ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ ଉଦ୍ଘାଟିତ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର/ତାଳଚେର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଭିଡିଓ କନ୍ଫରେନ୍ସ ଜରିଆରେ ତାଳଚେରଠାରେ ୩୩୦ ଶଯ୍ୟା ବିଶିଷ୍ଟ ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ ଉଦ୍ଘାଟନ କରିଛନ୍ତି। ଏହି ହସ୍ପିଟାଲ ପ୍ରତିଷ୍ଠା କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ସହଯୋଗ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ତାଳଚେର ହେଉଛି ସଂଗ୍ରାମ ଓ ସ୍ୱାଭିମାନର ଭୂମି। ମହାନ ସଂଗ୍ରାମୀ ନେତା ପବିତ୍ର ମୋହନ ପ୍ରଧାନ ଏ ମାଟିରେ ଜନ୍ମ ନେଇଥିଲେ। ସ୍ୱାଧୀନତା ସଂଗ୍ରାମଠାରୁ ଆରମ୍ଭକରି ରାଜ୍ୟର ବିକାଶ କ୍ଷେତ୍ରରେ ସେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରଖିଯାଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।ଏହି ଅବସରରେ ସ୍ୱର୍ଗତ ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଏହି ହସ୍ପିଟାଲକୁ ଆଗାମୀ ଦିନରେ ଏକ ମେଡିକାଲ୍ କଲେଜରେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସ୍ୱାସ୍ଥ୍ୟସେବା ସବୁବେଳେ ଆମର ଫୋକସ୍ ହୋଇ ରହିଛି। ରାଜ୍ୟରେ ଗତ କିଛି ବର୍ଷ ମଧ୍ୟରେ ମେଡିକାଲ୍ କଲେଜ ସଂଖ୍ୟା ବଢିଛି। ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କ ସଂଖ୍ୟା ବଢିଛି। ନୂଆ ନୂଆ ଚିକିତ୍ସା ସେବା ମଧ୍ୟ ଉପଲବ୍ଧ ହେଉଛି। ସରକାରୀ ହସ୍ପିଟାଲ ଉପରେ ଏବେ ଲୋକଙ୍କ ଆସ୍ଥା ବଢିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।