ରାଜ୍ୟ

ଜିନ୍ଦଲ ଷ୍ଟେନଲେସର ପ୍ରଥମ ମହିଳା ଓଭରହେଡ କ୍ରେନ୍ ପରିଚାଳକ ମିନୁ ମହାନ୍ତଙ୍କୁ

“ୱିଙ୍ଗସ ଅଫ୍ ଷ୍ଟିଲ” ଆୱାର୍ଡ଼.

ନୂଆଦିଲ୍ଲୀ/କଳିଙ୍ଗନଗର, ୭ ନଭେମ୍ବର, ୨୦୨୩ : ଜିନ୍ଦଲ ଷ୍ଟେନଲେସର ପ୍ରଥମ ମହିଳା ଓଭରହେଡ କ୍ରେନ୍ ପରିଚାଳକ ମିନୁ ମହାନ୍ତଙ୍କୁ ଇଣ୍ଡିଆନ ଷ୍ଟିଲ ଆସୋସିଏସନ୍ ତରଫରୁ “ୱିଙ୍ଗସ ଅଫ୍ ଷ୍ଟିଲ” ଆୱାର୍ଡ଼ ପ୍ରଦାନ କରାଯାଇଛି। “ଲିଙ୍ଗ ଏବଂ ବିବିଧତା” ବର୍ଗରେ ସେ ଏହି ପୁରସ୍କାର ପାଇଛନ୍ତି। ପ୍ରତିକୂଳ ପରିସ୍ଥିତି କୁ ସାମ୍ନା କରି ଆଗକୁ ଆସୁଥିବା ଯାଜପୁରର ୪୩ ବର୍ଷୀୟ ମିନୁଙ୍କ କଠିନ ଅଧ୍ୟବସାୟ ଓ ଦୃଢ଼ ସଂକଳ୍ପକୁ ଇଣ୍ଡିଆନ ଷ୍ଟିଲ ଆସୋସିଏସନ୍ ପ୍ରଶଂସା କରିଛନ୍ତି। ନଡ଼ିଆଭଙ୍ଗା ପଞ୍ଚାୟତ ର ରଙ୍ଗାହୁଡ଼ି ର ବାସିନ୍ଦା ମିନୁଙ୍କ ବାପା ବୃତ୍ତିରେ ରାଜମିସ୍ତ୍ରୀ ଏବଂ ମାତ୍ର ୧୪ ବର୍ଷ ବୟସରେ ମିନୁଙ୍କ ବିବାହ ହୋଇଥିଲା ଆଉ ୨୫ ବର୍ଷ ବୟସରେ ସେ ହୋଇଗଲେ ବିଧବା।କଠିନ ପରିସ୍ଥିତିରେ ମଧ୍ୟ ଦୃଢ଼ ସାହସ ବଳରେ ହାର ମାନି ନଥିବା ମିନୁଙ୍କୁ ନୂଆଦିଲ୍ଲୀରେ ଅନୁଷ୍ଠିତ ଆଇଏସଏ ଷ୍ଟିଲ କନକ୍ଲେଭର ଚତୁର୍ଥ ସଂସ୍କରଣରେ ଜ୍ୟୁରି ସ୍ପେଶାଲ ଆୱାର୍ଡ଼ ଦିଆଯାଇଛି। ଜିନ୍ଦଲ ଷ୍ଟେନଲେସରେ ଯୋଗ ଦେବା ପୂର୍ବରୁ ମିନୁ ପଥର ଭାଙ୍ଗିବା କାମ କରୁଥିଲେ। ଏହା ପରେ ୨୦୧୧ ମସିହାରେ ଜିନ୍ଦଲ ଷ୍ଟେନଲେସର ଷ୍ଟିଲ ମେଲ୍ଟିଂ ସପ୍ ର ହାଉସ କିପିଙ୍ଗ ଦଳରେ ଯୋଗ ଦେଲେ। ମେସିନ ପରିଚାଳନା କରିବା କାମ ଶିଖିବା ପାଇଁ ତାଙ୍କର ପ୍ରବଳ ଇଚ୍ଛା ଶକ୍ତି ଥିଲା। ଯାହା ଫଳରେ ଖୁବ୍ ଶୀଘ୍ର ସେ ଇଞ୍ଜିନ ଚାଳିତ କ୍ଲିନିଂ ଯାନ ଚଳାଇବା ଶିଖିପାରିଲେ। ନିଜର ସୁପରଭାଇଜର ଓ ସହକର୍ମୀ ମହିଳାମାନଙ୍କ ପ୍ରେରଣାରେ ସେ ଓଭରହେଡ କ୍ରେନ ପରିଚାଳନାରେ ଆଗ୍ରହ ଦେଖାଇଲେ , ଯାହାକି ପ୍ଲାଣ୍ଟର ସବୁଠୁ କଷ୍ଟ କାମ ଏବଂ ଯେଉଁଥିରେ ମୁଖ୍ୟତଃ ପୁରୁଷ ଲୋକେ କାମ କରନ୍ତି। କେବଳ ଏକ ମାସ ମଧ୍ୟରେ ମିନୁ ଓଭରହେଡ କ୍ରେନ ପରିଚାଳନାରେ ଦକ୍ଷତା ହାସଲ କଲେ ଏବଂ ଏହି କ୍ଷେତ୍ରରେ ଥିବା ଲିଙ୍ଗଗତ ଭେଦଭାବକୁ ଦୂର କରିବାରେ ସକ୍ଷମ ହୋଇଥିଲେ। ପୁରସ୍କାର ଗ୍ରହଣ କରିବା ଅବସରରେ, ମିନୁ ମହାନ୍ତ କହିଛନ୍ତି , ” ଏହା ମୋ ପାଇଁ ଏକ ବଡ ଦିନ….ମୋ ମତରେ ସାହସୀ ହେବା ଛଡ଼ା ମହିଳାଙ୍କ ପାଇଁ ଅନ୍ୟ କୌଣସି ବିକଳ୍ପ ନାହିଁ। ଜିନ୍ଦଲ ଷ୍ଟେନଲେସରେ ମୋତେ ସୁଯୋଗ ମିଳିଥିବାରୁ ମୁଁ କୃତଜ୍ଞ ଏବଂ ଏକ ସାହସୀ ଓ ନିର୍ଭୀକ ମହିଳା ଦଳ ଗଠନ କରିବା ପାଇଁ ମୁଁ ପ୍ରତିବଦ୍ଧ। “
ଜିନ୍ଦଲ ଷ୍ଟେନଲେସର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି , “ମିନୁଙ୍କ ସାହସ ଓ ପରିଶ୍ରମକୁ ଆଇଏସଏ ପକ୍ଷରୁ ମାନ୍ୟତା ମିଳିଥିବାରୁ ମୁଁ ଗର୍ବ ଅନୁଭବ କରୁଛି। ଏହା ହେଉଛି କାମ ପ୍ରତି ତାଙ୍କର ଅଦମ୍ୟ ନିଷ୍ଠା ଓ ପ୍ରତିବଦ୍ଧତାର କାହାଣୀ। ଜିନ୍ଦଲ ଷ୍ଟେନଲେସରେ ଆମେ ସବୁବେଳେ ମହିଳା ମାନଙ୍କୁ ଆହ୍ବାନମୂଳକ କାମ କରି ଅନ୍ୟମାନଙ୍କ ପ୍ରେରଣା ସାଜିବା ପାଇଁ ପ୍ରୋତ୍ସାହନ କରିଆସୁଛୁ। “ମିନୁ ମହନ୍ତଙ୍କ ଗୋଟିଏ ବିବାହିତା ଝିଅ ଓ ଗୋଟିଏ ବିବାହିତ ପୁଅ ଅଛନ୍ତି । ବର୍ତ୍ତମାନ ସେ ତାଙ୍କ ପରିବାରରେ ଶାଶୁ ଓ ପୁଅ ସହ ରହୁଛନ୍ତି। ପ୍ଲାଣ୍ଟରେ କାର୍ଯ୍ୟରତ ମହିଳାମାନଙ୍କୁ ତାଲିମ ଦେବା ସହ ପୁରୁଷ ପ୍ରଧାନ କାମ ଗୁଡ଼ିକ କରିବା ପାଇଁ ମିନୁ ଉତ୍ସାହିତ କରନ୍ତି। ଆଇଏସଏ ଏଭଳି ଏକ ପ୍ଲାଟଫର୍ମ ରୂପେ ଉଭା ହୋଇଛି, ଯାହା ଭାରତୀୟ ଲୌହ ଓ ଇସ୍ପାତ ଶିଳ୍ପରେ ଥିବା ବିଭିନ୍ନ ସମସ୍ୟା,ଆହ୍ବାନଗୁଡ଼ିକୁ ସରକାର ତଥା ଭାରତ ଓ ଦେଶ ବାହାରର ଅନ୍ୟ ଅଂଶୀଦାରମାନଙ୍କ ସହ ଆଲୋଚନା କରି ସହଜ କରିଥାଏ।

Leave a Reply

Your email address will not be published. Required fields are marked *