ହବିଷ୍ୟାଳୀ ମା ମାନଙ୍କୁ ସମସ୍ତ ସୁବିଧା ଯୋଗାଇବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ।
ପୁରୀ ୧୩/୧୦ ପୁରୀ ରେ କାର୍ତ୍ତିକ ମାସ ର ରାଈଦାମୋଦର ବ୍ରତ ବା ହବିଷ୍ୟାଳୀ ବ୍ରତ ଚଳିତ ମାସ ୨୯ ତାରିଖ ରୁ ଆରମ୍ଭ ହେବ। ମା ମାନେ ଏକମାସ ୫ ଗୋଟି ହବିଷ୍ୟାଳୀ ନିବାସ ରେ ରହି ବ୍ରତ ପାଳନ କରିବେ।ମା ମାନଙ୍କର ସୁବିଧା ରହଣି ସହ ଅନ୍ୟାନ୍ୟ ସମସ୍ତ ବ୍ୟବସ୍ଥା ସୁନ୍ଦର ଓ ଶୃଙ୍ଖଳିତ ଭାବେ ପରିଚାଳନା କରିବାକୁ ଜିଲ୍ଲାପାଳ ସମର୍ଥ ବର୍ମା ପରାମର୍ଶ ଦେଇଛନ୍ତି। ଏ ସମ୍ପର୍କରେ ଏକ ପ୍ରସ୍ତୁତି ବୈଠକ ଆଜି ପୂର୍ବାହ୍ନରେ ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଥିଲା।ଜିଲ୍ଲାପାଳ ଶ୍ରୀ ବର୍ମା ଏଥିରେ ଅଧ୍ୟକ୍ଷତା କରିବା ସହ ରହଣି ବ୍ୟବସ୍ଥା ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ମନ୍ଦିର ଦର୍ଶନ, ମହାପ୍ରସାଦ ସେବନ,ସଂଧ୍ୟାରେ ଭଜନ ପ୍ରବଚନ ଇତ୍ୟାଦି ର ସୁବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଥିଲେ। ଗତବର୍ଷ ର ଅଭିଜ୍ଞତା ଆଧାର ରେ ଚଳିତ ବର୍ଷ ମଧ୍ୟ ଆହୁରି ଭଲ ଭାବେ ଏହାକୁ ପରିଚାଳନା କରିବାକୁ ସେ ମତ ଦେଇଥିଲେ।ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ କାର୍ଯ୍ୟସୂଚୀ ଅନୁସାରେ ଆଲୋଚନା କରିବା ସହ ପ୍ରତ୍ୟେକ ବିଭାଗ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଅନୁରୋଧ କରିଥିଲେ।ପ୍ରାୟ ୩ ହଜାର ହବିଷ୍ୟାଳୀ ମା ମାନଙ୍କୁ ଚଳିତ ବର୍ଷ ବୃନ୍ଦାବତୀ ନିବାସ,ଅକ୍ଷୟ ପାତ୍ର, ବଗଲା ଧର୍ମଶାଳା, ବାଗେଡିଆ ଧର୍ମଶାଳା ଓ ମୋଚିସାହି କଲ୍ୟାଣ ମଣ୍ଡପ ରେ ରଖାଯିବାର ବ୍ୟବସ୍ଥା କରାଯାଇଛି। ସମସ୍ତ ରହଣି ସ୍ଥଳ କୁ ପ୍ରସ୍ତୁତ କରାଯାଉଛି। ସେହିପରି ସ୍ୱାସ୍ଥ୍ୟ ସେବା ପାଇଁ ସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥା ଗ୍ରହଣ କରିବା, ଅନ୍ତେବାସୀ ମା ମାନଙ୍କୁ ପରିଚୟ ପତ୍ର ପ୍ରଦାନ, ସହାୟକ ସ୍ୱଛାସେବୀ ବ୍ୟବସ୍ଥା, ସୁରକ୍ଷା ବ୍ୟବସ୍ଥା, ଅଗ୍ନି ନିର୍ବାପକ ସ୍ନାନ ସମୟରେ ସୁରକ୍ଷା ବ୍ୟବସ୍ଥା, ପରିବହନ ବ୍ୟବସ୍ଥା,ପାନୀୟ ଜଳ, ବିଦ୍ୟୁତ ବ୍ୟବସ୍ଥା, ମହାପ୍ରସାଦ ବ୍ୟବସ୍ଥା ଇତ୍ୟାଦି ସମ୍ପର୍କରେ ଆଲୋଚନା କରାଯିବା ସହ ବିଭାଗୀୟ ଅଧିକାରୀ ମାନେ ଏହାର ସୁବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀମନ୍ଦିର ନିତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ,ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ,ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ଵାହୀ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର, ଅତିରିକ୍ତ ଏସ ପି ଦେବବ୍ରତ ଚକ୍ର, ଉପଜିଲ୍ଲାପାଳ ଭବତାରଣ ସାହୁ, ସିଡିଏମଓ ଡା ସୁଜାତା ମିଶ୍ର, ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ, ମନ୍ଦିର ପରିଚାଳନା କମିଟିର ସଦସ୍ୟ ବୃନ୍ଦ, ଏନ ଆଇ ସି ର ଡିଆଇଓ ବିଶ୍ୱନାଥ ପଣ୍ଡା, ଜିଲ୍ଲା କ୍ରିଡା ଅଧିକାରୀ ଚନ୍ଦନ ସାହୁ, ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଓ ଲାଇନ ଡିପାର୍ଟମେଣ୍ଟ ଅଧିକାରୀ ମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।