ରାଜ୍ୟ

ଆସିକା ବ୍ଳକରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ

ଆସିକା- ୨୨/୦୯ ଆସିକା ବ୍ଳକ ସମ୍ମିଳନୀ କକ୍ଷ ଠାରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକଟି ଆସିକା ବ୍ଲକ ଅଧ୍ୟକ୍ଷ ତ୍ରିବେଣୀ ନାହାକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ବେଳେ ବିଧାୟିକା ପ୍ରତିନିଧି ନଚିକେତା ସ୍ଵାଇଁ, ଉପାଧ୍ୟକ୍ଷା ରେଶ୍ମା ଦୋରା,ସାଂସଦ ପ୍ରତିନିଧି ସତ୍ୟ ନାରାୟଣ ସ୍ବାଇଁ,ବିଡିଓ ଫକୀର ଚରଣ ପରିଡା ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ। ଆସିକା ବ୍ଳକର ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତ ରହି ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।କୃଷି ବିଭାଗ ପକ୍ଷରୁ ଭି ଏଲ ଡବ୍ଳିୟୁ ନିଯୁକ୍ତ ଥିଲେ ମଧ୍ୟ ଚାଷୀ ମାନଙ୍କ ପାଖରେ ନ ପହଞ୍ଚିବା କ୍ଷୋଭର ବିଷୟ ବୋଲି କିଛି ସରପଞ୍ଚ ଅଭିଯୋଗ କରିଥିଲେ। ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଠିକ୍ ସମୟରେ ଖାଉଟି ସାମଗ୍ରୀ ପଞ୍ଚାୟତ କୁ ଆସୁନଥିବା ନେଇ ମଧ୍ୟ ପ୍ରଶ୍ନ କରିଥିଲେ ନିମିନା ସରପଞ୍ଚ ବିଦ୍ୟାନ୍ତ ଚର୍ଚ୍ଚି। ଅକ୍ଟୋବର ମାସରେ ବାତ୍ୟା ଆଶଙ୍କା ଥିବାରୁ କିରୋସିନି ଉଠାଇବା ପାଇଁ ପରାମର୍ଶ ଦେଇଥିଲେ ଯୋଗାଣ ଅଧିକାରୀ। ପଞ୍ଚାୟତ ସ୍ତରରେ ବିଭିନ୍ନ ସମସ୍ୟା ରହିଛି ଏବଂ ସମସ୍ୟା ଗୁଡିକ ଉପରେ ତର୍ଜମା କରି ସମାଧାନ କରାଯିବ ବୋଲି କହିଛନ୍ତି ଅଧ୍ୟକ୍ଷା ତ୍ରିବେଣୀ ନାହାକ।ଜଳ ସେଚନ ପ୍ରକଳ୍ପ ପାଇଁ ଋଣ ଯୋଗାଇବା ନିମନ୍ତେ ସରକାର ବ୍ୟବସ୍ଥା କରିଛନ୍ତି ଏବଂ ଅଧିକାରୀ ମାନଙ୍କ ସହ ଆଲୋଚନା କରି ଏହାର ଲାଭ ଉଠାନ୍ତୁ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି। ଭତ୍ତା ବଣ୍ଟନ ନିମନ୍ତେ ହିତାଧିକାରୀ ମାନଙ୍କ ବ୍ୟାଙ୍କ ଖାତାକୁ ନିୟମିତ ଭାବେ ଟଙ୍କା ପଠାଯାଉଛି କିନ୍ତୁ ବେଳେ ବେଳେ ଟଙ୍କା କେଉଁ ଏକାଉଣ୍ଟକୁ ଯାଉଛି ହିତାଧିକାରୀ ମାନେ ଜାଣି ପାରୁ ନାହାଁନ୍ତି। ଏହି କ୍ଷେତ୍ରରେ ସରପଞ୍ଚ ଓ ସମିତି ସଭ୍ୟ ମାନେ ସହଯୋଗ କରିବା ନିମନ୍ତେ ପରାମର୍ଶ ଦେଇଛନ୍ତି ବିଡିଓ ଫକୀର ଚରଣ ପରିଡା।

Leave a Reply

Your email address will not be published. Required fields are marked *