ଦୁର୍ଗାପୂଜା ପାଇଁ ଜୋରଦାର୍ ପ୍ରସ୍ତୁତ ସହ ସଜବାଜ*
ଜେନାପୁର,(ପି.ଏନ୍) ଆଶ୍ୱିନ୍ୟ ମାସରେ ପାର୍ବଣର ଆଗମନରେ କାଶତଣ୍ତି ଫୁଲ ସାଙ୍ଗକୁ ଧରଣୀ ରାଣୀର ମସ୍ତକେ ଶୋଭା ପାଉଛି ସୌନ୍ଦର୍ଯ୍ୟ ପୂର୍ଣ୍ଣ ନବଦିଗନ୍ତ ଓ ସଭିଙ୍କ ମନରେ ବାଣ୍ଟିଦିଏ ଶାନ୍ତିର ବାର୍ତ୍ତା । ପାର୍ବଣ ଋତୁର ଆଗମନରେ ସଜେଇ ହୋଇଥାଏ ମା’ଙ୍କ ଧରାପୃଷ୍ଠ । ମା’ଆସିବେ ମହିଷା ମର୍ଦ୍ଦିନୀ ମା’ ଦୁର୍ଗା। ଏଥିପାଇଁ ଉତ୍ସବ ମୁଖର ଗାଁ ଠୁ ସହର ଭାଇଚାର ର ପର୍ବ ଏହି ମା’ ଦୁର୍ଗାପୂଜା । ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳର ବିଭିନ୍ନ ସ୍ଥାନରେ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଦୁର୍ଗାପୂଜାକୁ ଖୁବ୍ ଧୁମଧାମରେ ପାଳନ ପାଇଁ ପ୍ରସ୍ତୁତି ଦେଖିବାକୁ ମିଳୁଛି। ସେଥିମଧ୍ୟରୁ ଜେନାପୁର ପଞ୍ଚାୟତର ଦୁର୍ଗାପଡିଆ ସାହିରେ ଧୁମଧାମରେ ପୂଜା ପାଇଁ ପ୍ରସ୍ତୁତି ଜୋରଦାର୍ ଚାଲିଛି। ବହୁ ପୁରାତନ କାଳରୁ ଏହି ସାହିରେ ଦୁର୍ଗାପୂଜା ଆୟୋଜନ ହୋଇଆସୁଛି । ମହାଳୟା ଠାରୁ ଦୁର୍ଗାପୂଜା ମଧ୍ୟରେ ୧୦ ଦିନ ସମୟ ରହିଥାଏ। ଯାହା ପୁରାଣ ଶାସ୍ତ୍ରରେ ଦଶହରା ବୋଲି କୁହାଯାଇଛି, କିନ୍ତୁ ପ୍ରକୃତ ପୂଜାବିଧ୍ ଷଷ୍ଠୀ ରୁ ଦଶମୀ ପର୍ଯ୍ୟନ୍ତ ଦେଖିବାକୁ ମିଳେ। ମା’ଙ୍କୁ ଷଷ୍ଠୀ ପୂଜାରେ ବେଲବରଣୀ କରାଯିବ। ଆସନ୍ତା ଶୁକ୍ରବାର ବ୍ରାହ୍ମଣୀ ନଦୀରୁ ଜଳ ଆଣି ମଣ୍ଡପ ପାଖେ ଥିବା ବେଲ ଗଛ ପାଖେ ବେଲବରଣୀ ପୂଜା ସମ୍ପନ୍ନ କରାଯିବ। ପରେ ରାତ୍ରୀକାଳରେ ମା’ଙ୍କ ଚକ୍ଷୁଦାନ ସମ୍ପନ୍ନ କରାଯିବ। ଏହା ମା’ଙ୍କ ବିଶେଷ ପୂଜାବିଧି। ଏଥିରେ କୌଣସି ଅବହେଳା ହେଲେ ଅନିଷ୍ଟ ଘଟିବା ସୁନିଶ୍ଚିତ ବୋଲି ଗ୍ରାମବାସୀ କହିଛନ୍ତି। ମା’ଙ୍କ ପୂଜା ଆରମ୍ଭ ଦିନରୁ ଶେଷ ପର୍ଯ୍ୟନ୍ତ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ପୂଜା କମିଟି ପକ୍ଷରୁ ସୂଚନା ମିଳିଛି।