ପ୍ରଦୂଷଣ କମ କରିବା ପାଇଁ ଦିଲ୍ଲୀରେ କରାଯିବ କୃତ୍ରିମ ବର୍ଷା
ନୂଆଦିଲ୍ଲୀ: ପ୍ରଦୂଷଣ କମ କରିବା ପାଇଁ ଦିଲ୍ଲୀରେ କରାଯିବ କୃତ୍ରିମ ବର୍ଷା। ଦିଲ୍ଲୀ ସରକାର ନେଲେ ଏଭଳି ନିଷ୍ପତ୍ତି। ଶୀତ ଆରମ୍ଭ ନହେଉଣୁ ଦିଲ୍ଲୀର ବାୟୁ ମାନ ଖରାପ ହେବାକୁ ଲାଗିଥିବା ଦେଖି ସରକାରଙ୍କ ଚିନ୍ତା ବଢ଼ିଛି। ବିଭିନ୍ନ ପଦକ୍ଷେପ ନିଆଯାଉଥିଲେ ବି ପ୍ରଦୂଷଣ କମ ହେବାର ନାମ ନେଉନାହିଁ।
ପରିସ୍ଥିତିକୁ ଦେଖି ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ ବୁଧବାର ଦିନ ଆଇଆଇଟି କାନପୁରର ଏକ ଟିମ୍ ସହିତ ବୈଠକ କରିଥିଲେ। ଟିମ ସହ ସହରରେ ବାୟୁ ମାନରେ ସୁଧାର ଆଣିବା ପାଇଁ କୃତ୍ରିମ ବର୍ଷା କରିବା ପ୍ରସ୍ତାବ ଉପରେ ମନ୍ତ୍ରୀ ଗୋପାଳ ରାୟ ଆଲୋଚନା କରିଥିଲେ। କୃତ୍ରିମ ବର୍ଷା କରାଇବାର ସମ୍ଭାବନା ବିଷୟରେ ଆଲୋଚନା ହେବା ପରେ ମନ୍ତ୍ରୀ କହିଛନ୍ତି ଯେ “ଆଜି ଆଇଆଇଟି କାନପୁର ଦଳ ସହ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରଦୂଷଣ କମ କରିବା ପାଇଁ କୃତ୍ରିମ ବର୍ଷା କରାଇବାର ପ୍ରସ୍ତାବ ପ୍ରଥମେ ଆଇଆଇଟି କାନପୁର ଦ୍ବାରା ଦିଆଯାଇଥିଲା। ବୈଠକରେ ଏହା ଉପରେ ଆଲୋଚନା କରାଯିବା ପରେ ନିଷ୍ପତ୍ତି ନିଆଯାଇଛି ଯେ ଆସନ୍ତାକାଲି ସେମାନେ ସରକାରଙ୍କୁ ଏକ ବିସ୍ତୃତ ପ୍ରସ୍ତାବ ପଠାଇବେ। ଆସନ୍ତାକାଲି ଯଦି ଆମେ ସେମାନଙ୍କ ପ୍ରସ୍ତାବ ଗ୍ରହଣ କରୁ, ତେବେ ଆମେ ଏହାକୁ ସୁପ୍ରିମକୋର୍ଟରେ ଉପସ୍ଥାପନ କରିବୁ। ନଭେମ୍ବର ୨୦-୨୧ରେ ଦିଲ୍ଲୀରେ ପାଗ ମେଘୁଆ ରହିବ ବୋଲି ଆଇଆଇଟି କାନପୁରର ଟିମ ଆମକୁ କହିଛନ୍ତି। ଯଦି ସୁପ୍ରିମକୋର୍ଟ ଆମକୁ ଅନୁମତି ଦେବେ, ତେବେ ଦିଲ୍ଲୀରେ କୃତ୍ରିମ ବର୍ଷା କରାଯିବ।”
ଅନ୍ୟପକ୍ଷରେ ଜାତୀୟ ରାଜଧାନୀରେ ବାୟୁ ପ୍ରଦୂଷଣ ସ୍ତର ବୃଦ୍ଧି ପାଉଥିବା ବେଳେ ଦିଲ୍ଲୀ ସରକାର ଗୁରୁବାର ଦିନ କହିଛନ୍ତି ଯେ ଅନ୍ୟ ରାଜ୍ୟରେ ପଞ୍ଜୀକୃତ ହୋଇଥିବା ତଥା ଆପ୍ ଆଧାରିତ କ୍ୟାବ ସମେତ ଟ୍ୟାକ୍ସି ଦିଲ୍ଲୀରେ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯିବ ଏବଂ କେବଳ ଦିଲ୍ଲୀର ରେଜିଷ୍ଟ୍ରେସନ୍ ପ୍ଲେଟ୍ ଥିବା କ୍ୟାବଗୁଡିକ ଭିତରକୁ ଯିବାକୁ ଅନୁମତି ଦିଆଯିବ।