ରାଜ୍ୟ

କୋଣାର୍କ ବନବିଭାଗରେ କାଜୁ ନିଲାମ ଓ କିଣାବିକାରେ ବ୍ଯାପକ ଦୁର୍ନୀତି ଓ ଅନିୟମିତତା ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି।

କୋଣାର୍କ – କୋଣାର୍କ ବନବିଭାଗ କାର୍ଯ୍ୟାଳୟ ଅଧିନସ୍ଥ ୧୯ଗୋଟି ଇକୋ ଡେଭେଲପମେଣ୍ଟ କମିଟି ମାଧ୍ୟମରେ ହେଉଥିବା କାଜୁ ନିଲାମ ଓ କାଜୁ କିଣାବିକାରେ ବନବିଭାଗ ପକ୍ଷରୁ ବିଗତ ୫ବର୍ଷ ମଧ୍ୟରେ ବ୍ଯାପକ ଦୁର୍ନୀତି ଓ ଅନିୟମିତତା ହୋଇଥିବା ଅଭିଯୋଗ ହେଉଛି।ଖବରରୁ ପ୍ରକାଶ ଯେ କୋଣାର୍କ ବନବିଭାଗ ଅଧିନସ୍ଥ ୧୯ ଗୋଟି ଇକୋ ଡେଭେଲପମେଣ୍ଟ କମିଟି ମାଧ୍ୟମରେ ପରିଚାଳିତ ବାଲୁଖଣ୍ଡ ଅଭୟାରଣ୍ୟ ଜଂଗଲରେ ଗତ ୨୦୧୮ ମସିହା ଠାରୁ ପ୍ରତିବର୍ଷ କାଜୁ ଜଙ୍ଗଲ ନିଲାମ ସ୍ଥାନୀୟ ବନବିଭାଗ ପକ୍ଷରୁ କରାଯାଇଥାଏ। ଏହି ନିଲାମ ପ୍ରକ୍ରିୟାରେ ୧୯ ଗୋଟି ଇଡିସିର ଦାୟିତ୍ବରେ ଥିବା ଫରେଷ୍ଟର ଓ ଇଡିସି କମିଟି ସଭାପତି ଓ କର୍ମକର୍ତ୍ତା ମାନଙ୍କ ନେଇ ନିଲାମ କାର୍ଯ୍ୟ କରାଯାଇଥାଏ। କୋଣାର୍କ ବନବିଭାଗ ପକ୍ଷରୁ ନିଲାମ କରାଯାଇଥିବା କାଜୁ ଜଙ୍ଗଲକୁ ନିଲାମ ନେଇଥିବା ବ୍ୟକ୍ତି ବିଶେଷ ଜଙ୍ଗଲରୁ କାଜୁ ତୋଳିବା ପରେ ସମସ୍ତ କାଜୁ ବନବିଭାଗ କାର୍ଯ୍ୟାଳୟରେ ପୈଠ କରିଥାନ୍ତି। ୧୯ଗୋଟି ଇଡିସିର ସଂଗ୍ରହୃତ କାଜୁ ବନବିଭାଗ ମାଧ୍ୟମରେ ନିଲାମ କରାଯାଇ ମୋଟ ନିଲାମ ଅର୍ଥର ଶତକଡା ୫୦ଭାଗ ଅର୍ଥ ନିଲାମ ନେଇଥିବା ବ୍ୟକ୍ତି ବିଶେଷଙ୍କୁ ପ୍ରଦାନ କରାଯିବା ସହ ଅବଶିଷ୍ଟ ଅର୍ଥ ବନବିଭାଗ ଇଡିସି ଗୁଡିକର ଉନ୍ନୟନ କାର୍ଯ୍ୟ ପାଇଁ ନିଜ ପାଖରେ ରଖିଥାନ୍ତି। କୋଣାର୍କ ବନବିଭାଗ ପକ୍ଷରୁ ୧୯ଗୋଟି ଇକୋ ଡେଭେଲପମେଣ୍ଟ କମିଟିର ବିଭିନ୍ନ କମିଟିରୁ ଭିନ୍ନ ଭିନ୍ନ ଭାବେ କାଜୁ ସଂଗ୍ରହୃତ ହେଉଥିବା ବେଳେ ବନବିଭାଗ ଇଡିସି ମାନଙ୍କରୁ କମ ପରିମାଣର କାଜୁ ସଂଗ୍ରହ ହେଉଥିବା ଦର୍ଶାଉଥିବା ବୃକ୍ଷପ୍ରେମୀ ବନମାଳୀ ଖଟୁଆ ଅଭିଯୋଗ କରିଛନ୍ତି। ବନବିଭାଗ ପକ୍ଷରୁ କାଜୁ ନିଲାମ ବାବଦରେ ବିଗତ ୫ବର୍ଷ ମଧ୍ୟରେ ସଂଗ୍ରହୃତ ଲକ୍ଷାଧିକ ଟଙ୍କା କାଗଜ କଲମରେ ଇଡିସି ଓ ବାଲୁଖଣ୍ଡ ଅଭୟାରଣ୍ୟ ଜଂଗଲରେ ଉନ୍ନୟନ କାର୍ଯ୍ୟ ବାବଦରେ ଖର୍ଚ୍ଚ କରାଯାଉଥିବା ଦର୍ଶାଇ ବ୍ଯାପକ ଅର୍ଥ ବାଟମାରଣା କରାଯାଇଛି ବୋଲି କୋଣାର୍କ ଅଞ୍ଚଳର ବୁଦ୍ଧିଜୀବୀ, ସଚେତନ ନାଗରିକ, ବରିଷ୍ଠ ନାଗରିକ, ପରିବେଶବିତ ଓ ପ୍ରକୃତିପ୍ରେମୀ ମହଲରେ ଏହାର ଭିଜିଲାନ୍ସ ତଦନ୍ତ ଦାବି କରାଯାଇଛି। ରାଜ୍ୟ ସରକାରଙ୍କ ବନବିଭାଗ ପକ୍ଷରୁ ବାଲୁଖଣ୍ଡ ଅଭୟାରଣ୍ୟ ଜଂଗଲରେ ଥିବା ବନ୍ଯ ପ୍ରାଣୀ ମାନଙ୍କ ନିମନ୍ତେ ପୋଖରୀ ଖନନ, ଇଡିସି ଗୃହ ନିର୍ମାଣ ଓ ନବୀକରଣ, ଘାସ ଚାଷ ଓ ଚାରାରୋପଣ ନାଁରେ କୋଟି କୋଟି ଟଙ୍କା ବ୍ୟୟ ବରାଦ କରାଯାଉଥିବା ବେଳେ କାଜୁ ନିଲାମ ବାବଦରେ ଆଦାୟ ଅର୍ଥ କେଉଁ ଉନ୍ନୟନ କାର୍ଯ୍ୟରେ ଖର୍ଚ୍ଚ କରାଯାଉଛି ବୋଲି ପରିବେଶବିତ, ପ୍ରକୃତି ପ୍ରେମୀ ଓ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କାମ୍ପା ଯୋଜନା ଓ ମନରେଗା ଯୋଜନାରେ ବ୍ଯାପକ ଚାରାରୋପଣ ନିମନ୍ତେ ବନବିଭାଗ ବ୍ଯାପକ ଅର୍ଥ ବ୍ୟୟ ବରାଦ କରୁଥିବା ବେଳେ ତାହା କାଗଜ କଲମରେ କୋଣାର୍କ ବନବିଭାଗ ପକ୍ଷରୁ ହରିଲୁଟ କରାଯାଉଛି ବୋଲି ପ୍ରକୃତି ପ୍ରେମୀ ବନମାଳୀ ଖଟୁଆ ଅଭିଯୋଗ କରିଛନ୍ତି। କୋଣାର୍କ ବନବିଭାଗ ପକ୍ଷରୁ ରାମଚଣ୍ଡୀ, ଅଫିସ ପରିସର ଓ କୁରୁଜଙ୍ଗ ବିଟ ହାଉସ ସମେତ ବିଭିନ୍ନ ସ୍ଥାନରେ ଉନ୍ନୟନ କାର୍ଯ୍ୟ ନାଁରେ ବ୍ଯାପକ ହରିଲୁଟ ହେଉଥିବା ସାଧାରଣରେ ଆଲୋଚନା ହେଉଛି। ବିଗତ ୫ବର୍ଷ ମଧ୍ୟରେ କୋଣାର୍କ ବନବିଭାଗ ପକ୍ଷରୁ କାଜୁ ନିଲାମ ବାବଦରେ ସଂଗ୍ରହୃତ ଅର୍ଥ କେଉଁ କେଉଁ ସ୍ଥାନରେ ଉନ୍ନୟନ କାର୍ଯ୍ୟ ବାବଦରେ ଖର୍ଚ୍ଚ ହୋଇଛି ତାହାର ବନବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଅଥବା ଭିଜିଲାନ୍ସ ଦ୍ବାରା ତଦନ୍ତ କରାଗଲେ କୋଟି କୋଟି ଟଙ୍କାର ଦୁର୍ନୀତି ଓ ଅନିୟମିତତା ଘଟଣାର ପର୍ଦ୍ଦାଫାସ ହେବ ବୋଲି ପରିବେଶବିତ, ପ୍ରକୃତି ପ୍ରେମୀ, ବୁଦ୍ଧିଜୀବୀ ଓ ବରିଷ୍ଠ ନାଗରିକ ମହଲରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *