ମହାବାତ୍ୟାରେ ଧ୍ବଂସ ବିଧ୍ବସ୍ତ ବାଲୁଖଣ୍ଡ ଅଭୟାରଣ୍ୟ, ସବୁଜିମା ଫେରାଇ ଆଣିବା ଦିଗରେ ବନବିଭାଗର ନିଷ୍କ୍ରିୟତାକୁ ଦାୟୀ କଲେ ବୃକ୍ଷପ୍ରେମୀ।
କୋଣାର୍କ – ପୁରୀ ବନ୍ଯପ୍ରାଣୀ ବନଖଣ୍ଡର କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟ ବାଲୁଖଣ୍ଡ ଠାରୁ କୋଣାର୍କର କେଳୁଣୀ ମୁହାଁଣ ପର୍ଯ୍ୟନ୍ତ ଦୀର୍ଘ ୮୪ ବର୍ଗ କିଲୋମିଟର ପରିସୀମା ମଧ୍ଯରେ ଅବସ୍ଥିତ। ଗତ ୧୯୯୯ ମହାବାତ୍ୟାରେ ଏହି ସୁଦୀର୍ଘ ଅଭୟାରଣ୍ୟ ଜଙ୍ଗଲଟି ରେ ଥିବା ବହୁ ପ୍ରାଚୀନ ଔଷଧୀୟ ବୃକ୍ଷରାଜି ଓ ବିରାଟକାୟ ପୁରାତନ ଗଛ ଗୁଡ଼ିକ ଉପୁଜି ଧ୍ବଂସ ବିଧ୍ବସ୍ତ ହୋଇଥିଲା। ଯେଉଁ ଗଛ ଗୁଡ଼ିକ କୋଣାର୍କ ତଥା ଆଖପାଖ ଅଞ୍ଚଳର ଜନବସତି ମାନଙ୍କୁ ସୁରକ୍ଷା ପ୍ରଦାନ ଦିଗରେ ବିଶେଷ ସହାୟକ ହେଉଥିଲା। ମାତ୍ର ଏହି ପ୍ରାଚୀନ ବାଲୁଖଣ୍ଡ ଅଭୟାରଣ୍ୟ ଜଙ୍ଗଲର ପୁନରୁଦ୍ଧାର ପାଇଁ ବନବିଭାଗ ଯେଭଳି ଭାବେ ପଦକ୍ଷେପ ଗ୍ରହଣ କରିବା କଥା ସେଭଳି କିଛି ଆଖିଦୃଶିଆ ପଦକ୍ଷେପ ଗ୍ରହଣ ନ କରିବା ଯୋଗୁଁ ମହାବାତ୍ୟାର ୨୪ ବର୍ଷ ପରେ ମଧ୍ୟ ବାଲୁଖଣ୍ଡ ଅଭୟାରଣ୍ୟ ପୂର୍ବପରି ସବୁଜିମା ବଦଳରେ ଶ୍ରୀହୀନ ଅବସ୍ଥାରେ ରହିଛି। ଏହି ଦୀର୍ଘ ୨୪ ବର୍ଷ ଧରି କୋଣାର୍କ ବନବିଭାଗ ବାଲୁଖଣ୍ଡ ଅଭୟାରଣ୍ୟର ପୂର୍ବ ସବୁଜିମା ଫେରାଇ ଆଣିବା ପାଇଁ ଇକୋ ଡେଭେଲପମେଣ୍ଟ କମିଟି ମାଧ୍ୟମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରିଥିଲେ ମଧ୍ୟ ଅଧିକାଂଶ ଗଛ ବନବିଭାଗର ଯତ୍ନ ଅଭାବରୁ ନଷ୍ଟଭ୍ରଷ୍ଟ ହୋଇଯାଇଛି ବୋଲି ପରିବେଶବିତ ଓ ପ୍ରକୃତିପ୍ରେମୀ ମହଲରେ ଆଲୋଚନା ହେଉଛି। ବନବିଭାଗ ପକ୍ଷରୁ ବିଭିନ୍ନ ଜଙ୍ଗଲ ସୁରକ୍ଷା କମିଟିକୁ ଜଙ୍ଗଲର ସୁରକ୍ଷା ପାଇଁ ଦାୟିତ୍ବ ଅର୍ପଣ କରିଥିଲେ ମଧ୍ୟ ଆଶାନୁରୂପ ନୂତନ ଜଙ୍ଗଲ ସୃଷ୍ଟି ହୋଇପାରୁ ନ ଥିବା ବେଳେ ପ୍ରାଚୀନ ବାଲୁଖଣ୍ଡ ଅଭୟାରଣ୍ୟ ଜଙ୍ଗଲରେ ଥିବା ଗଛ ଗୁଡ଼ିକ ଢିଲା ସୁରକ୍ଷା ବ୍ୟବସ୍ଥା ଯୋଗୁଁ କାଠ ମାଫିଆ ମାନେ କାଟି ନେଉ ଥିବା ବେଳେ ଦିନକୁ ଦିନ ଅଭୟାରଣ୍ୟ ଶ୍ରୀହୀନ ହେବାକୁ ବସିଲାଣି ବୋଲି