ଆଦିବାସୀଙ୍କ ଜମି ଅଣଆଦିବାସୀ କିଣିବା ପାଇଁ କ୍ୟାବିନେଟ ନେଇଥିବା ନିଷ୍ପତ୍ତିକୁ ସଂପୂର୍ଣ୍ଣ ପ୍ରତ୍ୟାହାର କରାଯାଉ: ମୋହନ ମାଝୀ
ଭୁବନେଶ୍ବର: ଆଦିବାସୀ ଜମି ହସ୍ତାନ୍ତର ଅଧ୍ୟାଦେଶ କ୍ୟାବିନେଟରେ ପାରିତ ହେବା ଓ ସ୍ଥଗିତ ରଖିବାକୁ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ଆଦିବାସୀଙ୍କ ଜମି ଅଣ ଆଦିବାସୀ କିଣିବା ପାଇଁ କ୍ୟାବିନେଟ ନେଇଥିବା ନିଷ୍ପତ୍ତି ବିଜେପି ମୋସନ ଆଣିଥିଲା।”ସରକାର ଯଦି କ୍ୟାବିନେଟ୍ ନିଷ୍ପତ୍ତି ପ୍ରତ୍ୟାହାର ନ କରନ୍ତି, ଜମି ହରାଇ ଅନୁସୂଚିତ ଜନଜାତି ହୋଇଯିବେ ଛାରଖାର। ଗୃହର ସମସ୍ତ କାର୍ଯ୍ୟକୁ ବନ୍ଦ କରି ଏହି ପ୍ରସଙ୍ଗକୁ ସ୍ଵତନ୍ତ୍ର ଭାବେ ଆଲୋଚନା କରିବା ପାଇଁ ବିଜେପି ପ୍ରସ୍ତାବ ଦେଇଥିଲା। କିନ୍ତୁ ବାଚସ୍ପତି ଏହାକୁ ଅଗ୍ରାହ୍ୟ କରିଛନ୍ତି।ଆଦିବାସୀଙ୍କ ଜମି ଅଣ ଆଦିବାସୀ କିଣିବା ପାଇଁ କ୍ୟାବିନେଟ ନେଇଥିବା ନିଷ୍ପତ୍ତିକୁ ବିଜେପି ବିରୋଧ କରୁଛି। ଏହା ଉପରେ ସରକାର ସ୍ଥଗିତାଦେଶ ଜାରି କରିଛନ୍ତି। କିନ୍ତୁ ଏହାକୁ ସଂପୂର୍ଣ୍ଣ ପ୍ରତ୍ୟାହାର କରିବା ପାଇଁ ବିଜେପି ଦାବି କରୁଛି। କିଛି ଦିନ ପାଇଁ ସ୍ଥଗିତ କରି ସରକାର ପୁଣି ଲାଗୁ କରିବେ ବୋଲି ଆଶଙ୍କା କରିଛି ବିଜେପି। ଏଥିରେ ରାଜ୍ୟ ସରକାରଙ୍କର ବଡ଼ ଚକ୍ରାନ୍ତ ଏବଂ ଷଡ଼ଯନ୍ତ୍ର ଅଛି। ବିଜେଡି ସରକାର ଆଦିବାସୀ ବିରୋଧୀ। ଆଦିବାସୀଙ୍କ ଅଭିଶାପରେ ବିଜେଡି ସରକାର ଜଳିପୋଡ଼ି ଛାରଖାର ହୋଇଯିବେ। ଆର୍ଟିକିଲ ୨୪୪(୧) ଅନୁସାରେ ଆଦିବାସୀଙ୍କ ଜମି ଅଣ ଆଦିବାସୀମାନଙ୍କୁ ବିକ୍ରି କରାଯାଇପାରିବ ନାହିଁ। କିନ୍ତୁ ରାଜ୍ୟ ସରକାର ଏହାକୁ ଉଲ୍ଲଂଘନ କରି ଆଦିବାସୀ ବିରୋଧୀ ହୋଇଯାଇଛନ୍ତି ଆଦିବାସୀଙ୍କ ଜମି ସୁରକ୍ଷିତ ନାହିଁ। ଶିଳ୍ପ ଏବଂ ଖଣି ଉତ୍ତୋଳନ ନାଁରେ ଆଦିବାସୀଙ୍କ ଜମିକୁ ହଡ଼ପ କରି ନିଆଯାଉଛି। ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ସରକାର ବିଚାର ନ କଲେ ଆଗାମୀ ଦିନରେ ଆଦିବାସୀମାନେ ଭୂମିହୀନ ଓ କାଙ୍ଗାଳ ହୋଇଯିବେ। ସେମାନଙ୍କ ଜୀବନଜୀବିକା ଠପ୍ ହୋଇଯିବ।