ବିକାଶ ନିମ୍ନମୁଖୀ
ଡ ସନ୍ତୋଷ କୁମାର ମହାପାତ୍ର
ବର୍ତ୍ତମାନ୍ ଶାସକ ଦଳ ସର୍ବଦା ନୂଆ ନୂଆ ସ୍ଲୋଗାନ ଦେଉଛନ୍ତି । ପ୍ରଗତି ବିକାଶ ହୋଇଛି ବୋଲି ବାରମ୍ବାର କହୁଛନ୍ତି । ଯିଏ କ୍ଷମତାରେ ଥାନ୍ତି, ସେମାନେ ନିଜ ସପକ୍ଷରେ କହିବା କିଛି ନୂଆ କଥା ନୁହେଁ। କିନ୍ତୁ ବୁଦ୍ଧିଜୀବୀମାନେ ଠିକ ତଥ୍ୟ ଲୋକମାନଙ୍କ ନିକଟରେ ପହଞ୍ଚାଇବା ଉଚିତ । ଯାହା ସେମାନେ କରୁନା ନାହାଁନ୍ତି ।ତଥ୍ୟ କହୁଛି ବିକାଶ ନିମ୍ନମୁଖୀ । କେବଳ ଲୋକଙ୍କ ଅର୍ଥରେ ତାଙ୍କ ପାଇଁ ଯୋଜନା କରିଦେଲେ ଲୋକ ଭଲରେ ଅଛନ୍ତି ବୋଲି ଭାବିବା ଭୁଲ୍। ଲୋକ ଭଲରେ ନାହାଁନ୍ତି ବୋଲିତ ୮୦ କୋଟି ଲୋକଙ୍କୁ ଖାଦ୍ୟ ଶସ୍ୟ ଯୋଗାଇ ଦେବାକୁ ପଡୁଛି। ବର୍ତ୍ତମାନ୍ ଲୋକଙ୍କ ଜୀବନର ମାନଦଣ୍ତ ଓ କ୍ରୟଶକ୍ତି ହ୍ରାସ ପାଇଲାବେଳେ, ସରକାର ମିଛ ସ୍ଵପ୍ନ ଦେଖାଇ ଚାଲିଛନ୍ତି । ଆଜି ଦେଶର ଅବସ୍ଥା , ଅର୍ଥନୀତିର ଅବସ୍ଥା ଭୟଙ୍କର l ଦାରିଦ୍ର୍ୟ , କ୍ଷୁଧା , ବେକାରି , ବୈଷମ୍ୟ ଭୟଙ୍କର । ଉଲ୍ଲେଖଯୋଗ୍ୟଯେ ବିଶ୍ଵର ସର୍ବାଧିକ ଭୋକିଲା, ଗରିବ, ବାସହୀନ ଏବଂ ଆଧୁନିକ କ୍ରୀତଦାସ ଭାରତରେ ଅଛନ୍ତି । ମିଳିତ ଜାତିସଂଘର ଉନ୍ନୟନ କାର୍ଯ୍ୟକ୍ରମ (UNDP)ର ବିଶ୍ୱ ବହୁମୁଖୀ ଦାରିଦ୍ର୍ୟ ସୂଚକାଙ୍କ-୨୦୨୧ ଅନୁସାରେ ଭାରତରେ ବହୁମୁଖୀ ଦାରିଦ୍ର୍ୟ ହାର ଜନସଂଖ୍ୟାର ୧୪.୪%। ନୀତିଆୟୋଗ ଅନୁସାରେ ଭାରତରେ ୨୦୧୯-୨୧ରେ ବହୁମୁଖୀ ଦାରିଦ୍ର୍ୟ ହାର ୧୪.୯୬% ବା ୨୦.୭୯ କୋଟିରୁ ଅଧିକ । ୨୦୧୧ଜନଗଣନା ଅନୁଯାୟୀ ଭାରତ ପ୍ରାୟ ୧.୭୭ ନିୟୁତ ବାସହୀନ ଅଛନ୍ତି , ସେଥିମଧ୍ୟରୁ ପ୍ରାୟ ୫୨% ଦେଶର ସହରାଞ୍ଚଳରେ ବାସ କରନ୍ତି। ଭାରତରେ ବିଶ୍ୱରେ ସର୍ବାଧିକ ଆଧୁନିକ କ୍ରୀତଦାସ ଅଛନ୍ତି, ଯାହାର ସଂଖ୍ୟା ୧.୪ କୋଟିରୁ ରୁ ୧.୮ କୋଟି ହେବ। ନେଦରଲ୍ୟାଣ୍ଡର ଜନସଂଖ୍ୟା ଅପେକ୍ଷା ଭାରତରେ ଆଧୁନିକ କ୍ରୀତଦାସ ଅଧିକ ।
