ରାଜ୍ୟ

ପ୍ରେମ, ବନ୍ଧୁତ୍ଵ, ସମତା, ନ୍ୟାୟ ଓ ମାନବିକତାର ଅଭିଯାନ
ରାଷ୍ଟ୍ରୀୟ ସାଂସ୍କୃତିକ ପଦଯାତ୍ରା କଟକରେ

କଟକ,ତା୦୪/୧୧: ବିଭିନ୍ନ ଲୋକକଳା ପ୍ରଦର୍ଶନ ମାଧ୍ୟମରେ ସାଧାରଣ ଜନତାଙ୍କ ମନରୁ ଘୃଣା, ଦ୍ଵେଷ, ଭେଦଭାବ ଦୂର କରି ଏକତା, ଶାନ୍ତି, ସଂହତି ଓ ମାନବିକତାର ବାର୍ତ୍ତା ପ୍ରଚାର କରିବା ଉଦ୍ଦେଶ୍ୟରେ ଗତ ବର୍ଷ ଏପ୍ରିଲ ୨୨ ତାରିଖରୁ ଛତିଶଗଡର ରାୟପୁରରୁ ଢାଇ ଅକ୍ଷର ପ୍ରେମର ସନ୍ଦେଶ ନେଇ ଭାରତୀୟ ଗଣନାଟ୍ୟ ସଂଘ(ଇପଟା) ପକ୍ଷରୁ ଆରମ୍ଭ ହୋଇଥିବା ରାଷ୍ଟ୍ରୀୟ ସାଂସ୍କୃତିକ ପଦଯାତ୍ରା ଆଜି କଟକଠାରେ ପହଞ୍ଚିଛି । କଟକ ସ୍ଵରାଜ୍ୟ ଆଶ୍ରମଠାରେ ଇପଟାର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ମଣିମୟ ମୁଖାର୍ଜୀ ଆମ ରାଜ୍ୟରେ ଏହି ପଦଯାତ୍ରାକୁ ଶୁଭାରମ୍ଭ କରି କହିଲେ ଯେ,ସଙ୍ଗୀତ, ନାଟକ, ଲୋକକଳା ଭାରତୀୟ ସଂସ୍କୃତିକୁ ବଞ୍ଚାଇ ରଖିଛି । ହିନ୍ଦୁ ମୁସଲମାନ,ଶିଖ, ଇସାଇ ଭଳି ଅନେକ ଧର୍ମ ଓ ସମ୍ପ୍ରଦାୟର ସମଷ୍ଟିରେ ହିଁ ଭାରତୀୟ ସଂସ୍କୃତି ପୁଷ୍ଟ ହୋଇଛି । ଏହାକୁ ବଞ୍ଚାଇ ରଖିବା ପ୍ରତିଟି ଭାରତୀୟର କର୍ତ୍ତବ୍ୟ ।
ଇସକଫ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଉତ୍କଳ ସର୍ବୋଦୟ ମଣ୍ଡଳ ଓ ଉତ୍କଳ ଗାନ୍ଧୀ ସ୍ମାରକ ନିଧିର ସହଯୋଗରେ ସ୍ଵରାଜ୍ୟ ଆଶ୍ରମରୁ ଆରମ୍ଭ ହୋଇ ଏହି ପଦଯାତ୍ରା ଭାଷାକୋଷ ଲେନ ଦେଇ ନିମଚଉଡି, ବାଲୁ ବଜାର, ନାୟାସଡକ ଦେଇ ଗୌରୀଶଙ୍କର ପାର୍କଠାରେ ପହଞ୍ଚି କବିବର ରାଧାନାଥ ରାୟ ଓ କର୍ମବୀର ଗୌରୀଶଙ୍କର ରାୟଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରାଯାଇଥିଲା । ସେଠାରୁ ବାହାରି ଦରଘା ବଜାରଠାରେ ପୁଣ୍ୟାତ୍ମା ଗୋପବନ୍ଧୁ ଚୌଧୁରୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ସେଠାରୁ ପଦଯାତ୍ରା କଦମରସୁଲ ଠାରେ ପହଞ୍ଚିଥିଲା। ସେଠାରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବାସଭବନ ହୋଇ, ପ୍ୟାରିମୋହନ ଆଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ସମାଜ କାର୍ଯ୍ୟାଳୟରେ ଉତ୍କଳମଣି ଗୋପବନ୍ଧୁଙ୍କୁ ସମ୍ମାନ ପ୍ରଦର୍ଶନ ପୂର୍ବକ ଉତ୍କଳ ଗୌରବ ମଧୁସୂଦନଙ୍କ ପ୍ରତିମୂର୍ତ୍ତି ଦେଇ ବାରବାଟୀ ଦୁର୍ଗ ପରିସରରରେ ଯାତ୍ରା ପହଞ୍ଚିଥିଲା । ଗୁରୁ ଆଶୀଷ ଦାସ, ଅନିମା ସାମନ୍ତରାୟ ଓ ନୃସିଂହ ଚରଣ ସାହୁଙ୍କ ତତ୍ତ୍ଵାବଧାନରେ ପାୟଲ ଓ ଓଡିଶୀ ନୃତ୍ୟ ମଣ୍ଡଳ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଦେଶାତ୍ମବୋଧକ ନୃତ୍ୟ ଓ ସଙ୍ଗୀତ ପ୍ରଦର୍ଶନ କରାହୋଇଥିଲା । କଟକର ମେୟର ସୁଭାଷ ସିଂହ, ଇପଟାର ରାଜ୍ୟ ସମ୍ପାଦକ ସୁଶାନ୍ତ ମହାପାତ୍ର, ଇସକଫର ବିଜୟ ପଢିଆରୀ, ଗାନ୍ଧୀବାଦୀ ଜଷ୍ଟିସ ମନୋରଞ୍ଜନ ମହାନ୍ତି, ଡାକ୍ତର ବିଶ୍ଵଜିତ, ଜୟନ୍ତ କୁମାର ଦାସ, ସିପିଆଇର ରାଜ୍ୟ ସମ୍ପାଦକ ଅଭୟ ସାହୁ, ଏଆଇଟିୟୁସି ନେତା କିଶୋର ଜେନା, ଚିତ୍ତ ରଞ୍ଜନ ପାତ୍ର, ପ୍ରସନ୍ନ ବେହେରା, ବ୍ୟାଙ୍କ କର୍ମଚାରୀ ନେତା ପ୍ରଫୁଲ୍ଲ ତ୍ରିପାଠୀ, ବିପିନ ବିହାରୀ ପାଢୀ, ସୁବାସ ଚନ୍ଦ୍ର ବୋଷ, ଭ୍ରମରବର ସାହୁ, ଅମରେନ୍ଦୁ ମହାନ୍ତି,ବିଦ୍ୟାପ୍ରସନ୍ନ ମହାପାତ୍ର, ଶିକ୍ଷକ ନେତା ବିବେକାନନ୍ଦ ଦାଶ,ଅଶୋକ ତା, ଇନ୍ଦ୍ରଜୀତ ଘୋଷ, ଅନିମା ରାୟ, ବିଶ୍ଵଜିତ ସୂର୍ଯ୍ୟବଂଶୀ, ବସନ୍ତ ରାଉତ, ଡା ରବିରଞ୍ଜନ ସାହୁ, ସାନନ୍ଦ ସେଠୀ,ସୁକାନ୍ତ ବାରିକ,ତପନ କୁମାର ସ୍ଵାଇଁ,ଡ ସେକ କଲିମୁଲ୍ଲା, ବିଜୟ କୁମାର ମହାନ୍ତି, ଅଖତାର ହୁସେନ,ବିଜୟ ମହାପାତ୍ର, ସଂଯୋଜ ସାମନ୍ତରାୟ,ବିନୋଦ ବେହେରା, ପ୍ରିୟବ୍ରତ ପଟ୍ଟନାୟକ ପ୍ରମୁଖ ଏହି ପଦଯାତ୍ରାର ନେତୃତ୍ଵ ନେଇଥିଲେ । ଦେଶର ଏକତା ଓ ଅଖଣ୍ଡତା ପାଇଁ ଆଗାମୀ ଦିନରେ ଓଡିଶାର ବିଭିନ୍ନ ପ୍ରାନ୍ତରେ ଏହି ପଦଯାତ୍ରା ଆୟୋଜନ କରାଯିବ ।

Leave a Reply

Your email address will not be published. Required fields are marked *