ନୂଆପଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଦାଦନ ସର୍ଦ୍ଦାର ସକ୍ରିୟ
ନୂଆପଡ଼ା:(ବିରବଲ ପ୍ରଧାନ)ନୂଆପଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଗଣପର୍ବ ନୂଆଁଖାଇ ସରିବା ପରେ ଏବେ ଗାଁରେ ଦାଦନ ସର୍ଦ୍ଦାର ସକ୍ରିୟ ହୋଇଛନ୍ତି। ଏଜେଣ୍ଟ ରଖି ମୁଣ୍ଡ ପିଛା ୨୦ ରୁ ୩୦ ହଜାର ଟଙ୍କା ଅଗ୍ରିମ ଦେଇ ଶ୍ରମିକଙ୍କୁ ରାଜ୍ୟ ବାହାରକୁ ନେବା ପ୍ରସ୍ତୁତି ଆରମ୍ଭ କରିଛନ୍ତି। ରାଜ୍ୟ ବାହାରୁ ନୂଆ ପଡ଼ା ଜିଲ୍ଲାର ଅନେକ ଅଞ୍ଚଳରେ ଇଟାଭାଟି ମାଲିକମାନେ ଆସି ଦଲାଲଙ୍କୁ ନେଇ କିଛି ସ୍ଥାନରେ ଡେରା ପକାଇ ନିର୍ଭୟରେ ବେପାର ଜମାଇ ମୁଣ୍ଡ ପ୍ରତି ଏଜେଣ୍ଟର କମିଶନ ସ୍ଥିର କରୁଛି । ଅଗ୍ରିମ ଅଧିକ ମାତ୍ରାରେ ଟଙ୍କା ପାଇ ଶ୍ରମିକ ନୁଆଁଖାଇ ପରେ ରାଜ୍ୟ ବାହାରକୁ ଯିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଜିଲାରୁ ପ୍ରାୟ ହଜାର ହଜାର ସଂଖ୍ୟାରେ ଦାଦନ ଖଟିବାକୁ ଲୋକେ ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ତାମିଲନାଡୁ, ମହାରାଷ୍ଟ୍ର , ଉତ୍ତରପ୍ରଦେଶ ଆଦି ଅଞ୍ଚଳକୁ ଶ୍ରମିକ ଯାଉଥିଲେ ମଧ୍ୟ ତାହାର ଉଚିତ ତଥ୍ୟ ଜିଲ୍ଲା ଶ୍ରମ ବିଭାଗ ପାଖରେ ରହୁନାହିଁ। ବାହାରକୁ ଦାଦନ ଖଟି ଯାଉଥିବା ଶ୍ରମିକମାନେ ପଞ୍ଚାୟତରେ ନିଜର ନାମ ପଞ୍ଜିକରଣ କରିବା ନିୟମ ରହିଛି। ମାତ୍ର ଜିଲ୍ଲାରେ ସଚେତନତା ଅଭାବରୁ ପଞ୍ଚାୟତରେ ଶ୍ରମିକମାନେ ନାମ ପଞ୍ଜିକରଣ କରୁନାହାନ୍ତି। ଫଳରେ ଜିଲ୍ଲାରୁ ପ୍ରତ୍ୟେକ ବର୍ଷ କେତେ ଶ୍ରମିକ ଦାଦନ ଖଟିବାକୁ ଯାଉଛନ୍ତି ତାହା ବିଭାଗୀୟ ଅଧିକାରୀଙ୍କ ପାଖରେ ତଥ୍ୟ ରହୁନାହିଁ। ଏନେଇ ଆବଶ୍ୟକ ସଚେତନତା କାର୍ଯ୍ୟ କେବଳ କାଗଜପତ୍ରରେ ସିମିତ ରହିଛି।
ମନରେଗାରେ ୧୦୦ ଦିନର କାର୍ଯ୍ୟ ଯୋଗାଇ ଦେବା ନିୟମ ରହିଛି। ପଞ୍ଜିକୃତ ଶ୍ରମିକମାନଙ୍କୁ ୧୦୦ ଦିନର କାର୍ଯ୍ୟ ଯୋଗାଇବାରେ ପ୍ରଶାସନ ବିଫଳ ହୋଇଛି। କିଛି ଶ୍ରମିକ କାର୍ଯ୍ୟ କରିଥିଲେ ହେଁ ଏ ପର୍ଯ୍ୟନ୍ତ ତାର ପ୍ରାପ୍ୟ ପାଇ ନଥିବାରୁ ଶ୍ରମିକ ସରକାରୀ କାର୍ଯ୍ୟରୁ ମୁହଁ ଫେରିଛନ୍ତି । ଜିଲାରେ ଗରିବଙ୍କ ପାଇଁ ଆସୁଥିବା ସରକାରୀ ଯୋଜନା ରାଜନୈତିକ ହସ୍ତକ୍ଷେପ ଯୋଗୁଁ ପ୍ରକୃତ ଗରିବ ସୁଫଳ ହୋଇପାରୁ ନଥିବାରୁ ଜିଲ୍ଲାରୁ ଲୋକେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ଜିଲ୍ଲାରେ ଦାଦନ ଶ୍ରମିକ ରୋକିବା ପାଇଁ ଆବଶ୍ୟକ ସଚେତନତା ସହିତ ସରକାରୀ ଯୋଜନା ଠିକ ଭାବେ କାର୍ଯ୍ୟକାରୀ ହେବା ଏବଂ ଗାଁରେ ଅଗ୍ରୀମ ଟଙ୍କା ଦେଉଥିବା ଦାଦନ ସର୍ଦାର ପ୍ରତି କାର୍ଯ୍ୟାନୁଷ୍ଠାନ ହେବା ଜରୁରୀ ବୋଲି ସାଧାରଣରେ ମତପ୍ରକାଶ ପାଇଛି।