ରାଜ୍ୟ

ମଦ ଦେବାକୁ କର୍ମଚାରୀ ମନା କରିବାରୁ ଦୋକାନରେ ନିଆଁ ଲଗାଇ‌ଦେଲେ ଗ୍ରାହକ

ବିଶାଖାପାଟନମ୍: ବିଶାଖାପାଟନମ୍ ମଦୁରୱାଡା ପୋଲିସ ଷ୍ଟେସନ ପରିସରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଏଠାରେ ଏକ ମଦ ଦୋକାନରେ ଜଣେ ବ୍ୟକ୍ତି ନିଆଁ ଲଗାଇବା ପରେ ବିଶାଖାପାଟନମ୍ ପୁଲିସ ତାଙ୍କୁ ଗିରଫ କରିଛି।
ପୋଥିନାମାଲ୍ୟା ପାଲେମ ଇନ୍ସପେକ୍ଟର ରାମ କୃଷ୍ଣଙ୍କ ସୂଚନା ଅନୁଯାୟୀ, ମଧୁ ନାମକ ଜଣେ ବ୍ୟକ୍ତି ମଦୁରୱାଡା ଅଞ୍ଚଳର ଏକ ମଦ ଦୋକାନକୁ ଯାଇଥିଲେ। କିନ୍ତୁ ଦୋକାନ ବନ୍ଦ ସମୟ ହେତୁ ଦୋକାନ କର୍ମଚାରୀମାନେ ତାଙ୍କୁ ମଦ ଦେବା ପାଇଁ କରିବାକୁ ମନା କରିଦେଇଥିଲେ।

ଫଳରେ ଅଭିଯୁକ୍ତ ଏବଂ କର୍ମଚାରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଦୋକାନ କର୍ମଚାରୀମାନେ ଚେତାବନୀ ଦେବା ପରେ ଅଭିଯୁକ୍ତ ଘଟଣାସ୍ଥଳ ଛାଡି ଚାଲି ଯାଇଥିଲେ, କିନ୍ତୁ ସେତିକିରେ ତାଙ୍କ ରାଗ ଶାନ୍ତ ପଡ଼ିନଥିଲା। ସେ ରବିବାର ସନ୍ଧ୍ୟାରେ ଏକ ପେଟ୍ରୋଲ ଟ୍ୟାଙ୍କ୍‌ ନେଇ ଦୋକାନକୁ ଆସିଥିଲେ। ତା’ପରେ ପେଟ୍ରୋଲ୍‌ ଢାଳି ଦୋକାନରେ ନିଆଁ ଲଗାଇ ଦେଇଥିଲେ।
ନିଆଁ ଲାଗିବା ପରେ କର୍ମଚାରୀମାନେ ଦୋକାନରୁ ‌ଦୌଡ଼ି ପଳାଇଥିଲେ ମଧ୍ୟ ଦୋକାନ ଜଳି ଯାଇଥିଲା। ସେଠାରେ ଥିବା କମ୍ପ୍ୟୁଟର ଏବଂ ପ୍ରିଣ୍ଟର୍ ସମେତ ୧.୫ ଲକ୍ଷରୁ ଅଧିକ ମୂଲ୍ୟର ସମ୍ପତ୍ତି ନଷ୍ଟ ହୋଇଯାଇଥିଲା ବୋଲି ପୁଲିସ କହିଛି।

ଅଭିଯୁକ୍ତଙ୍କ ବିରୋଧରେ ଆଇପିସିର ଧାରା ୩୦୭ ଏବଂ ୪୩୬ ଅନୁଯାୟୀ ଏକ ମାମଲା ଦାୟର କରାଯାଇଥିଲା ବୋଲି ଇନ୍ସପେକ୍ଟର ରାମ କୃଷ୍ଣ କହିଛନ୍ତି। ଏବେ ଅଭିଯୁକ୍ତଙ୍କୁ ପୁଲିସ ହେପାଜତରେ ନିଆଯାଇଛି।

Leave a Reply

Your email address will not be published. Required fields are marked *