ଟିମ୍ ଇଣ୍ଡିଆ’ର ମୁଖ୍ୟ କୋଚ୍ ଭାବେ ରାହୁଲ ଦ୍ରାବିଡ଼ଙ୍କ କାର୍ଯ୍ୟକାଳ ବୃଦ୍ଧି କଲା ବିସିସିଆଇ
ନୂଆଦିଲ୍ଳୀ: ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ଼ଙ୍କ କାର୍ଯ୍ୟକାଳ ଚଳିତବର୍ଷ ଶେଷ ହୋଇ ଯାଉଥିବାରୁ ସେ ଆଗକୁ ସେହି ପଦରେ ରହିବେ କି ନାହିଁ ବୋଲି ଦ୍ବନ୍ଦ୍ବ ରହିଥିଲା। କେହି କେହି ରାହୁଲ ଆଉ କୋଚ୍ ବନିବେ ନାହିଁ ବୋଲି ଅନୁମାନ କରୁଥିବା ବେଳେ ଆଉ କେହି ତାଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇବ ବୋଲି ଆଶା ରଖିଥିଲେ।
ବୁଧବାର ଏ ସମସ୍ତ ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ପଡ଼ିଛି। ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଭାବେ ରାହୁଲଙ୍କ ଚୁକ୍ତିକାଳ ବୃଦ୍ଧି ପାଇଛି ବୋଲି ଆଜି ‘ଏକ୍ସ’ ଜରିଆରେ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି। ରାହୁଲଙ୍କ ସହ ବିସିସିଆଇ ବ୍ୟାଟିଂ କୋଚ୍ ଭାବେ ବିକ୍ରମ ରାଥୋଡ, ବୋଲିଂ କୋଚ୍ ପାରସ୍ ହାମ୍ବ୍ରେଙ୍କ ଓ ଫିଲ୍ଡିଂ କୋଚ୍ ଟି ଦିଲ୍ଲୀପଙ୍କର କାର୍ଯ୍ୟକାଳ ବି ବୃଦ୍ଧି ପାଇଛି।
ତେବେ କେତେ ଦିନ ପାଇଁ ଚୁକ୍ତିନାମା ବୃଦ୍ଧି ପାଇଛି ବୋଲି ବିସିିସିଆଇ ସ୍ପଷ୍ଟ ନକରିଥିଲେ ବି ରାହୁଲ ଅତି କମ୍ରେ ୨୦୨୪ ଟି-୨୦ ବିଶ୍ବକପ୍ ପର୍ଯ୍ୟନ୍ତ ପ୍ରଶିକ୍ଷଣ ଦେବେ ବୋଲି ଅନୁମାନ କରାଯାଉଛି।