କୋଣାର୍କ ରେ ଇକୋ ରିଟ୍ରିଟ୍ ଡିସେମ୍ବର ୧୫ ରୁ।
ପୁରୀ ୧୯/୧୦ କୋଣାର୍କ ମେରାଇନ ଡ୍ରାଇଭ ଠାରେ ଇକୋ ରିଟ୍ରିଟ୍ ଚଳିତ ବର୍ଷ ଡିସେମ୍ବର ୧୫ ତାରିଖରୁ ଆରମ୍ଭ ହେବ ବୋଲି ସ୍ଥିର କରାଯାଇଛି। ଏ ସମ୍ପର୍କରେ ଏକ ବୈଠକ ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ସମର୍ଥ ବର୍ମା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ପୂର୍ବ ବର୍ଷ ର ଅଭିଜ୍ଞତା ଓ ଅନୁଭବ କୁ ଆଧାର କରି ଚଳିତ ବର୍ଷ ର ଇକୋ ରିଟ୍ରିଟ୍ କୁ ଅଧିକ ଆକର୍ଷଣୀୟ ଓ ମନୋଜ୍ଞ ଭାବେ ଆୟୋଜନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଯେଉଁ ବିଭାଗ ର ଯାହା ଦାୟିତ୍ୱ ତାହାକୁ ନିଷ୍ଠାପର ଓ ଧାର୍ଯ୍ୟ ସମୟ ପୂର୍ବରୁ ସାରିବାକୁ ସେ ପରାମର୍ଶ ଦେଇଥିଲେ। ପ୍ରତ୍ୟେକ ବିଭାଗ ପ୍ରତ୍ୟେକ ଙ୍କ ସହ ସମନ୍ବୟ ରଖି କାମ କରି ବାହାରୁ ଆସୁଥିବା ପର୍ଯ୍ୟଟକ ମାନଙ୍କୁ ସହଯୋଗ କରିବାକୁ ଜିଲ୍ଲାପାଳ ପରାମର୍ଶ କହିଥିଲେ। ପର୍ଯ୍ୟଟନ ବିଭାଗ ଜିଲ୍ଲା ପ୍ରଶାସନ ଓ ଇ ଫାକ୍ଟର ଏଜେନ୍ସି ର ମିଳିତ ସହଯୋଗ ରେ ଇକୋ ରିଟ୍ରିଟ୍ ଚଳିତ ବର୍ଷ ଡିସେମ୍ବର ୧୫ ରୁ ୨୦୨୪ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାର ବ୍ୟବସ୍ଥା କରାଯାଇଛି। ଏଥିରେ ଲକଜରି ଟେଣ୍ଟ ବ୍ୟବସ୍ଥା କରାଯିବ ଯେଉଁ ଥିରେ ତାରକା ହୋଟେଲ ଅନୁରୂପ ସୁବିଧା ଯୋଗାଇ ଦିଆଯିବ।ଇକୋ ରିଟ୍ରିଟ୍ ସମୟରେ ଜଳକ୍ରିଡା,ବିଚ ସ୍ପୋର୍ଟସ,ଇଣ୍ଡୋର ଗେମ ଇତ୍ୟାଦି ବ୍ୟବସ୍ଥା ମଧ୍ୟ ଉପଲବ୍ଧ ହେବ। ନିରବଛିନ୍ନ ବିଦ୍ୟୁତ, ପାଣି, ମୋବାଇଲ ନେଟୱାର୍କ ସହ ସ୍ୱାସ୍ଥ୍ୟ ଚିକିତ୍ସା ବ୍ୟବସ୍ଥା, ଅଗ୍ନି ନିର୍ବାପକ ବ୍ୟବସ୍ଥା,ପାର୍କିଂ ବ୍ୟବସ୍ଥା, ସୁରକ୍ଷା ବ୍ୟବସ୍ଥା,୨୪ ଘଣ୍ଟିଆ ଲାଇଫ ଗାର୍ଡ ବ୍ୟବସ୍ଥା କରାଯିବ। ପର୍ଯ୍ୟଟକ ମାନଙ୍କ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯିବ ବୋଲି ସ୍ଥିର ହୋଇଛି। ସମସ୍ତ କାର୍ଯ୍ୟ କୁ ସୁନ୍ଦର ଭାବେ ପରିଚାଳନା କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେବା ସହ ଆସୁଥିବା ପର୍ଯ୍ୟଟକ ମାନେ ଯେପରି ଏକ ସୁଖଦ ଅନୁଭବ ନେଇ ଫେରିବେ ସେଥିପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ।ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର, ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ରଶ୍ମି ରଞ୍ଜନ ସାହୁ, ପର୍ଯ୍ୟଟନ ସହକାରୀ ନିର୍ଦ୍ଦେଶକ ସରୋଜ କାନ୍ତ ପ୍ରଧାନ, କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀ ଅନ୍ୟାନ୍ୟ ବିଭାଗ,ଲାଇନ ଡିପାର୍ଟମେଣ୍ଟର ଅଧିକାରୀ ଓ ଇକୋ ରିଟ୍ରିଟ୍ ର ଆୟୋଜନ କରୁଥିବା ଇ ଫାକ୍ଟର ର ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ।