ଦେଶ- ବିଦେଶମୁଖ୍ୟ ଖବର

ତୁର୍କୀ ଭୂକମ୍ପ: ମୃତ୍ୟୁସଂଖ୍ୟା ୨୩ ହଜାର ଟପିଲା

ଇସ୍ତାନବୁଲ :  : ଦକ୍ଷିଣ ତୁର୍କୀ ଏବଂ ଉତ୍ତର ସିରିୟାରେ ଆସିଥିବା ପ୍ରଳୟଙ୍କରୀ ଭୂକମ୍ପଜନିତ ମୃତ୍ୟୁସଂଖ୍ୟା ୨୩ ହଜାର ଟପିଯାଇଛି। ଉଭୟ ତୁର୍କୀ ଏବଂ ସିରିୟା‌ରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। କିନ୍ତୁ ଏବେ ବି ଧ୍ବଂସାବଶେଷ ତଳେ ହଜାର ହଜାର ଲୋକ ପୋତି ‌ହୋଇ ରହିଛନ୍ତି। ମୃତ୍ୟୁସଂଖ୍ୟା ଆଗକୁ କେତେ ବଢ଼ିବ କିଛି ଅନୁମାନ କରିହେଉନାହିଁ। ତୁର୍କୀର ହତୟ ପ୍ର‌ଦେଶ ଭୂକମ୍ପ ଯୋଗୁଁ ସବୁଠୁ ଅଧିକ ପ୍ରଭାବିତ ହୋଇଛି। ହତୟ ପ୍ରଦେଶରେ ଭୂକମ୍ପ ପୀଡ଼ିତମାନେ ଏବେ ପ୍ରବଳ ଥଣ୍ଡା ଏବଂ ଭୋକରେ ଆଉଟୁ ପାଉଟୁ ହେଉଛନ୍ତି। ସବୁଠି ହତାଶା ଦେଖାଦେଇଛି।ପର୍ଯ୍ୟାପ୍ତ ପରିମାଣରେ ଟେଣ୍ଟ ଏବଂ ଅସ୍ଥ‌ାୟୀ ଶିବିର ନଥିବାରୁ ଭୂକମ୍ପରୁ ବଞ୍ଚି ଯାଇଥିବା ଲୋକେ ଏବେ ଖୋଲାରେ ପଡ଼ି ରହିଛନ୍ତି। ଶୀତର ପ୍ରକୋପ ସହି ହେଉନି। ଘର ନଥିବାରୁ ଲୋକମାନେ ବିଯୁକ୍ତ ୨ ଡିଗ୍ରି ସେଲସିୟସ ତାପମାତ୍ରାରେ କାର୍‌ରେ ଏବଂ ଖୋଲା ଆକାଶ ତଳେ ଶୋଇବାକୁ ବାଧ୍ୟ ହୋଇଛନ୍ତି। ହତୟରେ ବିମାନବନ୍ଦର ରନ୍‌ୱେ ଭୂକମ୍ପ ଯୋଗୁଁ ନଷ୍ଟ ହୋଇଯାଇଥିବାରୁ ବିମାନ ଯୋଗେ ରିଲିଫ୍‌ ସାମଗ୍ରୀ ପହଞ୍ଚି ପାରିନି। ତୁର୍କୀରେ କିଛି ଲୋକଙ୍କୁ ଅତି ଚମତ୍କାର ଭାବେ ଉଦ୍ଧାର କରାଯାଇଛି। ୧୦୦ ଘଣ୍ଟାରୁ ଅଧିକ ସମୟ ପରେ ବି କିଛି ଲୋକଙ୍କୁ ତୁର୍କୀରେ ଧ୍ବଂସାବଶେଷ ଭିତରୁ ଜୀବିତ ଉଦ୍ଧାର କରାଯାଇଛି। କିନ୍ତୁ ଉତ୍ତର ପଶ୍ଚିମ ସିରିୟ‌ାରେ ଆଶା ମଉଳି ଯାଉଛି। ସେଠାରେ ସ୍ଥିତି ଅତି ଭୟାନକ ରହିଛି।ସୋମବାର ଭୂକମ୍ପ ହୋଇଥିଲେ ସୁଦ୍ଧା ଅନ୍ତର୍ଜାତୀୟ ସହାୟତା ଗୁରୁବାର ଅପରାହ୍ନରେ ପହଞ୍ଚିଛି। କିନ୍ତୁ ସିରିୟାରେ ଉଦ୍ଧାରକାରୀ ଦଳ ଏବଂ ସହାୟକ କର୍ମୀମାନେ ଅଧିକ ସାହାଯ୍ୟ ଅପେକ୍ଷାରେ ରହିଛନ୍ତି। ଜଣେ ଡାକ୍ତର କହିଛନ୍ତି, ସିରିୟାରେ ୨୦ ପ୍ରତିଶତ ଲୋକଙ୍କ ପାଇଁ ବି ମେଡିକାଲ ଉପକରଣ ନାହିଁ। ଜରୁରୀ ଉପକରଣ ଓ ଅତ୍ୟାବଶ୍ୟକ ଚିକିତ୍ସା ଅଭାବରୁ ପୀଡ଼ିତଙ୍କ ଅବସ୍ଥା ସାଂଘାତିକ ହେବାରେ ଲାଗିଛି। ଆଗକୁ ସିରିୟା ସ୍ଥିତି ଅଧିକ ଜଟିଳ ହୋଇଯିବା ଆଶଙ୍କା କରାଯାଉଛି। ସିରିୟାର କିଛି ଅଂଶରେ ଏବେ ବି ଅନ୍ତର୍ଜାତୀୟ ସହାୟତା ପହଞ୍ଚିପାରୁନି। ତୁର୍କୀ ସିରିୟାକୁ ସହାୟତା ପଠାଇଛି। ଇତି ମଧ୍ୟରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମୁଖ୍ୟ ଟେଡ୍ରସ ଆଦନମ ଆଜି ତୁର୍କୀ ଏବଂ ସିରିୟା ଗସ୍ତରେ ଯାଇଛନ୍ତି। ଆମେରିକା ତୁର୍କୀ ଏବଂ ସିରିୟାକୁ ୮୫ ନିୟୁତ ଡଲାର ମାନବୀୟ ସହାୟତା ପ୍ରଦାନ କରିବ ବୋଲି ଘୋଷଣା କରିଥିବା ବେଳେ ବିଶ୍ବ ବ୍ୟାଙ୍କ ତୁର୍କୀକୁ ୧.୭୮ ବିଲିଅନ ଡଲାର ସହାୟତା ପ୍ରଦାନ ଘୋଷଣା କରିଛି।

Leave a Reply

Your email address will not be published. Required fields are marked *