ବଡ ବଡ ମଲ ଓ ଟେକ୍ସଟାଇଲ ଦୋକାନରେ ନାହିଁ ଅଗ୍ନି ନିରାପତ୍ତା ପ୍ରମାଣପତ୍ର
ଅନେକ ବଡ ବଡ ମଲ, ଟେକ୍ସଟାଇଲ, ଶୋରୁମ ଓ ବଡ଼ ବଡ଼ ଦୋକାନ ମାନଙ୍କରେ ଅଗ୍ନି ନିୟନ୍ତ୍ରଣ ପାଇଁ କୌଣସି ଉପକରଣ ନଥିବାରୁ ଅନେକ ଧନ ଜୀବନ ହାନି ହେଉଛି | ହେଲେ ଯେତେ ଧନ ଜୀବନ କ୍ଷତି ହେଲେ ବି ଏଥି ପ୍ରତି କେହି ସଜାଗ ହେଉ ନାହାନ୍ତି | ସେହି ଭଳି ଅନୁଗୋଳ ସହରରେ ଅନେକ ବଡ ବଡ ମଲ ଓ ନାମୀଦାମୀ ଟେକ୍ସଟାଇଲ ଦୋକାନ ଗୁଡିକର ନା ଅଛି ଅଗ୍ନି ନିରାପତ୍ତା ପ୍ରମାଣ ପତ୍ର ନା ଅଛି ଅଗ୍ନି ନିରୋଧକ ଯନ୍ତ୍ର | କୋଟି କୋଟି ଟଙ୍କା ବେପାରରେ ଲଗାଉଥିଲେ ମଧ୍ୟ ଅଗ୍ନି ନିରାକରଣ ପାଇଁ କୌଣସି ବ୍ୟବସ୍ଥା ନାହିଁ କି କାହାର ବି ଦୃଷ୍ଟି ନାହିଁ | ଏଥି ପ୍ରତି ବି କୌଣସି ପଦକ୍ଷେପ ଗ୍ରହଣ କରୁନି ଅଗ୍ନିଶମ ବିଭାଗ | କେତେକ ହାତ ଗଣତି ମଲ ଗୁଡିକୁ ଲାଇସେନ୍ସ ଦେଇ ଚୁପ୍ ବସି ଯାଇଛି | ଯଦି କୌଣସି ଧନ ଜୀବନ ହାନି ହୁଏ କିଏ ରହିବ ଦାୟୀ ? ଅଗ୍ନିସମ ବିଭାଗ ଦାୟୀ ରହିବେ ନା ସମ୍ପୃକ୍ତ ଦୋକାନ ମାଲିକ ଦାୟୀ ରହିବେ ? ଏଭଳି ଏକ ସନ୍ଦେହ ସୃଷ୍ଟି ହେଉଛି ସାଧାରଣ ଜନତାଙ୍କ ମଧ୍ୟରେ | ଏ ବିଷୟରେ ଅନୁଗୋଳ ଅଗ୍ନିଶମ ବିଭାଗକୁ ପଚାରିବାରୁ ସେ କହିଛନ୍ତି ଶତାଧିକ ମଲ ଏବଂ ଟେକ୍ସଟାଇଲ ଦୋକାନ ଗୁଡିକୁ ଆମେ ଗତ ଅପ୍ରେଲ ମାସରେ ନୋଟିସ୍ କରି ସାରିଛୁ ହେଲେ ଏଥିପ୍ରତି କେହି ବି ସଜାଗ ହେଉ ନାହାଁନ୍ତି | ସବୁଠାରୁ ବଡ କଥା ହେଲା ଅଗ୍ନିଶମ ବିଭାଗ ଥରେ ନୂହେଁ ଦୁଇ ଦୁଇ ଥର ନୋଟିସ କରିଛି | ନୋଟିସ କରିବା ସତ୍ତ୍ୱେ ବି ସେହି ମଲ ବା ଟେକ୍ସଟାଇଲ ଦୋକାନ ଗୁଡିକ ଅଗ୍ନି ନିୟନ୍ତ୍ରଣ କରିବା ପାଇଁ କୌଣସି ବ୍ୟବସ୍ଥା କରି ନାହାଁନ୍ତି | ଅଗ୍ନିଶମ ବିଭାଗ ଅଗ୍ନି ନିରାପତ୍ତା ପାଇଁ ଯାହାକୁ ନୋଟିସ୍ କରିଥିଲେ ସେମାନଙ୍କୁ ଦୁଇ ମାସ ମହଲତ ଦେଇଥିଲେ | ଯଦି ସେମାନେ ଅଗ୍ନିଶମ ବିଭାଗ କଥାକୁ ଭ୍ରୁକ୍ଷେପ ନକରନ୍ତି ପୁଣି ଏକ ନୋଟିସ ଦେଇ ସେମାନଙ୍କୁ ଆଉ 15 ଦିନ ସମୟ ଦେଇଥାଆନ୍ତି | ଯଦି ସେ 15 ଦିନ ସମୟ ମଧ୍ୟରେ କୌଣସି ପଦକ୍ଷେପ ଗ୍ରହଣ ନ କରନ୍ତି ସମ୍ପୃକ୍ତ ଦୋକାନ ଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା ଅଗ୍ନିଶମ ବିଭାଗ | ହେଲେ ଅପ୍ରେଲ ମାସରୁ ଏପର୍ଯ୍ୟନ୍ତ 5 ମାସ ବିତି ଯାଇଥିଲେ ମଧ୍ୟ ସମ୍ପୃକ୍ତ ମଲ କିମ୍ବା ଟେକ୍ସଟାଇଲ ଦୋକାନ ଗୁଡିକ ଉପରେ କୌଣସି ପଦକ୍ଷେପ ଗ୍ରହଣ କରୁନି ଅଗ୍ନିଶମ ବିଭାଗ | ଖାଲି ନୋଟିସ ଦେଇ ଚୁପ୍ ବସିଯିବା କାରଣରୁ ସମ୍ପୃକ୍ତ ଦୋକାନୀ ମାନେ ଅଗ୍ନି ନିୟନ୍ତ୍ରଣ ପାଇଁ ଅବହେଳା କରି ଚାଲିଛନ୍ତି | ଯଦି ଅଗ୍ନିଶମ ବିଭାଗ ଏ ସଂକ୍ରାନ୍ତରେ ସମ୍ପୃକ୍ତ ମଲ କିମ୍ବା ଟେକ୍ସଟାଇଲ ଦୋକାନ ଗୁଡିକରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତେ ତାହେଲେ ସେମାନେ ଅଗ୍ନି ନିରାପତ୍ତା ଉପରେ ନିଶ୍ଚିତ ଦୃଷ୍ଟି ଦିଅନ୍ତେ ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି |