୧0 ଦଫା ଦାବୀ ନେଇ ପିଆଇସିଟି ବିରୋଧରେ ଶ୍ରମିକ ସଂଘର ଅନିର୍ଦ୍ଧିଷ୍ଟ ଧର୍ମଘଟ
ପାରାଦୀପ – ପାରାଦୀପ ଇଣ୍ଟରନ୍ୟାସନାଲ କାର୍ଗୋ ଟର୍ମୀନାଲ (ପିଆଇସିଟି) କମ୍ପାନୀରେ କାର୍ଯ୍ୟ କରୁଥିବା ଠିକା କାର୍ଗୋ ହ୍ୟାଣ୍ଡଲିଙ୍ଗ ଶ୍ରମିକ ମାନଙ୍କ ୧0 ଦଫା ଦାବୀ ନେଇ ପାରାଦୀପ ପୋର୍ଟ ଶ୍ରମିକ କର୍ମଚାରୀ ୟୁନିୟନ କମ୍ପାନୀର ନିଷିଦ୍ଧାଞ୍ଚଳ ଫାଟକ ଆଗରେ ବୁଧବାର ଦିନ ସକାଳ ଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣାରେ ବସିଛନ୍ତି l ସଂଖ୍ୟାଧିକ ଶ୍ରମିକ ମାନଙ୍କ ସହିତ ୟୁନିୟନ ର ମୁଖ୍ୟ ଉପଦେଷ୍ଟା ତଥା ବରିଷ୍ଠ ଶ୍ରମିକ ନେତା ସୁଧାକର ମନ୍ତ୍ରୀ,ସଭାପତି ଦେବୀ ପ୍ରସାଦ ସାମନ୍ତରାୟ, ସାଧାରଣ ସମ୍ପାଦକ ରତ୍ନାକର ସ୍ୱାଇଁ, ଉପସଭାପତି ସଞ୍ଜୟ କୁମାର ସ୍ୱାଇଁ, କାର୍ଯ୍ୟକାରୀ ସଭାପତି ପରାଗ ମିଶ୍ର, କୋଷାଧ୍ୟକ୍ଷ ବିକ୍ରମ ସିଂ ମହାରଣା ପ୍ରମୁଖ ଏହି ଧାରଣାରେ ସାମିଲ ହୋଇଛନ୍ତି l ତେବେ ଆଗାମୀ ୨୭ ତାରିଖରେ ମହାମହିମ ରାଷ୍ଟ୍ରପତି ବୋଇତ ବନ୍ଦାଣ ଉତ୍ସବ ପାଇଁ ପାରାଦୀପ ଗସ୍ତରେ ଆସୁଥିବାରୁ ଏହି ଧର୍ମଘଟ ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି l ତେବେ ଶ୍ରମିକଙ୍କ ସ୍ୱାର୍ଥ ପାଇଁ ଏ ଲଢେଇ ଅନିର୍ଦ୍ଧିଷ୍ଟ କାଳ ପାଇଁ ଜାରି ରହିବ କିନ୍ତୁ ରାଷ୍ଟ୍ରପତିଙ୍କୁ ସମ୍ମାନ ଜଣାଇ ତାଙ୍କର ପାରାଦୀପ ଗସ୍ତ ଗୋଟିଏ ଦିନ ପାଇଁ ଧାରଣା ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି ୟୁନିୟନର ମୁଖ୍ୟ ଉପଦେଷ୍ଟା ଶ୍ରୀ ମନ୍ତ୍ରୀ l