ସ୍ୱତନ୍ତ୍ର ସର୍କିଟ ହାଉସରେ ଅଭିଯୋଗ ଶୁଣିଲେ ୫-ଟି ସଚିବ
କୋରାପୁଟ,୪/୨/ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ.ପାଣ୍ଡିଆନଙ୍କ କୋରାପୁଟ ଜିଲ୍ଲା ଗସ୍ତ ଅବସରରେ ଶନିବାର ଅପରାହ୍ନରେ ସ୍ୱତନ୍ତ୍ର ସର୍କିଟ ହାଉସରେ ବିଭିନ୍ନ ଅନୁଷ୍ଠାନ ଓ ସଂସ୍ଥାର ଅଭିଯୋଗ ଶୁଣିଥିଲେ । ଶ୍ରୀ ପାଣ୍ଡିଆନ ବୋରିଗୁମ୍ମା,କାକିରିଗୁମ୍ମା,ନାରାୟଣପାଟଣା,ଦେଓମାଳି ପରିଦର୍ଶନ ଶେଷ କରି କୋରାପୁଟ ସ୍ୱତନ୍ତ୍ର ସର୍କିଟ ହାଉସରେ ପହଂଚିବା ପରେ ବିଭିନ୍ନ ସ୍ଥାନରୁ ଆସିଥିବା ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନର କର୍ମକର୍ତା ମାନଙ୍କ ଅଭିଯୋଗ ଏବଂ ଦାବି ଶୁଣିଥିଲେ । ୫-ଟି ସଚିବଙ୍କୁ ମାଳି ସମାଜ,ଦୁରୁଆ ସମାଜ,କୋରାପୁଟ ଜେଇଏଲ ଚର୍ଚ୍ଚ କମିଟି,ମସଜିଦ କମିଟି,ଓୟୁଜେ, କୋରାପୁଟ ଓକିଲ ସଂଘ ବିଭିନ୍ନ ବେସରକାରୀ ଶିକ୍ଷା ଅନୁଷ୍ଠାନ,ଜିଲ୍ଲାର ୧୨ଟି ବେସରକାରୀ ମହାବିଦ୍ୟାଳୟର ଅଧ୍ୟକ୍ଷ,ପରିଚାଳନା କମିଟିର ସଭାପତି,ଛାତ୍ର ପ୍ରତିନିଧି ପ୍ରମୁଖ ସାକ୍ଷାତ କରି ସେମାନଙ୍କ ସମସ୍ୟା ଓ ଦାବି ସମ୍ପର୍କରେ ଅବଗତ କରାଇଥିଲେ । ଏହି ଅବସରରେ ଓଡିଶା ୟୁନିଅନ ଅଫ୍ ଜୋର୍ଣାଲିଷ୍ଟ(ଓୟୁଜେ) କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ୫-ଟି ସଚିବଙ୍କୁ ଏକ ଦାବିପତ୍ର ପ୍ରଦାନ କରା ଯାଇଥିଲା । ସାମ୍ବାଦିକ ବୀମା ଯୋଜନା ରାଶି ୨ଲକ୍ଷରୁ ୧୦ ଲକ୍ଷକୁ ବୃଦ୍ଧି କରିବା, ଓ ପିତାମାତାଙ୍କୁ ସାମିଲ କରିବା,ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ,ଏକ୍ରିଡେସନ ପ୍ରକ୍ରିୟା ସରଳୀକରଣ ନିମନ୍ତେ ଏକ କମିଟି ଗଠନ କରିବା,କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ବସ ଓ ଟ୍ରେନ ଯାତ୍ରାରେ ସୁବିଧା ସୁଯୋଗ ଦେବା ଇତ୍ୟାଦି ଦାବି କରା ଯାଇଛି । ଜିଲ୍ଳା ସାମ୍ୱାଦିକ ସଂଘ ସଭାପତି ଦିଲିପ କୁମାର ମହାନ୍ତି, ମନୋଜ କୁମାର ପଟ୍ଟନାୟକ, ସନ୍ତୋଷ କୁମାର ପଳେଇ,ବରିଷ୍ଠ ସାମ୍ବାଦିକ ରଂଜନ କୁମାର ଦାସ,ବିଦ୍ୟାଧର ଚୌଧୁରୀ,ସି.ଏଚ୍.ସାନ୍ତାକାର,ପରିକ୍ଷୀତ ବିଶ୍ୱାଳ, ତ୍ରିଲୋଚନ ମହାରଣା,କେ.ଆଚାରୀ,ଅମିତ ହୋତାଏବଂ ଅନ୍ୟମାନେ ଦାବିପତ୍ର ପ୍ରଦାନ କରିଥିଲେ । କ୍ରୀଡା ସଚିବ ଭିନିଲ କ୍ରୀଷ୍ଣା,ଡିଆଇଜି ରାଜେଶ ପଣ୍ଡିତ,ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର ପ୍ରମୁଖ ଉପସ୍ଥିତ ଥିଲେ।
କୋରାପୁଟ ସର୍କିଟ ହାଉସ ଠାରେ ଅଭିଯୋଗ ଶୁଣାଣୀ ପାଇଁ ପ୍ରବଳ ଭିଡ଼ ପରିଲକ୍ଷିତ କରଯାଇଥିଲା। ଅଭିଯୋଗ କରିବାକୁ ଆସିଥିବା ଅନୁଷ୍ଠାନର ବ୍ୟକ୍ତି ବିଶେଷ ସହ ବିଜେଡିର ନେତା ଓ କର୍ମୀଙ୍କ ଭିଡ ଦେଖିବାକୁ ମିଳିଥିଲା।ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବିଜେଡି ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଓ ଜିଲ୍ଲା ବିଜେଡି ସଭାପତି ଇଶ୍ଵର ଚନ୍ଦ୍ର ପାଣିଗ୍ରାହୀ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ।କୋରାପୁଟ ବିଧାୟକ ରଘୁରାମ ପଡାଲ, ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନୀ, ପୂର୍ବତନ ସାଂସଦ ଝିନ ହିକକା, ପୂର୍ବତନ ବିଧାୟକ କୈଳାସ କୁଲେସିକା, ଜିଲ୍ଲା ମହିଳା ସଭାନେତ୍ରୀ ପାର୍ବତୀ ମସ୍ତି, ପୂର୍ବତନ ଜିଲ୍ଲା ପରିଷଦ ସଭାପତି ତୁଳସୀ କିରସାନି, କୋରାପୁଟ ପୌର ପରିଷଦ ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ ଓ ଅନେକ ନେତା ଓ କର୍ମୀ ଉପସ୍ଥିତ ଥିଲେ।