ରାଜ୍ୟ

ସନ୍ତରସ ଗ୍ରାମକୁ ଆସିଥିବା ସୋରିଷ ମଞ୍ଜି ବଣ୍ଟନରେ ଅନିୟମିତତା ଅଭିଯୋଗ, ଉଚ୍ଚସ୍ତରୀୟ ତଦନ୍ତ ଦାବି ।

କୋଣାର୍କ – କୋଣାର୍କ ଥାନା ଅଧିନସ୍ଥ କାଦୁଆନୂଆଗାଁ ଗ୍ରାମପଞ୍ଚାୟତର ସନ୍ତରସ ଗ୍ରାମରେ ସୋରିଷ ଚାଷ ନିମନ୍ତେ କୃଷି ବିଭାଗ ପକ୍ଷରୁ ଆସିଥିବା ସୋରିଷ ମଞ୍ଜି ବଣ୍ଟନରେ ବ୍ୟାପକ ଅନିୟମିତତା ହୋଇଥିବା କୃଷକ ମାନଙ୍କ ପକ୍ଷରୁ ଅଭିଯୋଗ ହେଉଛି ।
ଖବରରୁ ପ୍ରକାଶ ଯେ କାଦୁଆନୂଆଗାଁ ଗ୍ରାମପଞ୍ଚାୟତର ସନ୍ତରସ ଗ୍ରାମରେ ୧୨୫ ହେକ୍ଟର ଅଥବା ୨୫୦ ଏକର ଜମିରେ ସୋରିଷ ଚାଷ କରିବା ପାଇଁ କାକଟପୁର କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୃଷକ ମାନଙ୍କ ନିମନ୍ତେ ୨୫୦ କିଗ୍ରା ସୋରିଷ ମଞ୍ଜି ଆସିଥିଲା। ସଂପୃକ୍ତ ଗ୍ରାମର କୃଷକ ମାନଙ୍କୁ ନେଇ କୃଷି ବିଭାଗ ପକ୍ଷରୁ କୃଷକ ମାନଙ୍କୁ ବୈଠକ ମାଧ୍ୟମରେ ସଚେତନତା ସୃଷ୍ଟି କରିବା ସହ କେଉଁ କେଉଁ ଚାଷୀ ସୋରିଷ ଚାଷ କରିପାରିବେ ସେ ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇ ହିତାଧିକାରୀ ଚୟନ କରିବାର ନିୟମ ଥିବା ବେଳେ କୃଷି ବିଭାଗ ପକ୍ଷରୁ ସେଭଳି କିଛି ବୈଠକ କିମ୍ବା ସଚେତନତା କାର୍ଯ୍ୟକ୍ରମ କରାଯାଇ ନ ଥିବା ସନ୍ତରସ ଗ୍ରାମର କୃଷକ ମାନେ ମତବ୍ୟକ୍ତ କରିଛନ୍ତି। ଏହି ଗ୍ରାମପଞ୍ଚାୟତ ଦାୟିତ୍ବରେ ଥିବା କୃଷି ଗ୍ରାମ ସେବକ ଓ କୃଷକ ସାଥୀ ମନଇଛା ଭାବେ କୃଷକ ମାନଙ୍କ ମତାମତ ନ ନେଇ ବୈଠକ ନ କରି ୧୨୦ ଜଣ ଚାଷୀଙ୍କ ତାଲିକା ପ୍ରସ୍ତୁତ କରି କୃଷକ ମାନଙ୍କ ପିଛା ୧କିଲୋ ସୋରିଷ ମଞ୍ଜି ବଣ୍ଟନ କରିବା ନେଇ ସନ୍ତରସ ଗ୍ରାମର କୃଷକ ମାନଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି ଗ୍ରାମକୁ ଆସିଥିବା ୨୫୦ କିଗ୍ରା ସୋରିଷ ମଞ୍ଜି ମଧ୍ୟରୁ ୧୨୦ କିଲୋ ମଞ୍ଜି ବଣ୍ଟନ ହୋଇଥିବା ବେଳେ ଅବଶିଷ୍ଟ ୧୩୦ କିଲୋ ସୋରିଷ ମଞ୍ଜି କୁଆଡେ ଗଲା ବୋଲି କୃଷକ ମାନଙ୍କ ପକ୍ଷରୁ ଅଭିଯୋଗ ହେବା ସହ ଏହାର ବିଭାଗୀୟ ତଦନ୍ତ ଦାବି କରାଯାଇଛି ।ଏହି ଗ୍ରାମପଞ୍ଚାୟତ ଦାୟିତ୍ବରେ ଥିବା କୃଷି ଗ୍ରାମ ସେବକ ଓ କୃଷକ ସାଥୀ ମିଳିତ ଭାବେ ଏହି ସୋରିଷ ମଞ୍ଜିକୁ ଖୋଲା ବଜାରରେ ବିକ୍ରି କରିଥିବା ନେଇ ସାଧାରଣରେ ଆଲୋଚନା ହେଉଛି। ଏହି ଘଟଣାକୁ ନେଇ କାକଟପୁର ବ୍ଲକ କୃଷି ବିଭାଗର ଅଧିକାରୀ ଓ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରମୁଖଙ୍କୁ କାକଟପୁର କୃଷକ ବିକାଶ ପରିଷଦ ସଭାପତି ଭାଗୀରଥୀ ସ୍ଵାଇଁ ଓ ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ କରାଯାଇଥିଲା ବେଳେ କୃଷି ବିଭାଗ ପକ୍ଷରୁ ଘଟଣାକୁ ଗୁରୁତ୍ବ ଦିଆଯାଉ ନଥିବା କୃଷକ ମାନଙ୍କ ମହଲରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟ ସରକାରଙ୍କ କୃଷକ କଲ୍ୟାଣ ଯୋଜନାକୁ ଭଣ୍ଡୁର କରିବା ପାଇଁ ସ୍ଥାନୀୟ କୃଷି ଅଧିକାରୀ ଓ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ପ୍ରୋତ୍ସାହନରେ କାଦୁଆନୂଆଗାଁ ଗ୍ରାମପଞ୍ଚାୟତର କୃଷି ଗ୍ରାମ ସେବକ ଓ ସନ୍ତରସ ଗ୍ରାମର କୃଷକ ସାଥୀ ମିଳିତ ଭାବେ କୃଷକ ମାନଙ୍କ ନିମନ୍ତେ ଆସିଥିବା ସୋରିଷ ମଞ୍ଜି ସଠିକ ଭାବେ ବଣ୍ଟନ ନ କରି ହରିଲୁଟ କରିବା ନେଇ କାକଟପୁର କୃଷକ ବିକାଶ ପରିଷଦ ଓ ସନ୍ତରସ ଗ୍ରାମର କୃଷକ ମାନଙ୍କ ପକ୍ଷରୁ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରାଯାଇଛି ।

Leave a Reply

Your email address will not be published. Required fields are marked *