କାର୍ତ୍ତିକ ଆରମ୍ଭରୁ ପରିବା ଦର ଆକାଶଛୁଆଁ : ପରିବା ଚାଷୀ ଗଞ୍ଜେଇ ଚାଷ ଆଡେ ମୁହାଁଉଛନ୍ତି : ନିୟନ୍ତ୍ରଣ ପାଇଁ ଦାବୀ
ବାଲିଗୁଡା: କାର୍ତ୍ତିକ ମାସ ଆରମ୍ଭରୁ ହିଁ ପରିବା ଦର ହୁ ହୁ ହୋଇ ବଢିବାରେ ଲାଗିଛି । ପୂଣ୍ୟ ମାସ ଭାବେ କଥିତ ଏହି ମାସରେ ସଂଖ୍ୟାଧିକ ଘରେ ଆମିଷ ନିଷେଧ । ଏଣୁ ସାଦା ବା ନିରାମିଷ ଖାଦ୍ୟ ପାଇଁ ପନିପରିବା ଉପରେ ଅଧିକ ନିର୍ଭରଶୀଳ ହୋଇ ପଡୁଛନ୍ତି ଲୋକେ । ହେଲେ ଗତ କିଛି ଦିନରେ ପନିପରିବା ଦର ବେଶ୍ ଦର ବୃଦ୍ଧି ପାଇଛି, ଯାହାକୁ ନେଇ ଗ୍ରାହକ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ତେବେ ଅନ୍ୟ ଉପାୟ ନହୋଇ ଲୋକେ ପୂର୍ବାପେକ୍ଷା କମ୍ ପରିମାଣର ପନିପରିବା ନେଇ କାମ ଚଳାଇବାକୁ ବାଧ୍ୟ ହେଉଛନ୍ତି । ପକେଟରୁ ଅଧିକ ଟଙ୍କା ଯାଉଛି, ମାତ୍ର ବ୍ୟାଗରେ ପରିବା ଭର୍ତି ହେଉନି । ବାଲିଗୁଡା ବ୍ଳକର ବଡଗାଁ, ବୁଡୁରୁକିଆ, ସିନ୍ଦ୍ରିଗାଁ, ସାଉଟିକିଆ, ବାଦେକେତା, ଡେଲାରପଦର, ଗୁମାପଦର ସମେତ ନିକଟବର୍ତୀ ଗ୍ରାମଞ୍ଚଳରୁ ପ୍ରଚୁର ପରିମାଣରେ ପରିବା ଆମଦାନୀ ହୋଇ ବ୍ରହ୍ମପୁର, ନୟାଗଡ, ଭୁବନେଶ୍ୱର, କଟକ ସମେତ ନିକଟବର୍ତ୍ତୀ ଅଞ୍ଚଳକୁ ବହୁଳ ପରିମାଣରେ ପନିପରିବା ରପ୍ତାନି କରାଯାଉଥିଲା l କିନ୍ତୁ ବର୍ତ୍ତମାନ କିଛି ବର୍ଷ ହେଲା ଏହି ଅଞ୍ଚଳର କେତେକ ପରିବା ଚାଷୀ ଗଞ୍ଜେଇ ଚାଷରେ ମାତି ଥିବାରୁ ପରିବା ଚାଷ ପ୍ରତି ମୁହଁ ମୋଡିଛନ୍ତି l ପରିବା ଚାଷରେ କମ ଲାଭ ହେଉଥିବାରୁ ଅଧିକ ଲାଭବାନ ଆଶାରେ ଅନେକ ଚାଷୀ ଗଞ୍ଜେଇ ଚାଷ ଆଡେ ମୁହାଁଇଥିବା ଜଣାପଡିଛି l ଯେଉଁ କେତେକ ପରିବା ଚାଷୀ ଚାଷ କରୁଥିଲେ ସେମାନଙ୍କ କହିବାନୁଯାୟୀ ସେପ୍ଟେମ୍ବର ମାସ ଆରମ୍ଭ ଠାରୁ ଅକ୍ଟୋବର ମାସ ଶେଷ ପର୍ଯ୍ୟନ୍ତ ବର୍ଷା ନହେବା ଯୋଗୁଁ ଯୋଗୁଁ ସ୍ଥାନୀୟ ବ୍ଳକର ବିଭିନ୍ନ ଅଞ୍ଚଳର ପନିପରିବା ଚାଷ ପ୍ରଚୁର ପରିମାଣରେ ଅମଳ ହୋଇପାରିନାହିଁ । ଯାହା ଫଳରେ ପରିବା ପାଇଁ ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶ ରାଜ୍ୟ ଉପରେ ଏବଂ ଗଞ୍ଜାମ ଜିଲ୍ଲାର ବଡ଼ଗଡ଼ ଓ ହିଞ୍ଜିଳିକାଟୁ ଉପରେ ବ୍ୟବସାୟୀ ମାନେ ନିର୍ଭର କରିବାରୁ ପରିବା