ମାନବବାଦ, ଅନ୍ଧବିଶ୍ୱାସ ଓ ସଂବିଧାନ ଉପରେ ଆଲୋଚନା
ମାଲକାନଗିରି। ତା:୦୯/୧୦
ଏମଭି-୯୦ ଗ୍ରାମ ସ୍ଥିତ ହରି ମନ୍ଦିର ଠାରେ ଗୁରୁଚାନ୍ଦ ଆମ୍ବେଦକର ଚେତନା ମଞ୍ଚ ତରଫରୁ “ମାନବବାଦ, ଅନ୍ଧବିଶ୍ୱାସ ଓ ସାମ୍ବିଧାନିକ ଅଧିକାର” ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ଲକ୍ଷ୍ମଣ ଘରାମୀ ଅଧ୍ୟକ୍ଷତା କରିଥିବା ବେଳେ ଲେଖିକା ଡଃ ବିଦୁପ୍ରଭା ରଥ, ସ୍ତମ୍ଭକାର ତଥା ସାମାଜିକ କର୍ମୀ ଭାଲଚନ୍ଦ୍ର ଷଡ଼ଙ୍ଗୀ ଓ ମୂଳନିବାସୀ ସମତା ପରିଷଦର ଆବାହକ ଅଭିରାମ ମଲ୍ଲିକ ପ୍ରମୁଖ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ । ପ୍ରଥମେ ଅତିଥି ଓ ଗୁରୁ ଗୋସାଇଁମାନଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା ।
ଅତିଥିମାନେ ନିଜ ନିଜର ବକ୍ତବ୍ୟରେ ଦେଶରେ ଜାତିପ୍ରଥା ପରି ସାମାଜିକ ଅସମାନତା ବିରୁଦ୍ଧରେ ଲଢି ସାମଜ ସଂସ୍କାର ଆଣିବାରେ ମତୁଆ ଆନ୍ଦୋଳନ ଓ ତାର କର୍ଣ୍ଣଧାର ରହିଥିବା ବିଶିଷ୍ଟ ସମାଜ ସଂସ୍କାରକ ହରିଚାନ୍ଦ ଠାକୁର ଓ ଗୁରୁଚାନ୍ଦ ଠାକୁରଙ୍କ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଥିଲା ବୋଲି କହିଥିଲେ । ଅମାନବୀୟ ଜାତିପ୍ରଥା ସହିତ ସେ ଧର୍ମ ନାମରେ ରହିଥିବା ବିଭିନ୍ନ କୁସଂସ୍କାର ଓ ଅନ୍ଧବିଶ୍ୱାସର ବି ବିରୋଧ କରୁଥିଲେ । ଆଜି ସମାଜରେ ରହିଥିବା ଜାତିପ୍ରଥା ଓ ଲିଙ୍ଗଗତ ବିଦ୍ଵେଷକୁ ବିଲୋପ କରିବାକୁ ହେଲେ ହରିଚାନ୍ଦ ଠାକୁର ଓ ଗୁରୁଚାନ୍ଦ ଠାକୁରଙ୍କ ସମେତ ଡଃ ଭୀମରାଓ ଆମ୍ବେଦକରଙ୍କ ସମାଜ ସଂସ୍କାରର ବିଚାରକୁ ଆପଣେଇବା ଜରୁରୀ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ସମାଜରେ ସାମାଜିକ ସମତା ଆଣିବା ପାଇଁ ନାରୀମାନଙ୍କୁ ଶିକ୍ଷିତ ତଥା ଉତ୍ପାଦନ ପ୍ରକ୍ରିୟାରେ ସାମିଲ କରିବାକୁ ଆହ୍ଵାନ ଦେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ମତୁଆ ଗବେଷକ ସୁବାସ ତରଫଦାର, ହରିଚାନ୍ଦ ସେବା ସମିତିର କେନ୍ଦ୍ରୀୟ ସଭାପତି ଅଶୋକ ହାଲଦାର, ଦୁଲାଲ ମଣ୍ଡଳ, ଶିଶିର ହାଲଦାର, ବାସୁଦେବ ମଣ୍ଡଳ, ପ୍ରୀତିଲତା ବୈରାଗୀ, କନିକା ହାଲଦାର ପ୍ରମୁଖ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ।
ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଏମଭି- ୯୦ ହରି ମନ୍ଦିର କମିଟି ସହଯୋଗ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ସମୀରଣ ମଣ୍ଡଳ, ରାଜା ମଣ୍ଡଳ, ଅରୂପ ହାଲଦାର, କେ. ଦେଶୀରଜୁ ଅଚାରୀ, ପ୍ରଦୀପ ମଣ୍ଡଳ, ଅଯୋଧ୍ୟା ବୈରାଗୀ, ସମସ୍ତ ହରି ଭକ୍ତ ପରିବାର ଉପସ୍ଥିତ ଥିଲେ । ପରିଶେଷରେ ସଭାପତି ଲକ୍ଷ୍ମଣ ଘରାମୀ ଗ୍ରାମରୁ ବାସନ୍ଦ ମତୁଆ ପରିବାରକୁ ମାନବ ଅଧିକାର କମିଶନରୁ ଆସିଥିବା ଚିଠି ପଢ଼ି ଶୁଣାଇ ଥିଲେ l ଆଗକୁ ଏହି ପରି ନିର୍ଯାତିତ, ପୀଡିତ ମତୁଆ ପରିବାର ସହ ଆଇନଗତ ଲଢ଼େଇ ପାଇଁ ସହଯୋଗ କରାଯିବ ବୋଲି କୁହାଯାଇଥିଲା।