ବିକଶିତ ରାଷ୍ଟ୍ର ହେବା ବହୁ ଦୂରର କଥା , ସବୁ ଆନ୍ତର୍ଜାତୀୟ ସୂଚକାଙ୍କରେ ଭାରତ ଅତ୍ୟନ୍ତ ନିମ୍ନରେ ରହିଛି । ମୁଣ୍ଡପିଛା ଆୟ ଦୃଷ୍ଟିରୁ ଭାରତ ବିଶ୍ୱରେ ୧୪୨ ତମ ସ୍ଥାନରେ ରହିଛି, ଅର୍ଥାତ୍ ଏହା ୧୪୧ ଦେଶ ତଳେ ଅଛି। ଏପରିକି ବାଂଲାଦେଶ ପଛରେ। ସେହିପରି, ମୁଣ୍ଡପିଛା ଆୟ (କ୍ରୟ ଶକ୍ତି ସମତା) ଦୃଷ୍ଟିରୁ ଭାରତ ବିଶ୍ଵରେ ୧୨୭ ତମ ସ୍ଥାନରେ ଅଛି, ଅର୍ଥାତ୍ ଏହା ୧୨୬ ଦେଶ ତଳେ ଅଛି ।
ବିଶ୍ୱର କ୍ଷୁଧା ସୁଚକାଙ୍କରେ ୨୦୨୨ ଅନୁସାରେ ୧୨୧ଟି ଦେଶ ମଧ୍ୟରେ ଭାରତର ସ୍ଥାନ ୧୦୭ । ଅର୍ଥାତ ୧୦୬ଟି ଦେଶ ତଳେ କ୍ଷୁଧା ସ୍ତର ସାଙ୍ଘାତିକ।ପୁନଶ୍ଚ ସୁସ୍ଥ ଖାଦ୍ୟ ପାଇବାକୁ ଅସମର୍ଥ ଭାରତୀୟଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଭାରତ ମାନବ ବିକାଶ ସୂଚକାଙ୍କ ୨୦୨୧-୨୨ରେ ୧୯୧ଟି ଦେଶ ମଧ୍ୟରୁ ୧୩୨ତମ ସ୍ଥାନରେ ରହିଛି ।ଅର୍ଥାତ ୧୩୧ଦେଶ ତଳେ । ବିଶ୍ୱ ଖୁସି ସୂଚକାଙ୍କରେ ୨୦୨୩ରେ ଭାରତ ୧୪୯ଟି ଦେଶ ମଧ୍ୟରୁ ୧୨୬ତମ ସ୍ଥାନରେ ରହିଛି । ।ଅର୍ଥାତ ୧୨୫ଦେଶ ତଳେ । ଇନଷ୍ଟିଚ୍ୟୁଟ୍ ଫର ଇକୋନୋମିକ୍ସ ଆଣ୍ଡ ପିସର ବିଶ୍ୱ ଶାନ୍ତି ସୂଚକାଙ୍କ ୨୦୨୩ ରେ ୧୬୩ଟି ଦେଶ ମଧ୍ୟରୁ ୧୨୬ ତମ ସ୍ଥାନରେ ରହିଛି । ଅର୍ଥାତ ୧୨୫ଟି ଦେଶ ତଳେ । ଭାରତ “ନିମ୍ନ” ଶାନ୍ତି ଦେଶ ଭାବେ ସ୍ଥାନିତ ହୋଇଛି।
ସ୍ଥାୟୀ ବିକାଶ ସମାଧାନ ନେଟୱାର୍କ (SDSN) ର ସ୍ଥାୟୀ ବିକାଶ ସୂଚକାଙ୍କରେ ଏବଂ ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ଦିଗରେ ଦେଶର ଅଗ୍ରଗତି ଜଣାପଡିଥାଏ । ସ୍ଥାୟୀ ବିକାଶ ସୂଚକାଙ୍କ ୨୦୨୨ରେ ୧୬୩ଟି ଦେଶ ମଧ୍ୟରୁ ୧୨୦ ତମ ସ୍ଥାନରେ ରହିଛି । ଅର୍ଥାତ ୧୧୯ଟି