‘ମିଡିଆର ଅବକ୍ଷୟ ପାଇଁ ଗଣ ସମପରିମାଣରେ ଦାୟି’
ଭୁବନେଶ୍ୱର,୨୭ା୧୦
କିଛି ଗଣମାଧ୍ୟମ ଗୋଦି ମିଡିଆର ଭୂମିକାରେ, କିନ୍ତୁ ସବୁ ଗଣମାଧ୍ୟମ ଯେ ନିଜର ଧର୍ମ ପାଳନ କରୁନାହାନ୍ତି ବୋଲି କହିବା ଭୁଲ ହେବ । ତେବେ ଗଣମାଧ୍ୟମର ଯେଉଁ ଅବକ୍ଷୟ ସାମ୍ନାକୁ ଆସୁଛି ଏଥିପାଇଁ ସମ ପରିମାଣରେ ଗଣ ମଧ୍ୟ ଦାୟୀ । ଗଣଙ୍କ ମଧ୍ୟରେ ଚେତନାର ଜାଗୃତିରେ ଗଣମାଧ୍ୟମର ଅବକ୍ଷୟ ଦୂର ହେବ ।
ବର୍ତ୍ତମାନ ପରିସ୍ଥିତିରେ ଗଣମାଧ୍ୟମ ପରିଚୟ ସଙ୍କଟରେ । ଆଲୋଚନା, ସମାଲୋଚନା ଏପରି ବୌଦ୍ଧିକ ବିତର୍କ ନହେଲେ ନିଷ୍କର୍ଷ ବାହାରେ ନାହିଁ । ଶାସକ ଓ ବିରୋଧୀ ଏଥିପ୍ରତି ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ବୋଲି ଆଜି ଭୁବନେଶ୍ୱରର ଜୟଦେବ ଭବନରେ ‘ବଡ଼ ଖବର’ ପକ୍ଷରୁ ଆରେମ୍ଭ ହୋଇଥିବା ମାସିକ ମନ୍ଥନ କାର୍ଯ୍ୟକ୍ରମ ‘ଗଣମାଧ୍ୟମ କରୁଛି କ’ଣ’ରେ ଯୋଗଦେଇ ବିଶିଷ୍ଟ ଆଲୋଚକମାନେ ଯୋଗଦେଇ ନିଜସ୍ୱ ମତ ଦେଇଛନ୍ତି ।
ବରିଷ୍ଠ ସାମ୍ବାଦିକ ଗିରିଜା ଶଙ୍କର ଦାସଙ୍କ ସଂଚାଳନରେ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ରବି ଦାସ ଅଂଶ ଗ୍ରହଣ କରି କହିଲେ ନିରପେକ୍ଷ ଗଣମାଧ୍ୟମ ବିନା ଗଣତନ୍ତ୍ରର ଅସ୍ଥିତ୍ୱ ଅସମ୍ଭବ । ଏହା ସତ୍ତ୍ୱେ ଗଣମାଧ୍ୟମ ନ କରିବା କଥା କରୁଛି । ସେ ଉଦାହରଣ ଦେଇ କହିଲେ ୪୦୬ ସଦସ୍ୟଙ୍କ ସମର୍ଥନରେ ପ୍ରଧାନମନ୍ତ୍ରୀ ହୋଇଥିବା ରାଜୀବ ଗାନ୍ଧୀ ଗଣମାଧ୍ୟମର କଣ୍ଠରୋଧ ପାଇଁ ପ୍ରୟାସ କରିଥିଲେ । ମାତ୍ର ସମଗ୍ର ଦେଶର ଗଣମାଧ୍ୟମ ସମ୍ମିଳିତ ଭାବେ ବିରୋଧ କରିବାରୁ ତାଙ୍କ ଉଦ୍ୟମ ଫସର ଫାଟି ଯାଇଥିଲା । ଏବେ ସେହି ଅବସ୍ଥା ଦେଶ ତଥା ରାଜ୍ୟରେ ସୃଷ୍ଟି ହୋଇଥିଲେ ମଧ୍ୟ ସମସ୍ତେ ନୀରବ । ଯାହା ସତ୍ୟ ନୁହେଁ, ତା’ ପଛରେ ସମସ୍ତେ ଧାଇଁଛନ୍ତି । ସାମ୍ବାଦିକଙ୍କ ଭୂମିକାକୁ ସଙ୍କୁଚିତ କରିଦିଆଯାଉଛି । ଗଣମାଧ୍ୟମକୁ ଉଦ୍ଧାର କରିବା ଏବେ ଅତି ଜରୁରୀ ହୋଇପଡିଛି ବୋଲି ମତ ଦେଇଥିଲେ । ଅନ୍ୟତମ ଆଲୋଚକ ବରିଷ୍ଠ ସାମ୍ବାଦିକ ତଥା ଲେଖକ ସନ୍ଦିପ ସାହୁ କହିଲେ ଗଣମାଧ୍ୟମ ସରକାରଙ୍କ ଉପରେ ତୀକ୍ଷ୍ମଦୃଷ୍ଟି ରଖିବା ବଦଳରେ ବିରୋଧୀ ଦଳକୁ ଟାର୍ଗେଟ କରୁଛି । ସରକାରଙ୍କ ଚକ୍ଷୁଶୂଳ ହେବା ପରିବର୍ତ୍ତେ ସାମ୍ବାଦିକମାନେ ପ୍ରିୟପାତ୍ର