ରାଜ୍ୟ

ବାରିପଦା ମହର୍ଷି ପବ୍ଳିକ ସ୍କୁଲର ବାର୍ଷିକ ଉତ୍ସବ

ବାରିପଦା: ବାରିପଦା ବାଘଡ଼ାରୋଡ଼ ସ୍ଥିତ ମହର୍ଷି ପବ୍ଲିକ ସ୍କୁଲର ୨୦ତମ ବାର୍ଷିକ ଉତ୍ସବ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି । ପିଲାମାନେ ଅତିଥିମାନଙ୍କୁ ସ୍ୱାଗତ ସଙ୍ଗୀତର ତାଳେ ତାଳେ ସ୍ୱାଗତ କରିବା ପରେ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳିତ କରାଯାଇଥିଲା । ଏହାପରେ ଚେୟାରମ୍ୟାନ ସମସ୍ତଙ୍କ ଉପସ୍ଥିତିରେ ଗୁରୁ ପରମ୍ପରାର ପୂଜନ କରିଥିଲେ । ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ କାଜଲ କାନ୍ତି ମହାପାତ୍ର ବାର୍ଷିକ ବିବରଣୀ ପାଠ କରିବା ପରେ ସ୍କୁଲ ସଭାପତି ଶ୍ରୀ ପ୍ରଦୀପ କୁମାର ନାୟକଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ପ୍ରଫେସର ଶ୍ରୀ ପ୍ରମୋଦ କୁମାର ଶତପଥୀ ଯୋଗଦେଇ ଶିକ୍ଷା ସହିତ ଯୋଗ ଧ୍ୟାନ ସହ ଭାରତୀୟ ସଂଜ୍ଞାର ନିରୂପଣ କରିବା ଉଚିତ ବୋଲି ମତ ରଖିଥିଲେ । ବାରିପଦା କଲେଜର ପୂର୍ବତନ ଅଧ୍ୟକ୍ଷ ଡ. ତରୁଣ କୁମାର ଓଝା ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଚରିତ୍ରବାନ, ଦାୟିତ୍ୱବାନ ହେବା ସହ ବିଜ୍ଞାନ ସମେତ ଆଧ୍ୟାତ୍ମିକ ଚେତନାର ସହ ଶିକ୍ଷକ, ପିତାମାତାଙ୍କୁ ଭକ୍ତି କରିବାକୁ ପରାମର୍ଶ ଦେଇଥିଲେ । ଅନୁଷ୍ଠାନର ଚେୟାରମ୍ୟାନ ଡଃ ପବିତ୍ର ମୋହନ ସାମନ୍ତରାୟ ବିଜ୍ଞାନ ଯୁଗରେ ଅନ୍ଧବିଶ୍ୱାସ, କୁସଂସ୍କାରରେ ପଥଭ୍ରଷ୍ଟ ନ ହେବାକୁ ଆହ୍ୱାନ ଦେଇଥିଲେ ।
ଏହି ଅବସରରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗୀତାରେ କୃତି ପ୍ରତିଯୋଗୀଙ୍କୁ ମାନପତ୍ର ଓ ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲା ଏବଂ ଏଥିସହ ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗ ଦ୍ୱାରା ପରିଚାଳିତ ବୃତ୍ତି ପରୀକ୍ଷାରେ ତୃତୀୟ ଶ୍ରେଣୀର କୃତି ଛାତ୍ରୀ କୁମାରୀ ଅନନ୍ୟା ଆସ୍ଥା ମହାନ୍ତଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ଶେଷରେ ପିଲାମାନଙ୍କ ଦ୍ୱାରା ଆୟୋଜିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ମଜା ସମସ୍ତେ ନେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, କର୍ମଚାରୀ ସହଯୋଗ କରିଥିଲେ । ସ୍କୁଲ ପ୍ରଶାସକ ଅଶୋକ କୁମାର କର ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *