ରାଜ୍ୟ

ସାମ୍ବାଦିକଙ୍କ ଦୁଇଦିନିଆ ଅଭିଯାନରେ ଆରମ୍ଭ ହେଲା ପାରାଦୀପ ମରଣଯନ୍ତା ରାସ୍ତାର କାର୍ଯ୍ୟ 

ପାରାଦୀପ – ବନ୍ଦର ଓ ଶିଳ୍ପ ସହର ପାରାଦୀପ ର ମୁଖ୍ୟ ପ୍ରବେଶ ପଥ ଅଠରବାଙ୍କି ରୁ ଦୋଛକି ଜାତୀୟ ରାଜପଥ ରାସ୍ତାର ଦୁରାବସ୍ଥା ଓ ଟ୍ରାଫିକ ପରିଚାଳନା ଅବ୍ୟବସ୍ଥା ଯୋଗୁଁ ଦୀର୍ଘଦିନ ଧରି ବିଭିନ୍ନ ଦୁର୍ଘଟଣାରେ ବହୁ ଧନଜୀବନ ହାନି ହେବା ସହ ଏହା ସାଧାରଣରେ ଏକ ଚିନ୍ତାର ବିଷୟ ପାଲଟିଥିଲା l ତେବେ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ସମ୍ବେଦନଶୀଳ ସମସ୍ୟା ସମାଧାନ ଦିଗରେ କୌଣସି ସ୍ଥାନୀୟ ନେତା ବା ରାଜନୈତିକ ଦଳ ମାନଙ୍କର କୌଣସି ଭୂମିକା ଦେଖିବାକୁ ମିଳିନଥିବା ବେଳେ ଶେଷରେ ସ୍ଥାନୀୟ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ନେତୃତ୍ୱରେ ୧0 ଗୋଟି ସାମାଜିକ ସଂଗଠନ ଆଗକୁ ବାହାରିଥିଲେ l ଏବାବଦରେ ଗତ ଗୁରୁବାର ସନ୍ଧ୍ୟାରେ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଭେଟି ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା l ସେହିପରି ଟ୍ରାଫିକ ସମସ୍ୟାକୁ ସୁବ୍ୟବସ୍ଥିତ କରିବା ପାଇଁ କାର୍ଯ୍ୟରତ ସାମ୍ବାଦିକ ମାନେ ଶନିବାର ଦିନ  ପୋଲିସ ଉପ ଆରକ୍ଷୀ ଅଧିକ୍ଷକ (ଡିଏସପି) ସନ୍ତୋଷ କୁମାର ଜେନାଙ୍କୁ ତାଙ୍କ ପାରାଦୀପ ସ୍ଥିତ କାର୍ଯ୍ୟାଳୟ ରେ ଭେଟି ଏକ ଦାବିପତ୍ର ଦେଇଥିଲେ l ଏବାବଦରେ ଆଲୋଚନାରେ ଡିଏସପି ଶ୍ରୀ ଜେନା ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଥିଲେ l ଏତଦବ୍ୟତୀତ ଜାତୀୟ ରାଜପଥ ସହ ଆଲୋଚନା କରାଯାଇ ସମ୍ପୂର୍ଣ୍ଣ  ରାସ୍ତା କାର୍ଯ୍ୟ ଆରମ୍ଭ ପୂର୍ବରୁ ତୁରନ୍ତ ରାସ୍ତା ମରାମତି କାର୍ଯ୍ୟ ଆରମ୍ଭ କରିବାକୁ ଏନଏଚଆଇ କୁ କୁହାଯାଇଥିଲା ବୋଲି ଶ୍ରୀ ଜେନା ସୂଚନା ଦେଇଥିଲେ  l ସେହିପରି ଟ୍ରାଫିକ ନିୟନ୍ତ୍ରଣ ପାଇଁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଛକ ଓ ବାଇପାସ ନିକଟରେ ହମ୍ପସ ନିର୍ମାଣ କରାଯିବାକୁ ନେଇ ସାମ୍ବାଦିକ ମାନେ ଗୁରୁତ୍ୱାରୋପ କରିଥିଲେ l ତେବେ ଏହି ଆଲୋଚନା ସମୟରେ ଅଠରବାଙ୍କି ଠାରୁ ଦୋଛକି ପର୍ଯ୍ୟନ୍ତ ଏନଏଚଆଇ ଦ୍ୱାରା ରାସ୍ତା ମରାମତି କାର୍ଯ୍ୟ ଆରମ୍ଭ ହୋଇଯାଇଥିଲା l ଏହି ଆଲୋଚନା ରେ ଅନ୍ୟମାନଙ୍କ ମଧ୍ୟରେ ପାରାଦୀପ ଆଦର୍ଶ ଥାନା ଅଧିକାରୀ ସୁଚିତ୍ର ବୀର୍ଯ୍ୟ ଦାସ, ବରିଷ୍ଠ ସାମ୍ବାଦିକ ଏବଂ ବିଭିନ୍ନ ସଂଗଠନର ପ୍ରତିନିଧି ମାନେ ଉପସ୍ଥିତ ଥିଲେ l ତେବେ ବହୁଦିନ ପରେ ସାମ୍ବାଦିକ ମାନଙ୍କ ପ୍ରଚେଷ୍ଟା ଓ ସାମାଜିକ ଅନୁଷ୍ଠାନର ସହଯୋଗରେ ଏଭଳି ଏକ ସମ୍ବେଦନଶୀଳ ସମସ୍ୟାର ସମାଧାନ ହେଉଥିବାରୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ଜନସାଧାରଣ ମାନେ ସାଧୁବାଦ ଜଣାଇଛନ୍ତି l

Leave a Reply

Your email address will not be published. Required fields are marked *