ହେବାକୁ ଚାଲିଛି ପ୍ରତିଯୋଗୀତା । ଖବର ଅଖବର ହୋଇଯାଉଛି । ଗୋଟିଏ ଗଣମାଧ୍ୟମ ଉପରେ ଆକ୍ରମଣ ହେଲେ ଅନ୍ୟମାନେ ଖୁସି ହେଉଛନ୍ତି । ଗଣମାଧ୍ୟମ ଲୋକସମ୍ପର୍କ କାମ କରୁଥିବାରୁ ବିଶ୍ୱାସନୀୟତା ହରାଇବସିଛି । ବରିଷ୍ଠ ସାମ୍ବାଦିକ ସତ୍ୟପ୍ରକାଶ ନାୟକ କହିଥିଲେ ଏବେ ଗଣମାଧ୍ୟମ ଭୟରେ ରହିଛି । ଯେଉଁମାନେ ଆଇନ ଭାଙ୍ଗୁଛନ୍ତି, ଯେଉଁମାନେ ଶୋଷଣ କରୁଛନ୍ତି ସେମାନଙ୍କ ସହ ଅଛି ଗଣମାଧ୍ୟମ । କାର୍ଯ୍ୟପାଳିକା ଶାସକର ନିର୍ବାଚନୀ ଏଜେଣ୍ଡା କାର୍ଯ୍ୟକାରୀ କରୁଥିବାରୁ ବ୍ୟବସ୍ଥାର ପରିବର୍ତ୍ତନ ନିହାତି ଜରୁରୀ ହୋଇପଡିଛି । ବରିଷ୍ଠ ସ୍ତମ୍ଭକାର ତଥା ରାଜନୀତି ସମୀକ୍ଷକ କେଦାର ମିଶ୍ର କହିଥିଲେ ଆମେ କେହି ସମ୍ବାଦିକ ଭାବେ କାମ କରୁନୁ । ଜଣେ ନିରୁତା ସାମ୍ବାଦିକ ପରିଚୟ ନେଇ ବଞ୍ଚôବାକୁ ଚାହୁଁନି । ପୋଷା ଶୁ୍ରଆ ନହେଲେ ବନ୍ଧା ହେବା ଥୟ । ଗଣମାଧ୍ୟମ ଏକ ବଡ଼ ବ୍ରାକେଟ୍ । ମଝିରେ ଅଛି ଏକଛତ୍ରବାଦ । ସ୍ତମ୍ଭକାର ତଥା ଲେଖକ ଦେବପ୍ରସାଦ ପରିଜା କହିଲେ, ଗଣମାଧ୍ୟମ କ’ଣ କରୁଛି ସାଧାରଣ ଲୋକେ ଦେଖୁଛନ୍ତି । ଯିଏ ପ୍ରଶ୍ନ କରୁଛି ତାକୁ ସଂକୀର୍ଣ୍ଣ ବୋଲି ଆଖ୍ୟା ଦିଆଯାଉଛି । ଏହା ଗଣତନ୍ତ୍ରର ସୌନ୍ଦର୍ଯ୍ୟ ନଷ୍ଟ କରୁଛି । ସବୁ ମୁଖ୍ୟମନ୍ତ୍ରୀମାନେ ଗଣମାଧ୍ୟମର ସମ୍ପାଦକ ହେବାକୁ ଉଦ୍ୟମ କରୁଛନ୍ତି । ଆଉ ସମ୍ପାଦକମାନେ ମନ୍ତ୍ରୀ ହେବାକୁ ଚେଷ୍ଟା କରୁଛନ୍ତିି । ସେଇଥି ପାଇଁ ତ ଦେଶ ଓ ରାଜ୍ୟରେ ଜାରି ହୋଇଛି ଅଘୋଷିତ ଜରୁରୀକାଳୀନ ପରିସ୍ଥିତି ।
ବରିଷ୍ଠ ସାମ୍ବାଦିକ ସୂର୍ଯ୍ୟମଣି ମିଶ୍ର ସ୍ୱାଗତ ଭାଷଣ ଦେବା ପରେ ଅତିଥିମାନେ ଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ପରେ ଆରମ୍ଭ ହୋଇଥିଲା ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ । ଆଲୋଚ୍ୟ ପ୍ରସଙ୍ଗକୁ ନେଇ ପ୍ରଥମେ ଅତିଥିମାନଙ୍କ ମଧ୍ୟରେ ହୋଇଥିଲା ତର୍କ । ପରେ ଶ୍ରେତାମାନେ ଅତିଥିମାନଙ୍କୁ ଗୁଡେଇ ତୁଡେଇ ପ୍ରଶ୍ନ କରିଥିଲେ । ଆଉ ସବୁ ପ୍ରଶ୍ନର ଉତ୍ତର ଅତିଥିମାନେ ଦେଇଥିଲେ । ପ୍ରତି ମାସର ଶେଷ ସପ୍ତାହରେ ଭୁବନେଶ୍ୱରରେ ମାସିକ ମନ୍ଥନ କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ‘ବଡ଼ ଖବର’ ପକ୍ଷରୁ ସୂଚନା ଦିଆଯାଇଛି ।