ସ୍ୱାମୀ ଲକ୍ଷ୍ମଣାନନ୍ଦଜୀଙ୍କ ଜନ୍ମମାଟି ତାଳଚେର ଗୁରୁଜାଙ୍ଗରେ ତାଙ୍କ ପ୍ରତିମୂର୍ତ୍ତି ଅନାବରଣ କଲେ କେନ୍ଦ୍ରମନ୍ତ୍ରୀ
ତାଳଚେର, ଡିସେମ୍ବର ୦୩ – ପରମପୂଜ୍ୟ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଜୀ ସ୍ୱାଭିମାନ, ସଂଘର୍ଷ, ସାମାଜିକ ସମରସତା ଓ ସମର୍ପଣର ପରିଚୟ । ଆଜି ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ ଗୁରୁଜଙ୍ଘ ଠାରେ ଉନ୍ମୋଚିତ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଜୀଙ୍କ ଭବ୍ୟ ପ୍ରତିମୂର୍ତ୍ତି ସ୍ୱାମୀଜୀଙ୍କ ବିଚାର ଓ ଗୁରୁଜାଙ୍ଗ ଗ୍ରାମର ଅତୀତର ସଂସ୍କାରକୁ ପୁନର୍ଜୀବିତ କରିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପିଲାଟି ଦିନରୁ ମୁଁ ସ୍ୱାମୀଜୀଙ୍କର ଅନୁଯାୟୀ ଓ ଭକ୍ତ ଭାବେ ତାଙ୍କର ଆଦର୍ଶରେ ଅନୁପ୍ରାଣିତ । ଓଡ଼ିଶାର ସମସ୍ୟା ଓ ବିପଦ କ’ଣ ଏବଂ ଏହାକୁ ସମାଧାନ କରିବା ପାଇଁ ଯୁବବର୍ଗଙ୍କ ଭୂମିକା କ’ଣ, ତାହା ଉପରେ ସେ ଆମକୁ ମାର୍ଗଦର୍ଶନ ଦେଇଥିଲେ । ସମାଜର ଥିବା କଷ୍ଟ ଓ ଦୁଃଖରୁ ଉର୍ଦ୍ଧ୍ୱରେ ରହି ସମସ୍ୟାର ସମାଧାନ କରିବା ସହ ଅନ୍ୟାୟ ହେଲେ ବି ପ୍ରଭାବଶାଳୀ ଲୋକଙ୍କ ବିରୋଧରେ ଲଢିବାକୁ ପଛାଇବା ନାହିଁ, ଏପରି ବିଚାର ସେ ରଖୁଥିଲେ । ସମାଜର ବଂଚିତ ବର୍ଗଙ୍କ ସେବା ପାଇଁ ଜନସାଧାରଣଙ୍କ ମଧ୍ୟରେ ସମର୍ପଣ ଭାବନା ତିଆରି କରିବା ପାଇଁ ସ୍ୱାମଜୀ ପ୍ରେରିତ କରୁଥିଲେ । ସେ ଓଡ଼ିଶାରେ ସମାଜିକ ସମରସତାର ସବୁଠୁ ବଡ ଉଦାହରଣ ତିଆରି କରିଥିଲେ ।
ଏହି ଅଲୌକିକ ଦୁନିଆରେ ସ୍ୱାମୀ ଲକ୍ଷ୍ମଣାନନ୍ଦଜୀ ସମସ୍ତଙ୍କର, ସମଗ୍ର ଦେଶ ଓ ବିଶ୍ୱର, ସମସ୍ତ ସନାତନୀ ମାନଙ୍କର । ଓଡ଼ିଶାର ଉପାନ୍ତ ଅଞ୍ଚଳ କନ୍ଧମାଳ ସେ ଜାତି, ଧର୍ମ ଓ ଦେଶ ପାଇଁ ବଳିଦାନ ବଳିଦାନ ଦେଇଥିଲେ । ସ୍ୱାମୀ ଲକ୍ଷ୍ମଣାନନ୍ଦଜୀଙ୍କ ଜନ୍ମସ୍ଥାନରେ ତାଙ୍କ ସ୍ମୃତିରେ ଭକ୍ତ ମାନଙ୍କର ଆଗ୍ରହ ଓ ପ୍ରଚେଷ୍ଟା କାରଣରୁ ଆଜି ତାଙ୍କର ଏକ ପୂର୍ଣ୍ଣ ଅବୟବ ମୂର୍ତ୍ତି ଉନ୍ମୋଚନ ହୋଇଅଛି । ତାଙ୍କର ଏହି ପ୍ରତିମା ଏକ ସଙ୍କେତ ନୁହେଁ ବରଂ ବିଚାରଧାରା, ସଂସ୍କାର ଓ ପରମ୍ପରା ମଧ୍ୟ । ତାଙ୍କର ଏହି ପ୍ରତିମା ପ୍ରେରକ ହେବା ଦରକାର । ଆଜିର ଦିନରେ ତାଙ୍କ ବିଚାରକୁ ପାଥେୟ କରି ଆମେ ସ୍ୱାମୀଜୀଙ୍କ ବ୍ୟକ୍ତିତ୍ୱକୁ ବ୍ୟାପକ କରିବା । ଲୋକଙ୍କୁ ଆତ୍ମନିର୍ଭର କରିବା ସହ ସ୍ୱାବଲମ୍ବୀ ଓ ସ୍ୱାଭିମାନୀ ବନାଇବା । ତାଙ୍କର ବିଚାର ଓ ଗୁରୁଜାଙ୍ଗର ସଂସ୍କାରକୁ ପୁନବିଚାର କରିବା । କନ୍ଧମାଳରେ ଗାଁରେ ଗାଁରେ ସେ ଯେଉଁଭଳି ଭାବରେ ଜନଜାତି ପିଲାଙ୍କୁ ସଂସ୍କାର ଦେଉଥିଲେ ସେହିଭଳି ଭାବରେ ତାଙ୍କର ଜନ୍ମମାଟି ଗୁରୁଜାଙ୍ଗରେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ସେହି ସଂସ୍କାରରେ ସଂସ୍କୃତ ସହ ବେଦ ପଢାଇବାର ଯୋଜନା କରିବା ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
କେବଳ ସ୍ୱାମୀଜୀ ନୁହେଁ ବରଂ ତାଳଚେରର ସ୍ୱାଧୀନତା ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନ ଯେତେବେଳେ ଇଂରେଜ ମାନଙ୍କ ଅତ୍ୟାଚାର ସହ ଲଢେଇ କରୁଥିଲେ । ତାଙ୍କୁ ଏହି ଗାଁର ସାହସୀ ଲୋକମାନେ ସୁରକ୍ଷା ଦେଇଥିଲେ । ଅବିର ପେଣ୍ଠୋଇ, ରତ୍ନାକର କର, ଘନଶ୍ୟାମ କର, ସଦାଶିବ ପାଣି, ପ୍ରମୋଦ ପାଣି, ଉଦୟନାଥ ପାଣି, ବିଭୀଶ୍ୟାମ ପାଣିଙ୍କ ଭଳି ଅନେକ ସହଯୋଗୀଙ୍କ ସହଯୋଗ ପାଇଁ ସେ ବାହାରେ ରହି ଦେଶ ମାତୃକାର ସେବା ପାଇଁ ଯୋଜନା କରିଥିଲେ । ସ୍ୱାମୀଜୀ ଓ ପବିତ୍ର ମୋହନ ପ୍ରଧାନଙ୍କ ଆମ ପୂର୍ବଜଙ୍କ ବିଚାରକୁ ମଧ୍ୟ ବ୍ୟାପକ କରିବା ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।ଆଜିର ଏହି ଧର୍ମସଭା କୁ ବିଶ୍ବହିନ୍ଦୁ ପରିଷଦ ର ରାଜ୍ୟ ସାଧାରଣ ସମ୍ପାଦକ ପଣ୍ଡିତ ମହେଶ ସାହୁ ସଂଯୋଜନା କରିଥିବା ବେଳେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ର ଓଡ଼ିଶା ପଶ୍ଚିମ ପ୍ରାନ୍ତ ସଂଘ ଚାଳକ ବିପିନି ବିହାରୀ ନନ୍ଦ,ବିଶ୍ବହିନ୍ଦୁ ପରିଷଦ ର କ୍ଷେତ୍ର ସହ ସେବା ପ୍ରମୁଖ ହରିଶ ଚନ୍ଦ୍ର ପ୍ରଧାନ,ସ୍ୱାମୀ ସଚ୍ଚିଦାନନ୍ଦ ଜି ମହାରାଜ, ସ୍ୱାମୀ ଜୀବନ ମୁକ୍ତାନନ୍ଦ ପୁରୀ, ସ୍ଵାମୀଜୀ ଙ୍କ ସହଯୋଗୀ କବିଚନ୍ଦ୍ର ନାଥ, ବ୍ରହ୍ମଚାରୀ ସନ୍ତୋଷ ଚୈତନ୍ୟ ଜି, ବିଶେଷ ଚୈତନ୍ୟ ଜି, ସନ୍ଥ ପ୍ରଭୁପାଦ ଦାସ, ସନ୍ଥ ଅନ୍ତର୍ଯ୍ୟାମୀ ଦାସ, ମଦନ ମୋହନ ଦାସ, ଗ୍ରାମ ସଭାପତି ପ୍ରସନ୍ନ ପାଣି, ସମ୍ପାଦକ ତୁଷାର କାନ୍ତ ପାଣି ଙ୍କ ସମେତ ଶତାଧିକ ସାଧୁ ସନ୍ଥ ଉପସ୍ଥିତ ରହି ମାର୍ଗଦର୍ଶନ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି, ଏନ ଏସ ଆଇ ସି ର ଡାଇରେକ୍ଟର କାଳନ୍ଦି ସାମଲ,ଜିଲ୍ଲା ବିଜେପି ସଭାପତି ଡିଲେଶ୍ୱର ପ୍ରଧାନ, ବିଜେପି ନେତା ପ୍ରତାପ ଚନ୍ଦ୍ର ପ୍ରଧାନ, ଅଗସ୍ତି ବେହେରା,ପ୍ରମୁଖ ଉପସ୍ଥିତ ଥିଲେ।ହଜାର ହଜାର ସଂଖ୍ୟାରେ କାର୍ଯ୍ୟକର୍ତା ଗୋଡିବନ୍ଧ ଛକ ଠାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ଏକ ବିରାଟ ଶୋଭାଯାତ୍ରାରେ ଗୁରୁଜାଙ୍ଗ ଗ୍ରାମକୁ ପାଛୋଟି ନେଇଥିଲେ।