ଛତ୍ରପୁରରେ ଚାଲିଛି ଜମି ମାଫିଆଙ୍କ ରାଜ : ଟାର୍ଗେଟରେ ଚାଷୀ ଓ ସରକାରୀ ଜମି l
ଛତ୍ରପୁର: ଛତ୍ରପୁର ମୌଜାରେ ଜମି ମାଫିଆଙ୍କ ବେଲଗାମ କେଳେଙ୍କାରୀ ବଢି ଚାଲିଛି l ଟାର୍ଗେଟରେ ଚାଷୀ ଓ ସରକାରୀ ଜମି । ଚାଷୀଙ୍କ ମଜବୁରୀର ଫାଇଦା ଉଠାଇ କମ ଦରରେ କିଣା ଯାଉଛି ଏକର ଏକର ଜମି । ବନ ବିଭାଗର ବିନା ଅନୁମତିରେ କାଟି ଦିଆଯାଉଛି ଶହ ଶହ ବର୍ଷର ବଡ଼ ବଡ଼ ଗଛ। ସରକାରଙ୍କ ସବୁ ଆଇନକୁ ଫୁ କରି ଏକର ଏକର ଚାଷ ଜମିକୁ ଶାଗ ମାଛ ଦରରେ କିଣାଯାଇ ବେଫିକର ପ୍ଲଟ କଟା ଚାଲିଛି l ରାଜସ୍ବ ବିଭାଗ ସବୁ ଜାଣି ଚୂପ ଚାପ ଜମି ମାଫିଆଙ୍କ ଇଙ୍ଗିତରେ ମୋଟା ଅଙ୍କର ପଇସା ପକାଇ ମାଫିଆଙ୍କୁ ସହଯୋଗ କରୁଛନ୍ତି l ବିଭିନ୍ନ ଜାଗାରେ ଜମି ମାଫିଆ ମାନେ ସରକାରୀ ଜମି ନିକଟସ୍ଥ ଚାଷ ଜମିକୁ କମ ଟଙ୍କାରେ କ୍ରୟ କରି ପ୍ଲଟ କାଟିଲା ବେଳେ ସରକାରୀ ଜମିକୁ ମଧ୍ୟ ଉକ୍ତ ପ୍ଲଟରେ ମିଶାଇ ନିରୀହ ଲୋକଙ୍କୁ ଚଢା ଦରରେ ବିକ୍ରି କରୁଛନ୍ତି l ଏହି କ୍ଷେତ୍ରରେ ରାଜସ୍ବ ବିଭାଗ ସବୁ ଜାଣି ଚୁପ ବସୁଛନ୍ତି l ଅନେକ ଜାଗାରେ ବଡ଼ ବଡ଼ ହେବି ୱେଟ ବିଦ୍ୟୁତ୍ ଟାୱାର ତଳେ ଘର କରିବା ନିଷିଦ୍ଧ ଥିଲେ ମଧ୍ୟ ଉକ୍ତ ଟାୱାର ତଳେ ପ୍ଲଟ କାଟି ବିକ୍ରି କରାଯାଉଛି l ସେହିଭଳି କେନାଲ ତଳ,ବନ୍ଧ ତଳ,ଜଳାଶୟ ଜମି ଗୁଡିକୁ ମଧ୍ୟ ମାଫିଆ ମାନେ ପ୍ଲଟ କାଟି ବିକ୍ରି କରିଦେଉଛନ୍ତି l ଖୋଳତାଡ଼ କଲେ ଅନେକ କେଳେଙ୍କାରୀ ପଦାକୁ ଆସିବ ଏହି କାରବାର କୋଟି କୋଟି ଟଙ୍କାର ନଗଦ ଲେଣଦେଣ ଚାଲୁଥିବା ବେଳେ ସାଧାରଣ ଜନତା ଓ ନିରିହ ଚାଷୀ ଏହାର ଶୀକାର ହେଉଛନ୍ତି। ତେବେ ଛତ୍ରପୁର ମୌଜା ଜମି ମାଫିଆଙ୍କ ସ୍ବର୍ଗପୁର ପାଲଟିଥିବା ବେଳେ ଓ ରାଜସ୍ବ ବିଭାଗ ଜମି ମାଫିଆଙ୍କ ରାବିଡି ଖାଇ ନିଦ୍ରାରେ ଶୋଇଛନ୍ତି । ସାଧାରଣରେ ଆଲୋଚନା ଯେ ବିଭାଗୀୟଙ୍କ ମଧୁଚନ୍ଦ୍ରିକାରେ ସାଧାରଣ ଜନତା ଶୋଷଣର ଶିକାର ହେଉଛନ୍ତି l