ଦର ବଢିବାରେ ଲାଗିଛି ବୋଲି ବ୍ୟବସାୟୀ ମାନେ ଯୁକ୍ତି ଦର୍ଶାଇଛନ୍ତି । ଆଗାମୀ ଦିନରେ ସ୍ଥାନୀୟ ଅଞ୍ଚଳରେ ପରିବା ଆମଦାନୀ ପରେ ଦର କିଛିଟା କମିବ ବୋଲି ବ୍ୟବସାୟୀ ମାନେ ଆଶା କରିଛନ୍ତି । ଅନ୍ୟ ପକ୍ଷରେ ସ୍ଥାନୀୟ ଅଞ୍ଚଳରୁ ଆମଦାନୀ ହେଉଥିବା ପନିପରିବା ବହୁଳ ପରିମାଣରେ ବାହାର ଅଞ୍ଚଳକୁ ରପ୍ତାନି କରାଯାଉଥିବାରୁ ସ୍ଥାନୀୟ ଅଞ୍ଚଳରେ ପରିବା ଦର ବୃଦ୍ଧି ପାଉଛି ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି । ଓଷା ବ୍ରତ ତଥା ପୂଣ୍ୟ ଅର୍ଜନର ମାସ କାର୍ତ୍ତିକରେ ଅଧିକାଂଶ ଘରେ ଆମିଷ ପଶୁନି । ତେଣୁ ଏହି ମାସରେ ସାଧାରଣତଃ ଆମିଷ ଅପେକ୍ଷା ପନିପରିବାର ଚାହିଦା ବେଶ୍ ଅଧିକ । ଗତ କିଛି ଦିନରେ ପରିବା ଦର ଢେର ଅଧିକ ରହିଥିବାରୁ ଖାଉଟିଙ୍କ ପକେଟକୁ ଢିଲା କରୁଛି ପରିବା ଦର ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ବାଲିଗୁଡା ପରିବା ବଜାରରେ ଆଳୁ ଦର କିଲୋ ପିଛା ୨୦ ଟଙ୍କା ରହିଥିବା ବେଳେ ପିଆଜ ୭୦, ଟମାଟୋ ୪୦ରୁ ୪୫, ଫୁଲକୋବି ୬୦, ବିନିସି ୮୦ ରୁ ୧୦୦ , ପୋଟଳ ୬୦, ସାରୁ ୪୦, ଭେଣ୍ଡି ୪୦, ବନ୍ଧାକୋବି ୪୦ ଟଙ୍କା, ଦେଶୀ ଆଳୁ ୫୦ ଟଙ୍କା, ବାଇଗଣ ୩୦, ଗୋବର୍ଦ୍ଧନ ଝଟା ଓ ଜହ୍ନି ୪୦, କଖାରୁ ଓ ଭଣ୍ଡା ୨୫ରୁ ୩୦ ଟଙ୍କା, କଞ୍ଚା ଲଙ୍କା ୧୨୦ ଟଙ୍କା ଦରରେ ବିକ୍ରି ହେଉଛି । କାର୍ତ୍ତିକରେ ହବିଷ୍ୟାଳୀଙ୍କ ରୋଷେଇରେ ବ୍ୟବହୃତ କଞ୍ଚା କଦଳୀ ଗୋଟାକୁ ୧୦ ଟଙ୍କା ରହିଛି | ଏପରିକି ଖୋସଡା ଶାଗ ବିଡା ୨୦ ଟଙ୍କା ରହିଥିବା ଦେଖିବାକୁ ମିଳିଛି । ଗତ କିଛି ଦିନ ତଳେ ପରିବା ଦର ଯାହା ଥିଲା କାର୍ତ୍ତିକରେ ପ୍ରାୟ ଦୁଇ ଗୁଣା ହୋଇଛି । କାର୍ତ୍ତିକରେ ଆମିଷ ଖିଆ ବନ୍ଦ ଥିବାରୁ ପରିବା ଦର ବୃଦ୍ଧି ପାଇଛି l ଆବଶ୍ୟକ ଠାରୁ କମ୍ ପରିମାଣରେ ନେଇ କାମ ଚଳାଇବାକୁ ପଡ଼ୁଛି ବୋଲି କିଛି ଗ୍ରାହକ କହିଛନ୍ତି । ଗରିବ ପରିବାରର ହାଣ୍ଡିଶାଳରେ ସତେ ଯେମିତି ଏକ ବଜ୍ର ପ୍ରହାର ପଡିଛି। ଏଥି ପ୍ରତି ଖାଉଟି ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ଦର ନିୟନ୍ତ୍ରଣ କରିବାକୁ ଖାଉଟି ମହଲରୁ ଦାବୀ ହେଉଛି l