ଦେଶ ତଳେ । ୟେଲ ଏବଂ କଲମ୍ବିଆ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରକାଶିତ ପରିବେଶ ପ୍ରଦର୍ଶନ ସୂଚକାଙ୍କ ୨୦୨୨ରେ ଭାରତ ୧୮୦ଟି ଦେଶ ମଧ୍ୟରୁ ସର୍ବନିମ୍ନ ୧୮୦ ସ୍ଥାନରେ ରହିଛି । ଲେଗାଟମ୍ ସମୃଦ୍ଧତା ସୂଚକାଙ୍କ ୨୦୨୩ ରେ ଭାରତ ୧୬୭ ଦେଶମଧ୍ୟରୁ ର ୧୦୩ ତମ ସ୍ଥାନ ହାସଲ କରିଛି। ଅର୍ଥାତ ୧୦୨ଟି ଦେଶ ତଳେ ରହିଛି ।
ହ୍ୟୁମାନ୍ କ୍ୟାପିଟାଲ୍ ଇଣ୍ଡେକ୍ସ (HCI)୨୦୨୦ ରେ ୧୭୪ଟି ଦେଶ ମଧ୍ୟରେ ଭାରତ ୧୧୬ ତମ ସ୍ଥାନରେ ରହିଛି ।ଇନଷ୍ଟିଚ୍ୟୁଟ୍ ଫର ଇକୋନୋମିକ୍ସ ଆଣ୍ଡ ପିସର ବିଶ୍ଵ ଆତଙ୍କବାଦ ସୂଚକାଙ୍କରେ ଭାରତ ୧୩ତମ ସ୍ଥାନରେ ରହିଛି । ଅକ୍ସଫାମ ଇଣ୍ଟରନ୍ୟାସନାଲ ଅସମାନତା ଦୂର କରିବାର ସୂଚକାଙ୍କ (CRII) ୨୦୨୦ରେ୧୨୩ ତମ ସ୍ଥାନରେ ଅର୍ଥାତ୍ ୧୨୨ ଦେଶ ତଳେ ରହିଛି । ସାମାଜିକ ପ୍ରଗତି ସୂଚକାଙ୍କ ୨୦୨୨ରେ ୧୧୦ ତମ ସ୍ଥାନ ବା ୧୦୯ଦେଶ ତଳେ ରହିଛି । ଇନଷ୍ଟିଚ୍ୟୁଟ୍ ଫର ମ୍ୟାନେଜମେଣ୍ଟ ଆଣ୍ଡ ଡେଭଲପମେଣ୍ଟ (IMD) ର ବିଶ୍ୱ ପ୍ରତିଯୋଗିତା ସୂଚକାଙ୍କ ୨୦୨୨ରେ ୩୭ ତମ ସ୍ଥାନରେ (୩୬ଦେଶ ତଳେ) ରହିଛି ।
ଭାରତରେ ଅଶାନ୍ତି, ଆତ୍ମହତ୍ୟା, ଅପରାଧ ବୃଦ୍ଧି ପାଇଛି। ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ ତଥ୍ୟ ୨୦୨୧ ଅନୁଯାୟୀ, ଆତ୍ମହତ୍ୟା ଦେଶରେ କ୍ରମଶଃ ବୃଦ୍ଧି ପାଉଛି । ୨୦୧୭ରେ ଆତ୍ମହତ୍ୟା କରିଥିବା ଲୋକଙ୍କ ସଂଖ୍ୟା ୧,୨୯,୮୮୭ ଥିଲାବେଳେ ୨୦୨୧ରେ ୧,୬୫, ୦୩୩ କୁ ବୃଦ୍ଧି ପାଇଛି । ସେହିପରି ଛାତ୍ର ଆତ୍ମହତ୍ୟା ମଧ୍ୟ ଗତ ପାଞ୍ଚ ବର୍ଷ ହେଲା କ୍ରମାଗତ ଭାବେ ବୃଦ୍ଧି ପାଉଛି। ୨୦୨୦ରେ ଏହା ୧୨,୫୨୬ ଥିଲାବେଳେ ୨୦୨୧ରେ ୧୩,୦୮୯କୁ ବୃଦ୍ଧିପାଇଛି । ସାମ୍ପ୍ରତିକ ଅଧ୍ୟୟନରୁ ଜଣାପଡିଛି ଯେ ଭାରତର