ଭାରତ-ତାଞ୍ଜାନିଆ ସମ୍ପର୍କ ଦକ୍ଷତା ବିକାଶ ଓ ଉଚ୍ଚ ଶିକ୍ଷା ପ୍ରଦାନ କରିବାରେ ସହଯୋଗୀ ହେବ – ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ଭୁବନେଶ୍ୱର, ଅକ୍ଟୋବର ୧୦ – ତାଞ୍ଜାନିଆର ପ୍ରଥମ ମହିଳା ରାଷ୍ଟ୍ରପତି ଡକ୍ଟର ସାମିୟା ସୁଲୁହୁ ହସନଙ୍କୁ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ(ଜେଏନୟୁ) ଦ୍ୱାରା ସମ୍ମାନଜନକ ଡକ୍ଟରେଟ୍ ଉପାଧିରେ ସମ୍ମାନିତ କରାଯାଇଛି । ଭାରତ- ତାଞ୍ଜାନିଆ ସମ୍ପର୍କକୁ ମଜଭୂତ୍ କରିବା, ଅର୍ଥନୈତିକ କୂଟନୀତିକୁ ପ୍ରୋତ୍ସାହିତ କରିବା ଏବଂ ଆଞ୍ଚଳିକ ଏକତା ଏବଂ ବହୁପକ୍ଷବାଦରେ ସଫଳତା ହାସଲ କରିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି ।
ଏହି ବିଶେଷ ସମାବର୍ତ୍ତନ ସମାରୋହରେ ଯୋଗଦେଇ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଞ୍ଜାନିଆ ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇବା ସହ ଭାରତ ଓ ତାଞ୍ଜାନିଆ ସମ୍ପର୍କକୁ ଆହୁରି ନିବିଡ଼ କରିବା ପାଇଁ ଏକ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରି ତାଞ୍ଜାନିଆ ରାଷ୍ଟ୍ରପତିଙ୍କୁ ଏହି ସମ୍ମାନଜନକ ଉପାଧି ଦେଇଥିବାରୁ ଜେଏନୟୁକୁ ଧନ୍ୟବାଦ ଜଣାଇଛନ୍ତି । ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଫ୍ରିକୀୟ ସଂଘକୁ ଜି-୨୦ରେ ସାମିଲ କରିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରୁଥିବା ପରିପ୍ରେକ୍ଷୀରେ ଜେଏନୟୁ ତାଞ୍ଜାନିଆର ରାଷ୍ଟ୍ରପତିଙ୍କୁ ଏହି ସମ୍ମାନ ପ୍ରଦାନ କରିଛି । ରାଷ୍ଟ୍ରପତି ଓ ମୋଦୀଜୀଙ୍କ ମୂଲ୍ୟବାନ ମାର୍ଗଦର୍ଶନରେ ଦୁଇ ଦେଶର ବନ୍ଧୁତା ସୁଦୃଢ଼ ହେବ ଏବଂ ଶିକ୍ଷା, ଦକ୍ଷତା, ଉଦ୍ଭାବନ, ଉଦ୍ୟୋଗ ଏବଂ ସଶକ୍ତୀକରଣ ଆମର ରଣନୈତିକ ଭାଗିଦାରୀର ମୂଳଦୁଆ ହେବ । ଭାରତ-ତାଞ୍ଜାନିଆ ସମ୍ପର୍କ ଦକ୍ଷତା ବିକାଶ ଓ ଉଚ୍ଚ ଶିକ୍ଷା ପ୍ରଦାନ କରିବାରେ ସହଯୋଗୀ ହେବ ।
ଜାଞ୍ଜିବରରେ ଆଇଆଇଟିର ପ୍ରଥମ ବିଦେଶ କ୍ୟାମ୍ପସ ସ୍ଥାପନା ହେବା ଖୁସିର ବିଷୟ ଏବଂ ନଭେମ୍ବର ମାସରେ ଏହି କ୍ୟାମ୍ପସର ଲୋକାର୍ପଣ ହେବା ପାଇଁ ଯାଉଛି । ଏହି ଅନୁଷ୍ଠାନ ଉଭୟ ଦେଶ ପାଇଁ ଶିକ୍ଷା ସହଭାଗିତାରେ ଏକ ମାଇଲଖୁଣ୍ଟ ହେବ ତଥା ତାଞ୍ଜାନିଆ ଓ ଆଫ୍ରିକୀୟ ଦେଶର ଛାତ୍ରଛାତ୍ରୀଙ୍କ ବିଶ୍ୱମାନର ଇଞ୍ଜିନିୟରିଂ ଏବଂ ପ୍ରଯୁକ୍ତିବିଦ୍ୟା ଶିକ୍ଷା ଉପଲବ୍ଧ ହେବ । ଶ୍ରୀ ପ୍ରଧାନ କହିଛନ୍ତି ଯେ ତାଞ୍ଜାନିଆ ଭାରତର ଏକ ପ୍ରମୁଖ ସହଯୋଗୀ । ପ୍ରଧାନମନ୍ତ୍ରୀ ଓ ତାଞ୍ଜାନିଆ ରାଷ୍ଟ୍ରପତିଙ୍କ ନେତୃତ୍ୱ ଦୁଇ ଦେଶର ସମ୍ପର୍କକୁ ନୂଆ ଉଚ୍ଚତାକୁ ନେଇଛି । ଦୁଇ ଦେଶ ମଧ୍ୟରେ ବିଶେଷ ଭାବରେ ଶିକ୍ଷା ଓ ମାନବ ସମ୍ବଳ ବିକାଶରେ ସହଯୋଗୀ ଅଛନ୍ତି । ଦେଶରେ ଅଣାଯାଇଥିବା ଜାତୀୟ ଶିକ୍ଷା ନୀତି ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆଣିବ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ ।
ସେହିପରି ତାଞ୍ଜାନିଆର ରାଷ୍ଟ୍ରପତି କହିଥିଲେ ଯେ ମୁଁ ଭାରତର ଶିକ୍ଷା ବ୍ୟବସ୍ଥାର ଜଣେ ଅଂଶ । ହାଇଦ୍ରାବାଦର ଏନଆଇଆରଡି ଠାରେ ଆଇଟିଇସିର ପ୍ରଶିକ୍ଷଣ ନେଇଥିଲେ ବୋଲି ସେ କହିଥିଲେ ।
ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଏବଂ ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ, ଜେଏନୟୁର କୁଳାଧିପତି କନଓ୍ୱାଲ ଶିବଲ ଓ କୁଳପତି ପ୍ରଫେସର ଏସ ଡି ପଣ୍ଡିତ ପ୍ରମୁଖ ଉପସ୍ଥିତ ଥିଲେ ।