ଶାସ୍ତ୍ରୀୟ ଓଡିଶୀ ନୃତ୍ୟର ତାଳେ ତାଳେ ୩୪ତମ କୋଣାର୍କ ଉତ୍ସବ ଉଦଘାଟିତ, ସୂର୍ଯ୍ୟ ସ୍ତୁତିରେ ମତୁଆଲା ପର୍ଯ୍ୟଟକ ।
କୋଣାର୍କ:- ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସୂର୍ଯ୍ୟମନ୍ଦିରର ପାଦଦେଶରେ ମୁକ୍ତାକାଶ ରଙ୍ଗମଞ୍ଚ ପରିସରରେ ରାଜ୍ଯ ସରକାରଙ୍କ ପର୍ଯ୍ୟଟନ ବିଭାଗ ଆନୁକୁଲ୍ୟରେ ୩୪ତମ କୋଣାର୍କ ଉତ୍ସବ ଓ ୧୩ତମ ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ ପକ୍ଷରୁ ଉଦଘାଟିତ ହୋଇଯାଇଛି। ଅନୁରୂପ ଭାବେ ପୁରାଣ ପ୍ରସିଦ୍ଧ ଚନ୍ଦ୍ରଭାଗା ସ୍ଥିତ ବେଳାଭୂମିର ପାଦଦେଶରେ ୧୩ତମ ବାଲୁକାକଳା ମହୋତ୍ସବ ଉଦଘାଟିତ ହୋଇଯାଇଛି। ପ୍ରଥମାର୍ଦ୍ଧରେ ଚନ୍ଦ୍ରଭାଗା ଠାରେ ଅନୁଷ୍ଠିତ ବାଲୁକା କଳା ମହୋତ୍ସବକୁ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାର କାନ୍ତି ବେହେରା, ଓଟିଡିସି ଅଧ୍ୟକ୍ଷ ଡଃ ଲେନିନ ମହାନ୍ତି, ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ। ମୁକ୍ତାକାଶ ରଙ୍ଗମଞ୍ଚ ଠାରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ୩୪ତମ କୋଣାର୍କ ଉତ୍ସବରେ ଅତିଥି ଭାବରେ ଓଡ଼ିଆ, ଭାଷା ସାହିତ୍ୟ ଓ ସଂସ୍କୃତି ଏବଂ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଅଶ୍ଵିନୀ କୁମାର ପାତ୍ର, ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାର କାନ୍ତି ବେହେରା, ଓଟିଡିସି ଅଧ୍ୟକ୍ଷ ଡଃ ଲେନିନ ମହାନ୍ତି, ବିଶିଷ୍ଟ ନୃତ୍ୟାଙ୍ଗନା ଡଃ ଅରୁଣା ମହାନ୍ତି, ବରିଷ୍ଠ ନାଗରିକ ତୀର୍ଥ ଯାତ୍ରୀ ସଂଘ ସଭାପତି ଦୁର୍ଗା ପ୍ରସାଦ ସାମନ୍ତରାୟ ଓ ବିଭାଗୀୟ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଏହାର ଶୁଭାରମ୍ଭ କରିଥିଲେ।
୩୪ତମ ସନ୍ଧ୍ୟାର ପ୍ରଥମ ଚରଣରେ କଟକ ସୂର ମନ୍ଦିରର କଳାକାର ମାନେ ଭେଟି ଦେଇଥିଲେ ଓଡ଼ିଶୀ ନୃତ୍ୟ। କଳାକାର ମାନେ ଜଗତର ନାଥ ଜଗନ୍ନାଥ ଓ ସକଳ ଶକ୍ତିର ଆଧାର ପ୍ରଭୁ ସୂର୍ଯ୍ୟ ନାରାୟଣଙ୍କ ଉଦ୍ଦେଶ୍ୟରେ ଭେଟି ଦେଇଥିଲେ ନୃତ୍ୟ ନାଦ – ନିନାଦ।ପରେ ଗଜ ଉଦ୍ଧାର ବିଷୟ ବସ୍ତୁକୁ ନେଇ ନୃତ୍ୟାଙ୍ଗନା ମାନେ ଭେଟି ଦେଇଥିଲେ ” ସରଣମ୍ ‘। ସନ୍ଧ୍ୟାର ଦ୍ୱିତୀୟ ପର୍ଯ୍ୟାୟରେ ବେଙ୍ଗାଳୁରର ଚିତକଳା ସ୍କୁଲ୍ ଅଫ ଡ୍ୟାନସର କଳାକାର ମାନେ ପରିବେଷଣ କରିଥିଲେ ଭାରତନାଟ୍ୟମ। ଏହି ୩୪ତମ କୋଣାର୍କ ଉତ୍ସବକୁ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗର ଅଧିକାରୀ ମାନଙ୍କ ସମେତ କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମିୟ କୁମାର ସେଠୀ ପ୍ରମୁଖ ପରିଚାଳନା କରିଥିଲେ। ଚନ୍ଦ୍ରଭାଗା ଠାରେ ଅନୁଷ୍ଠିତ ୧୩ତମ ବାଲୁକା କଳା ମହୋତ୍ସବରେ ଅଷ୍ଟ୍ରେଲିଆ, ଶ୍ରୀଲଙ୍କା, ଚେକ ରିପବ୍ଲିକ ସମେତ ୬ଗୋଟି ଦେଶ ସମେତ ଓଡିଶା ଏବଂ ଓଡିଶା ବାହାରର ୧୧୪ ଜଣ ବାଲୁକା ଶିଳ୍ପୀ ବେଳାଭୂମି କୂଳରେ ବାଲିରେ ଭାରତୀୟ ଐତିହ୍ୟ ଓ ସଂସ୍କୃତି ଉପରେ ନିଖୁଣ ଭାବେ ବାଲୁକା କଳା ପ୍ରଦର୍ଶନ କରିଥିଲେ। ଏହି ପରିପ୍ରେକ୍ଷୀରେ ବାଲୁକା କଳା ଦେଖିବାକୁ ଚନ୍ଦ୍ରଭାଗା ବେଳାଭୂମି କୂଳରେ ପର୍ଯ୍ୟଟକ ମାନଙ୍କ ଭିଡ ପରିଲକ୍ଷିତ ହୋଇଥିଲା ।ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଆନୁକୁଲ୍ୟରେ ପୁର୍ବାହ୍ନ ୧୧ ଘଟିକା ସମୟରେ ରାମଚଣ୍ଡୀ ବେଳାଭୂମି କୂଳରେ ପର୍ଯ୍ୟଟକ ଶିଳ୍ପର ପ୍ରସାର ଓ ଆର୍ଥିକ ପ୍ରଗତି ପାଇଁ ଇକୋ ରିଟ୍ରିଟ ମହୋତ୍ସବ ଉଦଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଅଶ୍ଵିନୀ କୁମାର ପାତ୍ର ଉଦଘାଟନ କରିଥିଲେ। କୋଣାର୍କ ସମେତ ୭ଗୋଟି ସ୍ଥାନରେ ଏହି ମହୋତ୍ସବ ଆୟୋଜିତ ହେଉଛି। ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ହେଉଥିବା ଇକୋ ରିଟ୍ରିଟ ମହୋତ୍ସବ ସମଗ୍ର ଦେଶରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ପର୍ଯ୍ୟଟନ ଶିଳ୍ପର ଦ୍ରୂତ ଅଭିବୃଦ୍ଧି ଦିଗରେ ଏହା ଏକ ମାଇଲ ଖୁଣ୍ଟ ସଦୃଶ ବୋଲି ରାଜ୍ୟ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ ମତବ୍ୟକ୍ତ କରିଥିଲେ। ଏହି ମହୋତ୍ସବ ସମଗ୍ର ଦେଶରେ ଓଡିଶାକୁ ପର୍ଯ୍ୟଟନ କ୍ଷେତ୍ରର ଶୋଭା ବୃଦ୍ଧି କରିବା ଦିଗରେ ଉଲ୍ଲେଖନୀୟ ଅବଦାନ। ଏହି ମହୋତ୍ସବ ଆୟୋଜନର କାର୍ଯ୍ୟପନ୍ଥା, ପ୍ରସ୍ତୁତିର ପରିକଳ୍ପନା ଓ ଏହାର ସୁଦୂରପ୍ରସାରୀ ଉପାଦେୟତା ଭାରତ ବର୍ଷର ଅନ୍ୟ ରାଜ୍ୟ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛ ବୋଲି ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଅଶ୍ଵିନୀ କୁମାର ପାତ୍ର ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୁରୀ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ, ପୁରୀ ଜିଲ୍ଲା ପରିଷଦ ମୁଖ୍ଯ ଉନ୍ନୟନ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର, ଉପଜିଲ୍ଲାପାଳ ଭବତାରଣ ସାହୁ ଓ ପର୍ଯ୍ୟଟନ ବିଭାଗ ସହକାରୀ ନିର୍ଦ୍ଦେଶକ ସରୋଜ କାନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।