ ପ୍ରଧାନ , ଶାନ୍ତି ସ୍ୱରୁପ ସାହୁ ଆଦି ସାମିଲ ଥିଲେ । ଏଥି ଟିମ ତଦନ୍ତ କରି ପ୍ରଥମେ ଘୁଞ୍ଚାପାଳ ଗାଁର ରାହୁଲ ନାଏକକୁ ଧରି ପଚରାଉଚରା କରିଥିଲା । ସେ ସବୁକଥା ମାନିଯିବା ସହ ପୁଲିସ ତଦନ୍ତ ପରେ ମାମଲାରେ ସମ୍ପୃକ୍ତ ୮ ଜଣଙ୍କୁ ଧରିବାରେ ସଫଳ ହୋଇଛି ପୁଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ଅନୁଗୁଳ ଜିଲ୍ଲା ଅନୁଗୁଳ ଥାନା ଘୁଞ୍ଚାପାଳ ଗାଁର ରାହୁଲ ନାଏକ , ସମୟ ନାଏକ , ଛେଣ୍ଡିପଦା ଥାନା ଗୋଳାଗାଡ଼ିଆ ଗାଁର ସିପୁନ ନାଏକ , ଲିପୁନ ନାଏକ , ବନ୍ତଳା ଥାନା କାଲିପଡା ଗାଁର ତନ୍ମୟ ନାଏକ , ବରବେଣିଆ ଗାଁର ସିଧୁ ନାଏକ , ନିଶା ଥାନା ବଡ଼ମହିତଳା ଗାଁର ମଙ୍ଗୁଳୁ ନାଏକ ଓ ଅନୁଗୁଳ ସଦର ଥାନା ରାମବେରେଣି ଗାଁର ଆଦିତ୍ୟ ନାଏକ । ଏମାନଙ୍କ ନିକଟରୁ ୬ ଟି ମୋଟରସାଇକେଲ , ୪୩ ହଜାର ଟଙ୍କା , ମୋବାଇଲ , ଭୁଜାଲି , ଟାଙ୍ଗିଆ ଓ ଆଙ୍ଗୁଠିରେ ଲଗା ଯାଉଥିବା ପଞ୍ଚ ଭଳି ଅସ୍ତ୍ର ଜବତ କରାଯାଇଛି । ଏ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅନୁଗୁଳ ଆଡିସନାଲ ଏସପି ସତ୍ଯଜିତ ମିଶ୍ର ସୁଚନା ଦେଇଛନ୍ତି ।