ହାତୀଙ୍କୁ ବଞ୍ଚାଇବ ରେଳ ବିଭାଗର ‘ଗଜରାଜ’
ନୂଆଦିଲ୍ଲୀ : ଟ୍ରେନ ଧକ୍କାରେ ହାତୀ ମୃତ୍ୟୁ ଆମ ଦେଶରେ ଏକ ସାଧାରଣ କଥା ହୋଇଗଲାଣି । ଦିନକୁ ଦିନ ହାତୀମାନଙ୍କ ପାଇଁ ଟ୍ରେନ ଏକ ବଡ଼ ବିପଦରେ ପରିଣତ ହୋଇଛି । ଗତ ୧୦ ବର୍ଷରେ ଟ୍ରେନ ଧକ୍କାରେ ପ୍ରାୟ ୨୦୦ ହାତୀ ମୃତ୍ୟୁବରଣ କରିସାରିଲେଣି । ଏବେ ହାତୀମାନଙ୍କ ଜୀବନ ରକ୍ଷା ପାଇଁ ରେଳ ବିଭାଗ ଏକ ନୂଆ ଉପାୟ ଅବଲମ୍ବନ କରିବାକୁ ଯାଉଛି । ଏହି ଜ୍ଞାନକୌଶଳକୁ କୁହାଯାଉଛି ଗଜରାଜ । ଉତ୍ତର ପୂର୍ବ ସୀମାନ୍ତ ରେଳପଥରରେ ଏହାର ପାଇଲଟ୍ ପ୍ରକଳ୍ପ ଆରମ୍ଭ ହୋଇଯାଇଛି ।ଉତ୍ତର ପୂର୍ବ ସୀମାନ୍ତ ରେଳପଥର ଜିଏମ୍ ଅଂଶୁଲ ଗୁପ୍ତା କହିଛନ୍ତି ଯେ କଣ୍ଟ୍ରୋଲ ରୁମ୍, ରେଳ ଷ୍ଟେସନ ଏବଂ ରେଡିଓ ଯୋଗାଯୋଗ ମାଧ୍ୟମରେ ଇଞ୍ଜିନ୍ ସହ ସଂଯୁକ୍ତ ହୋଇଥିବା ରେଳ ଧାରଣା ପାର୍ଶ୍ୱରେ ଅପ୍ଟିକାଲ ଫାଇବର ବିଛାଇ ସେନ୍ସର ଲଗାଯାଇଛି। ଏଭଳି ଭାବେ ହାତୀଟି ଟ୍ରାକ୍ ଉପରେ ଆସିଲେ ତା’ର ଚାପ କମ୍ପନ ସୃଷ୍ଟି କରିବ, ଯାହାର ସୂଚନା କଣ୍ଟ୍ରୋଲ ରୁମ୍, ଷ୍ଟେସନ୍ ମାଷ୍ଟର ଓ ଲୋକୋ ପାଇଲଟଙ୍କ ନିକଟରେ ପହଞ୍ଚିବ। ଖାଲି ସେତିକି ନୁହେଁ, ଆଲାର୍ମ ମଧ୍ୟ ସଙ୍ଗେ ସଙ୍ଗେ ବାଜିବ, ଏହି ଉପାୟରେ ଏକାସାଙ୍ଗରେ ତିନୋଟି ସ୍ଥାନରେ ସୂଚନା ପହଂଚିଯିବ । କେଉଁଠି କମ୍ପନ ହୋଇଛି, ଲୋକୋ ପାଇଲଟ ସେହି ଅନୁଯାୟୀ ଟ୍ରେନ୍ ର ବେଗ ହ୍ରାସ କରିବେ କିମ୍ବା ଅଟକାଇବେ। ପାଖାପାଖି ୧୪ଟି ହାତୀ କରିଡରକୁ ଏହି ଜ୍ଞାନକୌଶଳ ରେ ଅନ୍ତର୍ଭୁକ୍ତ କରାଯାଇଛି ।