୩ୟ ଟି୨୦: ଗାଏକ୍ବାଡଙ୍କ ଶତକ, ଅଷ୍ଟ୍ରେଲିଆ ଆଗରେ ୨୨୩ ରନର ଲକ୍ଷ୍ୟ
ଗୁଆହାଟୀ : ଗୁଆହାଟୀଠାରେ ଖେଳାଯାଉଥିବା ଭାରତ-ଅଷ୍ଟ୍ରେଲିଆ ୩ୟ ଟି-୨୦ରେ ଋତୁରାଜ ଗାଏକ୍ବାଡଙ୍କ ବିସ୍ଫୋରକ ଶତକ ବଳରେ ଅଷ୍ଟ୍ରେଲିଆ ଆଗରେ ୨୨୩ ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଛି ଭାରତ ।
ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ତେବେ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଆରମ୍ଭରୁ ୨ଟି ଓ୍ବିକେଟ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଯଶସ୍ବୀ ଜୟସ୍ବାଲ ୬ ରନ ଓ ଇଶାନ କିଷନ ୦ ରନ କରି ଆଉଟ ହୋଇଥିଲେ । ତେବେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ କିଛି ସମୟ କ୍ରିଜରେ ରହିଥିଲେ ବି ସେ ୩୯ ରନ କରି ଆଉଟ ହୋଇଥିଲେ । ଅନ୍ୟପକ୍ଷରେ ଋତୁରାଜ ଓ ତିଲକ ବର୍ମା ଏକ ଶତକୀୟ ପାର୍ଟନରସିପ କରି ଦଳୀୟ ସ୍କୋରକୁ ୨୦୦ ସେପଟକୁ ନେଇଯାଇଥିଲେ । ଗାଏକ୍ବାଡ ଅପରାଜିତ ୧୨୩ରନ କରିଥିବାବେଳେ ବର୍ମା ଅପରାଜିତ ୩୧ରନ କରିଥିଲେ । ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୨୨୨ ରନ କରିଥିଲା । ଅଷ୍ଟ୍ରେଲିଆ ପକ୍ଷରୁ କେନ ରିଚାର୍ଡସନ, ଜାସନ ବେହେରେନଡ୍ରଫ ଓ ଆରନ ହାର୍ଡି ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।
ଏହି ସିରିଜରେ ମୋଟ ୫ଟି ଟି-୨୦ ମ୍ୟାଚ ଖେଳାଯିବାକୁ ଥିବାବେଳେ ଭାରତ ପ୍ରଥମ ୨ଟି ମ୍ୟାଚରେ ବିଜୟ ହାସଲ କରି ସିରିଜରେ ୨-୦ରେ ଆଗୁଆ ରହିଛି ।