ବିଶ୍ବକପ୍ : ଆଫଗାନିସ୍ତାନକୁ ୫ ଓ୍ବିକେଟରେ ହରାଇଲା ଦକ୍ଷିଣ ଆଫ୍ରିକା
ଅହମଦାବାଦ : ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଚାଲିଥିବା ବିଶ୍ବକପର ୪୨ତମ ମ୍ୟାଚରେ ଆଫଗାନିସ୍ତାନକୁ ୫ ଓ୍ବିକେଟରେ ପରାସ୍ତ କରିଛି ଦକ୍ଷିଣ ଆଫ୍ରିକା । ଏହି ପରାଜୟ ସହ ବିଶ୍ବକପରେ ଆଫଗାନିସ୍ତାନର ମୁକାବିଲା ଶେଷ ହୋଇଯାଇଛି । ସେମିରେ ପ୍ରବେଶ କରିପାରିନଥିଲେ ବି ଏହି ବିଶ୍ବକପରେ ନିଜର ଚମକପ୍ରଦ ପ୍ରଦର୍ଶନ ଯୋଗୁଁ ଏହି ଦଳ ସମସ୍ତଙ୍କୁ ପ୍ରଭାବିତ କରିଛି ।
ଆଫଗାନିସ୍ତାନ ଦ୍ବାରା ରଖାଯାଇଥିବା ୨୪୫ ରନ ଲକ୍ଷ୍ୟକୁ ଦକ୍ଷିଣ ଆଫ୍ରିକା ୪୭.୩ ଓଭରରେ ୫ ଓ୍ବିକେଟ ହରାଇ ହାସଲ କରିନେଇଥିଲା । ଦଳ ପକ୍ଷରୁ ରାସି ଭାନ ଡେର୍ ଦୁସେନ ଅପରାଜିତ ୭୬ ରନ କରିଥିବାବେଳେ କ୍ବିଣ୍ଟନ ଡିକକ୍ ୪୧ ରନ ଓ ଅଣ୍ଡିଲେ ଫେଲୁକାୟୋ ୩୯ ରନ କରିଥିଲେ ।
ଏହି ମ୍ୟାଚରେ ଆଫଗାନିସ୍ତାନ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଆଫଗାନିସ୍ତାନର ଦୁଇ ଓପନର ରେହମାନୁଲ୍ଲା ଗୁରବାଜ ଓ ଇବ୍ରାହିମ ଜଦ୍ରାନ ଭଲ ଆରମ୍ଭ କରିଥିଲେ । କିନ୍ତୁ ୪୧ ରନରେ ଦଳ ପ୍ରଥମ ଓ୍ବିକେଟ ହରାଇଥିଲା । ସ୍କୋର ୪୫ ହେଉ ହେଉ ଦଳ ୩ଟି ଓ୍ବିକେଟ ହରାଇସାରିଥିଲା । ସ୍କୋର ୧୧୬ ଥିବାବେଳେ ଦଳ ୬ଟି ଓ୍ବିକେଟ ହରାଇଥିଲା । ତେବେ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଅଜମାତୁଲ୍ଲା ଓମରଜାଇ ଗୋଟିଏ ପଟେ ଲଢୁଆ ବ୍ଯାଟିଂ ଜରି ରଖିଥାନ୍ତି । ସେ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ୯୭ ରନ କରିଥିଲେ । ନୁର ଅହମ୍ମଦ ଓ ରହମତ ଶାହ ୨୬ ରନ ଲେଖାଏଁ କରିଥିଲେ । ଆଫଗାନିସ୍ତାନ ନିର୍ଦ୍ଧାରିତ ୫୦ ଓଭରରେ ୨୪୪ ରନ କରି ଅଲଆଉଟ ହୋଇଯାଇଥିଲା । ଦକ୍ଷିଣ ଆଫ୍ରିକା ପକ୍ଷରୁ ଗେରାଲ୍ଡ କୋଟଜି ୪ଟି ଓ୍ବିକେଟ ନେଇଥିବାବେଳେ ଲୁଙ୍ଗି ଏନଗିଡି ଓ କେଶବ ମହାରାଜ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।