ଯୁବକମାନଙ୍କ ମଧ୍ୟରେ ଉଦାସୀନତା ବା ଡିପ୍ରେସନ ହାର ୩୧% ରୁ ୫୭% ମଧ୍ୟରେ ରହିଛି । ୟୁନିସେଫ ଆହୁରି ମଧ୍ୟ ରିପୋର୍ଟ କରିଛି ଯେ ଭାରତରେ ୧୫ ରୁ ୨୪ ବର୍ଷ ବୟସର ସାତଜଣ ଯୁବକ/ଯୁବତୀଙ୍କ ମଧ୍ୟରୁ ଜଣେ ସର୍ବଦା ଉଦାସୀନ ଅନୁଭବ କରନ୍ତି କିମ୍ବା କାର୍ଯ୍ୟ କରିବାକୁ ଆଗ୍ରହ ପ୍ରକାଶ କରନ୍ତି ନାହିଁ ।
ଅପରପକ୍ଷରେ ଭାରତରେ ଧନୀ ଅଧିକ ଧନିହେଉଛନ୍ତି।
କ୍ରେଡିଟ୍ ସୁଇସ୍ ଏବଂ ୟୁନିଅନ୍ ବ୍ୟାଙ୍କ ଅଫ୍ ସ୍ୱିଜରଲ୍ୟାଣ୍ଡ (ୟୁବିଏସ୍) ମିଳିତ ଭାବରେ ଏକ ବିସ୍ତୃତ ତଥ୍ୟ ଭିତ୍ତିକ ବିଶ୍ଵ ସମ୍ପଦ ରିପୋର୍ଟ-୨୦୨୨ ଉନ୍ମୋଚନ କରିଛି । ବିଶେଷତଃ ଯେତେବେଳେ ସମଗ୍ର ବିଶ୍ୱରେ ହାରାହାରି ସମ୍ପଦ ହ୍ରାସ ପାଇଛି , ଭାରତରେ ତାହା ବୃଦ୍ଧି ପାଇଛି । ୨୦୨୨ ମସିହାରେ, ଭାରତୀୟଙ୍କ ହାରାହାରି ସମ୍ପଦ ୪.୬% ବା ୬୭୫ ୫ ବିଲିୟନ ଡ଼ଲାର ବୃଦ୍ଧିପାଇ ୧୫.୪ ଟ୍ରିଲିୟନ ଡ଼ଲାରରେ ପହଞ୍ଚିଥିଲା । କିନ୍ତୁ ପ୍ରଶ୍ନ ହେଉଛି ଏହି ଯେଉଁ ସମ୍ପଦ ବୃଦ୍ଧି ପାଇଛି ତାହା କାହା ପାଖକୁ ଯାଇଛି । ଆର୍ଥିକ ବୈଷମ୍ୟ ଗିନି କୋଏଫିସିଏଣ୍ଟ୍ ଦ୍ୱାରା ଜଣାପଡିଥାଏ । ଗିନି କୋଏଫିସିଏଣ୍ଟ୍ ଶୂନ ହେଲେ ଆଦୌ ବୈଷମ୍ୟ ନାହିଁ ଏବଂ ୧୦୦ ହେଲେ ସମ୍ପୁର୍ଣ୍ଣ ବୈଷମ୍ୟ । ୨୦୦୦ମସିହାରେ ଗିନି କୋଏଫିସିଏଣ୍ଟ୍ ୭୪.୬ ଥିଲା ଏବଂ ୨୦୨୨ରେ ୮୨.୫ କୁ ବୃଦ୍ଧି ପାଇଛି। ଯାହା ବୈଷମ୍ୟ ବୃଦ୍ଧି ସୂଚାଉଛି । ୨୦୨୨ ମସିହାରେ ଭାରତର ଧନୀ ୧% ଙ୍କ ହାତରେ ୪୦.୪% ସମ୍ପଦ ରହିଛି । ବିଶ୍ଵ ବୈଷମ୍ୟ ରିପୋର୍ଟ ୨୦୨୨ ଅନୁସାରେ , ବୈଷମ୍ୟ ସର୍ବାଧିକ ସ୍ତରରେ ପହଞ୍ଚିଛି ଏବଂ ଧନୀ ୧୦% ହାତରେ ୫୭% ସମ୍ପଦ ରହିଛି । ବ୍ରିଟିଶ ଉପନିବେଶ ଶାସନ ବେଳେ (୧୮୫୮-୧୯୪୭) ହାରାହାରି ୫୦% ଥିଲା । ଏଣୁ ବିକାଶ ଧନୀଙ୍କର ହୋଇଛି।
ମୋ:୯୪୩୭୨୦୮୭୬୨