ପରିବେଶବିତ ମହଲରେ ଆଲୋଚନା ହେଉଛି। ଏହି ଅଭୟାରଣ୍ୟ ଜଂଗଲରେ ସବୁଜିମା ଫେରାଇ ଆଣିବା ପାଇଁ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ୟୟ ବରାଦ କରାଯାଉଥିବା ବେଳେ କୋଣାର୍କ ବନବିଭାଗର ଦାୟିତ୍ବହୀନତା ଓ ଖାମଖିଆଲି ମନୋଭାବ ଯୋଗୁଁ ସମ୍ଭବପର ହୋଇପାରୁ ନାହିଁ ବୋଲି ପ୍ରକୃତି ପ୍ରେମୀ ମହଲରେ ଉଦବେଗ ପ୍ରକାଶ ପାଇଛି। ବନବିଭାଗ ପକ୍ଷରୁ ମହାବାତ୍ୟା ପରେ ଲଗା ଯାଇଥିବା ଚାରା ଗୁଡ଼ିକ ମଧ୍ୟରୁ ୩୦ଭାଗ ଚାରା ବଢି ବିରାଟକାୟ ବୃକ୍ଷରେ ପରିଣତ ହୋଇଛି। ମାତ୍ର ୭୦ଭାଗ ଚାରା ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟଭ୍ରଷ୍ଟ ହୋଇଛି। ସେହିପରି ଗତ ଫନି ମହାବାତ୍ୟାରେ କ୍ଷତିଗ୍ରସ୍ତ ବାଲୁଖଣ୍ଡ ଅଭୟାରଣ୍ୟ ଜଂଗଲରେ ବନ ବିଭାଗ ପକ୍ଷରୁ ସବୁଜିମା ଫେରାଇ ଆଣିବାକୁ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ବନବିଭାଗ ଓ ଜଙ୍ଗଲ ସୁରକ୍ଷା କମିଟି ମଧ୍ୟରେ ସମନ୍ବୟ ଅଭାବରୁ ତାହା ଫଳପ୍ରଦ ହୋଇପାରି ନାହିଁ। ସଂପ୍ରତି ବାଲୁଖଣ୍ଡ ଅଭୟାରଣ୍ୟ ଓ ଆଖପାଖ ଅଞ୍ଚଳରେ କାଠ ମାଫିଆଙ୍କ ଦୈରାମ୍ତ ବୃଦ୍ଧି ଓ ରାତି ଅଧରେ ଅବାଧ ଗଛ କାଟି କାଠ ଚୋରା ଚାଲାଣ ବାଲୁଖଣ୍ଡ ଅଭୟାରଣ୍ୟର ସବୁଜିମା ଫେରାଇ ଆଣିବାରେ ଏକ ପ୍ରମୁଖ କାରଣ ପାଲଟିଛି। କୋଣାର୍କ ବନବିଭାଗ ଅଧିନସ୍ଥ ରାମଚଣ୍ଡୀ, ବାଲିକପିଳେଶ୍ବର ଓ କୋଣାର୍କ ଅଞ୍ଚଳର ଅଧିକାଂଶ ଇଡିସି ଅଂଚଳରେ କାଠ ମାଫିଆଙ୍କ ଦୌରାତ୍ମ୍ଯ ବୃଦ୍ଧି ପାଇବାରେ ଲାଗିଛି। ପୁରାତନ ବାଲୁଖଣ୍ଡ ଅଭୟାରଣ୍ୟ ଜଂଗଲରେ ଔଷଧୀୟ ଗଛ ସମେତ ମୂଲ୍ୟବାନ ଗଛ ମାନ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଲଗାଇବା ସହ ତାହାର ରକ୍ଷଣାବେକ୍ଷଣ କରି ୧୯୯୯ ମହାବାତ୍ୟା ପୂର୍ବରୁ ସବୁଜିମା ଭରା ବାଲୁଖଣ୍ଡ ଅଭୟାରଣ୍ୟ ସୃଷ୍ଟି ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ କୋଣାର୍କ ଅଞ୍ଚଳର ସାମାଜିକ କର୍ମୀ, ସଚେତନ ନାଗରିକ, ବୁଦ୍ଧିଜୀବୀ, ପରିବେଶବିତ ଓ ପ୍ରକୃତିପ୍ରେମୀ ମହଲରେ ଦାବି ହେଉଛି।