ରାଜ୍ୟ

ଜନ୍ମ ତିଥିରେ ପୂଣ୍ଯାତ୍ମା ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କୁ ଶ୍ରଦ୍ଧାଞ୍ଜଳି

■■■ ଶତାୟୁ ପୁରୁଷ ପଦ୍ମଭୂଷଣ ଡକ୍ଟର ରାଧାନାଥ ରଥ କଟକ ଜିଲା ଆଠଗଡ଼ ଗଡଜାତ ଅଞ୍ଚଳର ରାଧାନାଥପୁର ଶାସନରେ ୧୮୯୬ ମସିହା ଡିସେମ୍ବର ୬ ତାରିଖ ଅଗ୍ନି ଉତ୍ସବରେ ଜନ୍ମଗ୍ରହଣ କରିଥିଲେ। ଏକାଧାରାରେ ସେ ଥିଲେ ପ୍ରବୀଣ ସାମ୍ବାଦିକ, ଲୋକପ୍ରିୟ ଜନସେବକ, ରାଜନେତା, ବର୍ଷୀୟାନ୍‌ ସଂପାଦକ ଭଳି ବହୁପ୍ରତିଭାର ଅଧିକାରୀ । ବାଲେଶ୍ବରର ଜୁବୁଲି ସ୍ମୁଲରୁ ବିଦ୍ୟାରମ୍ଭ କରିଥିବା ରାଧାନାଥ ୧୯୧୬ ମସିହାରେ କଟକର ରେଭେନ୍ସା କଲେଜିଏଟ୍‌ ସ୍କୁଲରୁ ମାଟ୍ରିକ୍‌ ପାସ୍‌ କରିଥିଲେ । ଅବିଭକ୍ତ ଓଡ଼ିଶାର ସିଂହଭୂମ ଜିଲାରେ ଜଙ୍ଗଲ ବିଭାଗରେ କିରାଣି ଚାକିରିରୁ ବୃତ୍ତିଗତ ଜୀବନ ଆରମ୍ଭ କରିଥିବା ରାଧାନାଥ ୧୯୧୯ ମସିହାରେ ଚାକିରି ଛାଡି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିଷ୍ଠିତ ‘ ସାପ୍ତାହିକ ସମାଜ’ ଓ ‘ସତ୍ୟବାଦୀ ପ୍ରେସ୍‌’ରେ ତାଙ୍କ ସାମ୍ବାଦିକତା ଜୀବନ ଆରମ୍ଭ କରିଥିଲେ । ସେତେବେଳେ ମ୍ୟାନେଜର ଓ ଆସିଷ୍ଟାଣ୍ଡ ଏଡିଟର (ସହକାରୀ ସଂପାଦକ) ଭାବେ କାର୍ଯ୍ୟାରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସେ ଦୈନିକ ‘ସମାଜ’ର ଦୀର୍ଘକାଳୀନ ସଂପାଦକ ଭାବେ କାର୍ଯ୍ୟ କରିଥିଲେ । ୧୯୪୨ରେ ଭାରତ ଛାଡ଼ ଆନ୍ଦୋଳନରେ ସାମିଲ ହୋଇ ୨ ବର୍ଷ କାରାବାସ ଭୋଗିଥିଲେ । ୫ଥର ଆଠଗଡ଼ ବିଧାନସଭା ଆସନରୁ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସେ ଅର୍ଥ, ଶିକ୍ଷା, କୃଷି, ଉନ୍ନୟନ ଓ ଜଙ୍ଗଲ ଭଳି ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲେ । ତାଙ୍କ ସମୟରେ ନନ୍ଦନକାନନ ଚିଡିଆଖାନା ପ୍ରତିଷ୍ଠା କରାଯାଇଥିଲା । ଲୋକସେବକ ମଣ୍ଡଳର ସେ ଆଜୀବନ ସଭ୍ୟ ସହ ଓଡ଼ିଶା ଶାଖାର ସଭାପତି ମଧ୍ୟ ରହିଥିଲେ । ୧୯୬୮ ମସିହାରେ ତାଙ୍କୁ ପଦ୍ମଭୂଷଣ ସମ୍ମାନ ପ୍ରଦାନ କରାଯାଇଥିଲା । ୧୧ ଫେବୃୟାରୀ ୧୯୯୮ ମସିହାରେ ତାଙ୍କର ପରଲୋକ ଘଟିଥିଲା । ଆଜି ତାଙ୍କ ଜୟନ୍ତୀ ଅବସରରେ ନୀଳଶୈଳ ପକ୍ଷରୁ କୋଟି କୋଟି ପ୍ରଣାମ ।

Leave a Reply

Your email address will not be published. Required fields are marked *