ଅନୁଗୋଳର ମାଧପୁର ଏବଂ ଢେଙ୍କାନାଳର ଭାଲିଆବୋଲକାଟେଣୀରେ ବିକାଶ ଫାଉଣ୍ଡେସନ ଟ୍ରଷ୍ଟର ‘ମାଗଣା ସ୍ୱାସ୍ଥ୍ୟସେବା ଶିବିର’ ଅନୁଷ୍ଠିତ
ନାଗରିକଙ୍କ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ସହ ଔଷଧ ବିତରଣ
- ସ୍ୱାସ୍ଥ୍ୟସେବା ଶିବିରକୁ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଲେ ସ୍ଥାନୀୟ ଗ୍ରାମବାସୀ
ଅନୁଗୁଳ/ଢେଙ୍କାନାଳ, ୨୦ ସେପ୍ଟେମ୍ବର – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସେବା ସମର୍ପଣ ଅଭିଯାନ ଅନ୍ତର୍ଗତ ସାମାଜିକ ସଂଗଠନ ‘ବିକାଶ ଫାଉଣ୍ଡେସନ ଟ୍ରଷ୍ଟ’ ଦ୍ୱାରା ବୁଧବାର ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ନିର୍ବାଚନମଣ୍ଡଳୀର ମାଧପୁର ଏବଂ ଢେଙ୍କାନାଳ ନିର୍ବାଚନମଣ୍ଡଳୀର ଭାଲିଆବୋଲକାଟେଣୀ ଠାରେ ପୃଥକ ପୃଥକ ମେଗା ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଯାଇଛି ।
ସ୍ୱାସ୍ଥ୍ୟସେବା ଶିବିରରେ ହଜାର ହଜାର ରୋଗୀଙ୍କୁ ଚିକିତ୍ସା ପରାମର୍ଶ ଯୋଗାଇଦେବା ସହ ମାଗଣା ଔଷଧ ବଣ୍ଟନ କରାଯାଇଥିଲା। ଏହି ଶିବିରକୁ ଉକ୍ତ ଅଞ୍ଚଳର ହଜାର ହଜାର ବରିଷ୍ଠ ନାଗରିକ, ମହିଳା ଏବଂ ଜନସାଧାରଣମାନେ ଆସି ଉପସ୍ଥିତ ଡାକ୍ତରଙ୍କ ପରାମର୍ଶ କ୍ରମେ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ । ରୋଗ ନିରୁପଣ, ନିଦାନ ପରୀକ୍ଷା ସହ ଔଷଧ ବିତରଣ ମଧ୍ୟ କରାଯାଇଥିଲା । ବିଭିନ୍ନ ବିଭାଗର ୨୫ରୁ ଉର୍ଦ୍ଧ୍ୱ ଅଭିଜ୍ଞ ଡାକ୍ତର, ୫୦ରୁ ଉର୍ଦ୍ଧ୍ୱ ସେବିକା ଓ ସ୍ୱାସ୍ଥ୍ୟକର୍ମୀ ତଥା ୧୦୦ ସ୍ୱେଚ୍ଛାସେବୀ ଏହି ମାଗଣା ସ୍ୱାସ୍ଥ୍ୟସେବା ଶିବିରରେ ଲୋକ ମାନଙ୍କୁ ସହଯୋଗ କରୁଛନ୍ତି । ଏଭଳି ଆୟୋଜନକୁ ନେଇ ସ୍ଥାନୀୟ ଗ୍ରାମବାସୀମାନେ ପ୍ରଶଂସା କରିବା ସହ ବିକାଶ ଫାଉଣ୍ଡେସନକୁ ଧନ୍ୟବାଦ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସ(୧୭ ସେପ୍ଟେମ୍ବର)ରୁ ଆରମ୍ଭ ହୋଇଥିବା ‘ସେବା ପକ୍ଷ’ କାର୍ଯ୍ୟକ୍ରମ ଅନ୍ତର୍ଗତ ବିକାଶ ଫାଉଣ୍ଡେସନ ଟ୍ରଷ୍ଟର ସ୍ୱାସ୍ଥ୍ୟସେବା ଶିବିର ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଚାଲିବ । ଢେଙ୍କାନାଳ, ଅନୁଗୋଳ, ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାର ୨୫ଟି ସ୍ଥାନରେ ଏହି ଶିବିରର ଆୟୋଜନ କରାଯାଇ ୫୦ ହଜାରରୁ ଉର୍ଦ୍ଧ୍ୱ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବାର ଲକ୍ଷ୍ୟ ରଖାଯାଇଛି ।